ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଇଂଲଣ୍ଡଠୁ ହାରିଲା ଭାରତ

Advertisment
ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଇଂଲଣ୍ଡଠୁ ହାରିଲା ଭାରତ

ଗ୍ବେବେରା: ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶନିବାର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ଭାରତ ୧୧ ରନ୍‌ରେ ହାରିଯାଇଛି। ଫଳରେ ସେମିଫାଇନାଲ୍ ପ୍ରବେଶ ସୁଯୋଗ ବିଳମ୍ବିତ ହୋଇଛି। ରେଣୁକା ସିଂହ ଠାକୁରଙ୍କ ୫ ୱିକେଟ୍ ସଫଳତା ସତ୍ତ୍ବେ ଇଂଲଣ୍ଡ ୭ ୱିକେଟ୍ ହରାଇ ୧୫୧ ରନ୍‌ର ଆହ୍ବାନଭରା ସ୍କୋର୍‌ କରିଥିଲା। ଭାରତ ପାଇଁ ସ୍ମୃ୍ତି ମନ୍ଧାନା ଓ ରିଚା ଘୋଷ ଲଢ଼ିଥିଲେ ମଧ୍ୟ ବିଜୟ ଦେଇପାରିନଥିଲେ।

ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଭାରତ ପାଇଁ ରେଣୁକା ସିଂହ ଘାତକ ବୋଲିଂ କରି ପ୍ରତି ଓଭରରେ ୱିକେଟ୍ ନେବା ସହ ୪-୦-୧୫-୫ ସଫଳତା ପାଇଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୫ ୱିକେଟ୍‌ ସଫଳତା ପାଇବାରେ ରେଣୁକା ତୃତୀୟ ଭାରତୀୟ ମହିଳା କ୍ରିକେଟର୍‌ ହୋଇଥିଲେ। ପୂର୍ବରୁ ଭାରତ ପାଇଁ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କେବଳ ଝୁଲଣ ଗୋସ୍ବାମୀ ଏବଂ ପ୍ରିୟଙ୍କା ରୟ ୫ ୱିକେଟ୍ ସଫଳତା ପାଇଥିଲେ। ଶନିବାର ରେଣୁକାଙ୍କ ପ୍ରାରମ୍ଭିକ ଝଟ୍‌କା କାରଣରୁ ଇଂଲଣ୍ଡ ପଞ୍ଚମ ଓଭର ବେଳକୁ ୨୯/୩ରେ ସଂଘର୍ଷ କରିଥିଲା। କିନ୍ତୁ ମଧ୍ୟକ୍ରମରେ ନ୍ୟାଟ୍ ଶ୍ଚିଭର ବ୍ରଣ୍ଟ୍ (୪୨ ବଲ୍‌ରୁ ୫୦ ରନ୍‌), ଅଧିନାୟିକା ହିଦର ନାଇଟ୍ (୨୩ ବଲ୍‌ରୁ ୨୮ ରନ୍‌) ଏବଂ ଆମି ଜୋନ୍ସ (୨୭ ବଲ୍‌ରୁ ୪୦ ରନ୍) ଲଢ଼ିବାରୁ ଇଂଲଣ୍ଡ ୧୫୧ ରନ୍‌ରେ ପହଞ୍ଚିଯାଇଥିଲା।

ରେଣୁକାଙ୍କ ଛଡ଼ା ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ତାରକା ସ୍ମୃତି ମନ୍ଧାନା (୪୧ ବଲ୍‌ରୁ ୫୨ ରନ୍) ଏବଂ ରିଚା ‌ଘୋଷ (୩୪ ବଲ୍‌ରୁ ୪୭* ରନ୍‌)ଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ଲଢ଼ି ପାରିନଥିଲେ। ବି‌ଶେଷ କରି ଶୀର୍ଷକ୍ରମରେ ସେଫାଳି ବର୍ମା (୮), ଅଧିନାୟିକା ହର୍ମନପ୍ରୀତ୍ କୌର (୪) ଏବଂ ଜେମିମା ରଡ୍ରିଗ୍ବେଜ୍ (୧୩)ଙ୍କ ବିଫଳତା ଭାରତକୁ ଆଗକୁ ବଢ଼ିବାକୁ ଦେଇନଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୧୪୦/୫ରେ ସୀମିତ ରହିଥିଲା। ସାରା ଗ୍ଲେନ୍ (୪-୦-୨୭-୨), ସୋଫି ଏସେଲଷ୍ଟୋନ୍ (୪-୦-୧୪-୧) ଏବଂ ଲରେନ୍ ବେଲ୍ (୪-୦-୨୨-୧) ଟାଇଟ୍ ବୋଲିଂ କରି ଭାରତକୁ ରୋକିଥିଲେ। ନାଟ୍ ଶିଭର ବ୍ରଣ୍ଟ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୩ ମ୍ୟାଚ୍‌ରୁ ୩ ବିଜୟ ସହ ଇଂଲଣ୍ଡ ୬ ପଏଣ୍ଟ ପାଇ ଗ୍ରୁପ୍ ‘ବି’ ଶୀର୍ଷରେ ରହି ସେମିଫାଇନାଲ୍ ସମ୍ଭାବନା ବଢ଼ାଇଛି। ଭାରତ ସୋମବାର ନିଜର ଶେଷ ଲିଗ୍‌ରେ ଆୟର୍ଲାଣ୍ଡ୍‌କୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe