ବିଶ୍ୱକପ୍‌: ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ହାରିଲା ଭାରତ, ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ବିଜୟୀ

ବିଶ୍ୱକପ୍‌: ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ହାରିଲା ଭାରତ, ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ବିଜୟୀ

Zee news

ଲଣ୍ଡନ: ଅର୍ନ୍ତଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ପୂର୍ବରୁ ନିଜର ପ୍ରଥମ ଅଭ୍ୟାସ ମ୍ୟାଚରେ ଶନିବାର ଭାରତ ହାରିଛି। କେନିନ୍‌ଟନ୍‌ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ଜିତିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୮୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ଏହାକୁ ୩୭.୧ ଓଭରରେ ୪ ଓ୍ଵିକେଟ ହରାଇ ହାସଲ କରିଛି।

ଦଳପାଇଁ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୬୭ ରନ୍‌ ଓ ରସ୍‌ ଟେଲର ୭୧ ରନ୍‌ କରିଥିଲେ। ଓପନର ମାର୍ଟିନ ଗୁପଟିଲ ୨୨ ରନ୍‌ ଓ କୋଲିନ ମୁନରେ ୪ ରନ କରି ଆଉଟ ହୋଇଥିଲେ। ହେନ୍‌ରି ନିକୋଲ ଅପରାଜିତ ୧୫ ରନ୍‌ କରିଥିଲେ। ଭାରତୀୟ ବୋଲର ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଦେଜା ୧-୧ ଓ୍ଵିକେଟ୍‌ ନେଇଥିଲେ।

ପ୍ରଥମ ଇନିଂସରେ ଭାରତକୁ ନ୍ୟୁଜିଲାଣ୍ଡ ୧୭୯ ରନ୍‌ରେ ଅଲ୍‌ଆଉଟ୍‌ କରିଥିଲା। ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଭ୍ୟାସ ମ୍ୟାଚରେ ଭାରତର ବ୍ୟାଟିଂ ପ୍ରଦର୍ଶନ ବହୁତ ଖରାପ ଦେଖିବାକୁ ମିଳିଥିଲା। ଟିମ୍‌ ୩୯.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୯ ରନ୍‌ କରିଥିଲା।

publive-image Zee News

ନ୍ୟୁଜିଲାଣ୍ଡର ବୋଲରଙ୍କ ସମ୍ମୁଖରେ ଏକମାତ୍ର ବ୍ୟାଟସ୍‌ମ୍ୟାନ ଭାବେ ରବୀନ୍ଦ୍ର ଜାଦେଜା (୫୪ ରନ୍‌) ଭଲ ବ୍ୟାଟିଂ କରିଛନ୍ତି। ସେ ୫୦ଟି ବଲ ଖେଳି ୬ ଚୌକା ଓ ୨ଟି ଛକା ମାରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଦର୍ଶକ ବହୁତ ଆଶା ରଖିଥିଲେ । ମାତ୍ର ଧୋନି ୪୨ଟି ବଲ ଖେଳି ୧୭ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ଭାରତ ସ୍କୋର ୯୧ ରନ୍‌ରେ ୭ମ ଓ୍ଵିକେଟ ଭାବେ ଧୋନିଙ୍କୁ ହରାଇଥିଲା। ଟିମ୍‌ ଇଣ୍ଡିଆର ସ୍କୋର ୧୧୫ ରନ୍‌ରେ ଭୁବନେଶ୍ୱର କୁମାର (୧ ରନ), ୧୭୭ ରନ୍‌ରେ ରବୀନ୍ଦ୍ର ଜାଦେଜା ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡର ଶେଷ ଶିକାର ହୋଇଥିଲେ କୁଲଦୀପ ଯାଦବ (୧୯ ରନ)।

ସ୍କୋର ୩୯ ରନ୍‌ ବେଳକୁ ଭାରତ ୪ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଥିଲା। ଭାରତ ସ୍କୋର ୩ ରନ୍‌ରେ ରୋହିତ ଶର୍ମାଙ୍କୁ ପ୍ରଥମ ଓ୍ଵିକେଟ୍‌ ଭାବେ ହରାଇଥିଲା। ସ୍କୋର ୧୦ ରନ୍‌ ବେଳକୁ ଶିଖର ଧାଓ୍ଵନ୍‌ ଆଉଟ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ୨୪ ରନ୍‌ରେ ୩ୟ (ଲୋକେଶ ରାହୁଲ), ୩୯ ରନ୍‌ରେ ୪ର୍ଥ ଓ୍ଵିକେଟ (ବିରାଟ କୋହଲି) ହରାଇଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୫ମ ଓ୍ଵିକେଟରେ ସ୍କୋରକୁ ୭୭ ରନ୍‌ରେ ପହଂଚାଇଥିଲେ। ପାଣ୍ଡ୍ୟା ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ସେ ୩୭ଟି ବଲ ଖେଳି ୩୦ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ମଧ୍ୟ ସାମିଲ ଥିଲା।

ଉଭୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ୨-୨ ରନ୍‌ କରିଥିଲେ। ସେମାନେ ଟ୍ରେଣ୍ଟ ବୋଲଟଙ୍କ ଦ୍ୱାରା ଶିକାର ହୋଇଥିଲେ। ଅଧିନାୟକ ବିରାଟ କୋହଲି ୧୮ ରନ୍‌ କରି ଗ୍ରାଣ୍ଡହୋମଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିପରି ଲୋକେଶ ରାହୁଲ ୬ ରନ୍‌ କରି ବୋଲଟ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଭାରତ ୧୯.୧ ଓଭର ବେଳକୁ ୫ଟି ଓ୍ଵିକେଟ ହରାଇ ସାରିଥିବା ବେଳେ ୧୯.୪ ଓଭରରେ ଦିନେଶ କାର୍ତ୍ତିକ ୩ଟି ବଲ ଖେଳି ୪ ରନ୍‌ କରି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe