ଡବଲ୍ୟୁଟିସି ଫାଇନାଲ୍, କୋହଲିଙ୍କ ସହ ଟସ୍ ପକାଇବାକୁ ନେଇ ୱିଲିୟମସନ୍ ଉଲ୍ଲସିତ

ଡବଲ୍ୟୁଟିସି ଫାଇନାଲ୍, କୋହଲିଙ୍କ ସହ ଟସ୍ ପକାଇବାକୁ ନେଇ ୱିଲିୟମସନ୍ ଉଲ୍ଲସିତ

image credit : ICC

ଲଣ୍ଡନ: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ ଏବେ କ୍ରିକେଟ୍ ଦୁନିଆର ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ଫାଇନାଲିଷ୍ଟ ଭାରତ ଓ ନ୍ୟୁଜିଲାଣ୍ଡ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ଖେଳି ନ୍ୟୁଜିଲାଣ୍ଡ ନିଜ ଶକ୍ତିକୁ ଆହୁରି ଶାଣିତ କରିବାରେ ଲାଗିଥିଲା ବେଳେ ଭାରତୀୟ ଖେଳାଳିଙ୍କ ରଣନୀତି କାଗଜ କଲମରେ ସୀମିତ ରହିଛି। କାରଣ ଦଳ ଏବେବି ଇଂଲଣ୍ଡରେ ସଙ୍ଗରୋଧରେ ରହିଛି। ଆନୁଷ୍ଠାନିକ ଅଭ୍ୟାସ କରିନି। ଏଭଳି ଏକ ମ୍ୟାଚ୍ ଭାରତ ମଧ୍ୟ ବିନା ଅଭ୍ୟାସ ମ୍ୟାଚ୍ ସହ ଖେଳିବ। ଯାହାକୁ ନେଇ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ଚେତାବନୀ ଦେଇ ସାରିଛନ୍ତି। ଉଭୟ ଦଳ କିନ୍ତୁ ମ୍ୟାଚ୍‌କୁ ନେଇ ଢେର ଉତ୍ସାହିତ ଅଛନ୍ତି। ଏକଥା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ବି ଖୋଲି କହିଛନ୍ତି। ବିଶେଷ କରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ମ୍ୟାଚ୍ ପୂର୍ବରୁ ଟସ୍ କରିବା ନେଇ ସେ ଉଲ୍ଲସିତ ଓ ଉତ୍ସାହିତ ଅଛନ୍ତି। କୋହଲି ବି ଏକଥା ବହୁ ପୂର୍ବରୁ କହିସାରିଛନ୍ତି। ୱିଲିୟମସନ୍ ସୋମବାର ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଆମେ ଏହି ମ୍ୟାଚ୍‌କୁ ଅପେକ୍ଷା କରି ରହିଛୁ। ଉଭୟ ପରସ୍ପର ବିପକ୍ଷରେ ପୂର୍ବରୁ ଖେଳି ସାରିଛୁ।

ପରସ୍ପରର ଦୋଷ, ଦୁର୍ବଳତା ଭଲ ଭା‌ବରେ ଜାଣିଛୁ। ଆମେ କିନ୍ତୁ କୌଣସି ଚିନ୍ତାରେ ନାହୁଁ। ଭାରତ ପାଖରେ ଏକ ବିଶ୍ବସ୍ତରୀୟ ବୋଲିଂ ବାହିନୀ ରହିଛି। ସେମାନଙ୍କ ବ୍ୟାଟିଂରେ ବହୁତ ଗଭୀରତା ରହିଛି। ଆମେ ଏକଥା ଅଷ୍ଟ୍ରେଲିଆରେ ଦେଖି ସାରିଛୁ। ଭାରତ ବି ବିଶ୍ବ ମାନ୍ୟତାର ଶୀର୍ଷରେ ରହିଛି। ଡ୍ୟୁକ୍ସ ବଲ୍‌ରେ ମ୍ୟାଚ୍ ଖେଳିବା ଏକ ନିଆରା ଅଭିଜ୍ଞତା ହେବ ମଧ୍ୟ। ଆଶା କରୁଛୁ ସାଉଥାମ୍ପଟନ୍ ପିଚ୍‌ରେ କମ୍ ଘାସ ରହିବ। ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳାଯାଉଥିବାରୁ ଉଭୟ ଦଳ ଉପରେ କିଛିଟା ଚାପ ନିଶ୍ଚିତ ରହିବ। ୭ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ? ଆମେ ପାଇଁ ଏହା ଏକ ଛୋଟିଆ ଚିନ୍ତା। ଏହା ଅବଶ୍ୟ ଆମକୁ ଆମ ଲକ୍ଷ୍ୟପଥରୁ ବିଚ୍ୟୁତ କରି ପାରିବ ନାହିଁ। ପ୍ରଶଂସକ ଏକ ସ୍ମରଣୀୟ ମ୍ୟାଚ୍ ଦେଖିବେ ବୋଲି ମୋର ଦୃଢ଼ ଆଶା ରହିଛି ବୋଲି ୱିଲିୟମସନ୍ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe