ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ : ପଏଣ୍ଟ୍‌ ପ୍ରତିଶତରେ ବଛାହେବେ ଫାଇନାଲିଷ୍ଟ୍‌

Advertisment
ପ୍ରଥମ ଟେଷ୍ଟ୍‌ ପୂର୍ବରୁ ୫ ସକାରାତ୍ମକ ଦିଗ: ଶୁବମନଙ୍କ ଲୟ, ହନୁମାଙ୍କ ଉପରେ ଦାୟିତ୍ବ, ସାମିଙ୍କ ଶାଣିତ ବୋଲିଂ

The Hindu

ଦୁବାଇ : ମହାମାରୀ କରୋନା ସଂକ୍ରମଣ ନେଇ ସୃଷ୍ଟି ହୋଇଥିବା ଭୟ ଓ ଆତଙ୍କ ପାଇଁ ବହୁ ଦ୍ବିପାକ୍ଷିକ ଶୃଙ୍ଖଳା ସ୍ଥଗିତ କିମ୍ବା ବାତିଲ ହୋଇଛି। ସେଥିପାଇଁ ପ୍ରଥମ ଥର ଖେଳାଯାଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲିଷ୍ଟ୍‌ ବାଛିବା ଲାଗି ଆଇସିସି ନୂଆ ବାଟ ବାହାର କରିଛି। ଦଳଗୁଡ଼ିକ ଏ ପର୍ଯ୍ୟନ୍ତ ଖେଳିଥିବା ମ୍ୟାଚ୍ ଏବଂ ସେମାନଙ୍କ ବିଜୟ ସଂଖ୍ୟାର ପ୍ରତିଶତକୁ ହିସାବକୁ ନେଇ ଫାଇନାଲିଷ୍ଟ୍‌ ବଛାଯିବ ବୋଲି ଆଇସିସି ରବିବାର ସଙ୍କେତ ଦେଇଛି। ସ୍ଥଗିତ କିମ୍ବା ବାତିଲ ହୋଇଥିବା ମ୍ୟାଚ୍‌ଗୁଡ଼ିକୁ ପୁନର୍ବାର ଖେଳିବା ସମ୍ଭବ ମନେ ହେଉନଥିବାରୁ ସମାଧାନର ବାଟ ଭାବେ ଆଇସିସି କ୍ରିକେଟ୍ କମିଟି ଏହି ବିକଳ୍ପ ବାଛିଛି।

ତେବେ ସୋମବାର ଆରମ୍ଭ ହେବାକୁ ଥିବା ଆଇସିସି କ୍ରିକେଟ୍ କମିଟି ବୈଠକରେ ଅନୁମୋଦନ ପରେ ଯାଇ ଏହି ବିକଳ୍ପ ଉପରେ ଆନୁଷ୍ଠାନିକ ମୋହର ଲାଗିବ। ଖେଳାଯାଇପାରି ନଥିବା ଟେଷ୍ଟ୍‌ର ପଏଣ୍ଟ୍‌ ବିଭାଜନ କରିବାକୁ ମଧ୍ୟ କମିଟି ଅନ୍ୟ ଏକ ବିକଳ୍ପ ଭାବେ ଦେଖୁଛି। ତେବେ ଏହାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟିର ମଞ୍ଜୁରି ମିଳିବା ସମ୍ଭାବନା କମ୍ ରହିଛି। ଦୁଇଟି ଯାକ ବିକଳ୍ପରେ କିନ୍ତୁ ସଂପ୍ରତି ତାଲିକାର ଶୀର୍ଷ ସ୍ଥାନରେ ଥିବା ଦଳଗୁଡ଼ିକ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିବାର ଆଶଙ୍କା କମ୍ ରହିଛି। ନ୍ୟୁଜିଲାଣ୍ଡ ପାଖରେ ଅବଶ୍ୟ ପ୍ରଥମ ଦୁଇ ସ୍ଥାନକୁ ଉଠିବାର ସୁଯୋଗ ରହିବ। ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ବିପକ୍ଷ ଘରୋଇ ଶୃଙ୍ଖଳାର ପୂରା ୨୪୦ ପଏଣ୍ଟ୍‌ ପୋଛିନେଲେ କିୱି ଦଳର ମୋଟ ପଏଣ୍ଟ୍‌ ସଂଖ୍ୟା ୪୨୦ ପଏଣ୍ଟ୍‌କୁ ବଢ଼ିବ। ଘରୋଇ ପରିବେଶରେ ଖେଳିଥିବା ଗତ ୬ ଟେଷ୍ଟ୍‌ରେ ବିଜୟୀ ହୋଇଥିବାରୁ ନ୍ୟୁଜିଲାଣ୍ଡ ଏହି ସଫଳତା ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୋହରାଇବାକୁ ଆଶା ରଖିଛି। ଏହା ହେଲେ ସେମାନଙ୍କ ବିଜୟ ପ୍ରତିଶତ (ସର୍ବାଧିକ ୬୦୦ରୁ ୪୨୦) ୭୦ ପ୍ରତିଶତକୁ ବଢ଼ିଯିବ। ସେହିଭଳି ନ୍ୟୁଜିଲାଣ୍ଡ ଉପରକୁ ଉଠିବା ସହ ଭାରତ ସହ ଥିବା ବ୍ୟବଧାନକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିପାରିବ।

ଭାରତ-ଅଷ୍ଟ୍ରେଲିଆ ଏବଂ ଭାରତ-ଇଂଲଣ୍ଡ ଶୃଙ୍ଖଳାର ପ୍ରଭାବ ବି ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ସ୍ଥାନ ଉପରେ ପଡ଼ିବ। ଇଂଲଣ୍ଡ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାର ସୂଚୀକୁ ପୁନଃ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରୁଛି। ଏହି ଶୃଙ୍ଖଳାର ଫଳାଫଳ ବି ଫାଇନାଲିଷ୍ଟ ନିର୍ଣ୍ଣୟ ବେଳେ ପ୍ରମୁଖ ଭୂମିକା ତୁଲାଇପାରେ। ସାଂପ୍ରତିକ ସ୍ଥିତିକୁ ବିଚାରକୁ ନେଲେ କେବଳ ଭାରତ ଓ ଇଂଲଣ୍ଡ ସେମାନଙ୍କର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ସମସ୍ତ ୬ ଶୃଙ୍ଖଳା ଖେଳିପାରିବେ। ପାକିସ୍ତାନ ୬ ଶୃଙ୍ଖଳା ଖେଳିପାରେ। ତେବେ ଏହି ଦଳର ବାଂଲାଦେଶ ବିପକ୍ଷ ଶୃଙ୍ଖଳା ଆଉ ଖେଳା ଯାଇନପାରେ। ଜଣେ କମିଟି ସଦସ୍ୟ ଦୁଇଟି ସେମିଫାଇନାଲ୍ ଏବଂ ତା’ ପରେ ଫାଇନାଲ ଆୟୋଜନ କରିବାକୁ ଯୁକ୍ତି ବାଢ଼ିଥିଲେ ମଧ୍ୟ ତାଙ୍କ ପ୍ରସ୍ତାବକୁ ଅଧିକ ସମର୍ଥନ ମିଳିନଥିବା ଜଣାପଡ଼ିଛି।

କ’ଣ ରହିଛି ସମୀକରଣ?
ଯଦି ନ୍ୟୁଜିଲାଣ୍ଡ ନିଜ ବଳକା ଦୁଇଟି ଯାକ ଘରୋଇ ଶୃଙ୍ଖଳାରୁ ୨୪୦ ପଏଣ୍ଟ୍‌ ଅର୍ଜନ କରେ, ତାହାଲେ ସେମାନଙ୍କ ବିଜୟ ପ୍ରତିଶତ ୭୦କୁ ବଢ଼ିବ। ଅଷ୍ଟ୍ରେଲିଆ ଯଦି ଭାରତ ବିପକ୍ଷ ଘରୋଇ ଶୃଙ୍ଖଳାର ଚାରିଟି ଯାକ ମ୍ୟାଚ୍ ଜିତେ, ତାହାଲେ ଏହି ଦଳର ବିଜୟ ପ୍ରତିଶତ ୮୬.୬୭ରେ ପହଞ୍ଚିଯିବ। ସେମାନେ ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା (ଯଦି ଏହା ଆୟୋଜିତ ହୁଏ)ର ତିନିଟି ଯାକ ମ୍ୟାଚ୍ ହାରନ୍ତି, ତାହାଲେ କଙ୍ଗାରୁ ଦଳର ବିଜୟ ପ୍ରତିଶତ ୬୯.୩୩କୁ କମିଯିବ। ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟିକିଆ ଶୃଙ୍ଖଳାର ସବୁ ମ୍ୟାଚ୍ ହାରିଲେ ଏବଂ ଇଂଲଣ୍ଡ ଶୃଙ୍ଖଳାର ସମସ୍ତ ୫ ଟେଷ୍ଟ୍ ଜିତେ, ତେବେ କୋହଲି ବାହିନୀର ପଏଣ୍ଟ ସଂଖ୍ୟା ୪୮୦କୁ ବଢ଼ିବ। ସେମାନଙ୍କ ବିଜୟ ପ୍ରତିଶତ ୬୬.୭ ରହିବ। ଯଦି ଭାରତ ୫-୦ରେ ଇଂଲଣ୍ଡକୁ ହରାଏ ଏବଂ ଅଷ୍ଟ୍ରେଲିଆଠାରୁ ୧-୩ରେ ହାରେ, ତାହାଲେ କୋହଲି ବାହିନୀର ମୋଟ ପଏଣ୍ଟ ୫୧୦ରେ ପହଞ୍ଚିବା ସହ ବିଜୟ ପ୍ରତିଶତ ୭୦.୮୩ ହୋଇଯିବ। ଯାହା ନ୍ୟୁଜିଲାଣ୍ଡର ସର୍ବାଧିକ ସମ୍ଭାବ୍ୟ ପଏଣ୍ଟ୍‌ ଓ ପ୍ରତିଶତଠାରୁ ସାମାନ୍ୟ ଅଧିକ ରହିବ। ଭାରତ ଯଦି ୫-୦ରେ ଇଂଲଣ୍ଡକୁ ପରାସ୍ତ କରେ ଏବଂ ଅଷ୍ଟ୍ରେଲିଆଠାରୁ ୦-୨ରେ ହାରେ, ସେହି ପରିସ୍ଥିତିରେ ଭାରତ ପାଖରେ ୫୦୦ ପଏଣ୍ଟ୍‌ ରହିବା ସହ ବିଜୟ ପ୍ରତିଶତ ୬୯.୪୪ ହୋଇଯିବ। ଏଣୁ ନ୍ୟୁଜିଲାଣ୍ଡ ୨୪୦ ପଏଣ୍ଟ୍‌ ପକେଟସ୍ଥ କରିନେଲେ ଅଷ୍ଟ୍ରେଲିଆ ଶୃଙ୍ଖଳାର ଦୁଇଟି ମ୍ୟାଚ୍ ଅମୀମାଂସିତ ରଖିବା ଭାରତ ପାଇଁ ଫାଇନାଲ୍ ଖେଳିବା ଲାଗି ଯଥେଷ୍ଟ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe