ଭୁବନେଶ୍ବର: ଇଟାଲୀରେ ଅନୁଷ୍ଠିତ ବିଶ୍ବ ଟେବୁଲ୍ ଟେନିସ୍ କଣ୍ଟେଣ୍ଡର୍ ଲିଗ୍ନାନୋ-୨୦୨୪ରେ ଓଡ଼ିଆ ପୁଅ ସାର୍ଥକ ଆର୍ଯ୍ୟା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୫ ବର୍ଷରୁ କମ୍ ଏକକ ବର୍ଗରେ ଏହି ସଫଳତା ପାଇ ସାର୍ଥକ ନୂଆ ଇତିହାସ ରଚିଛନ୍ତି। ଫାଇନାଲ୍ରେ ସାର୍ଥକ ଇଟାଲୀର ଫ୍ରାନସେସ୍କୋ ଟ୍ରେଭିସାନଙ୍କୁ ପରାସ୍ତ କରି ଏହି ଗୌରବ ଆଣିଛନ୍ତି। ପ୍ରତିଯୋଗିତାରେ ସାର୍ଥକଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ସାର୍ଥକ କ୍ବାର୍ଟରଫାଇନାଲ୍ରେ ଜର୍ମାନୀର ଲୁକାସ ୱାଙ୍ଗଙ୍କୁ ୩-୦ରେ ଏବଂ ସେମିଫାଇନାଲ୍ରେ ଇଟାଲୀର ରିଜା ୱାରିନଙ୍କୁ ୩-୧ରେ ପରାସ୍ତ କରି ଫାଇନାଲ୍କୁ ଉଠିଥିଲେ। ଏଥି ସହିତ ଚଳିତ ବର୍ଷ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତାରେ ମୋଟ ୮ ସ୍ବର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ଗୁଣ୍ଠିଲୋ ଗରମା ଗ୍ରାମର ମୂଳ ବାସିନ୍ଦା ସାର୍ଥକ ବର୍ତ୍ତମାନ ହରିୟାଣାର ସୋନିପତସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ (ଡିପିଏସ୍)ରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଅଲିମ୍ପିକ୍ସ ସ୍ବପ୍ନ ଦେଖୁଥିବା ସାର୍ଥକ ସୋନିପତସ୍ଥିତ ପିଏସ୍ପିବିରେ ପ୍ରଶିକ୍ଷଣ ନେବା ସହିତ ଦୈନିକ ୮ ଘଣ୍ଟାର ପରିଶ୍ରମ କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us