ୟୋଲୋ କାର୍ଡ ରେକର୍ଡ; ସାଉଦି ଆରବକୁ ହରାଇଲା ପୋଲାଣ୍ଡ୍‌

ୟୋଲୋ କାର୍ଡ ରେକର୍ଡ; ସାଉଦି ଆରବକୁ ହରାଇଲା ପୋଲାଣ୍ଡ୍‌

କାତାର: ଚଳିତ ଫିଫା ବିଶ୍ବକପ୍‌ର ଶନିବାର ଦ୍ବିତୀୟ ମ୍ୟାଚ୍‌ ଏକତରଫା ରହିଥିଲା। ଗ୍ରୁପ୍‌-ସି ଅନ୍ତର୍ଗତ ଏହି ମ୍ୟାଚ୍‌ରେ ସାଉଦି ଆରବକୁ ୨-୦ ଗୋଲ୍‌ରେ ପରାସ୍ତ କରି ପୂରା ପଏଣ୍ଟ ନେଇଥିବା ପୋଲାଣ୍ଡ ୧୯୮୬ ମସିହା ପରେ ପ୍ରଥମ ଥର ଲାଗି ପ୍ରିକ୍ବାର୍ଟର ଫାଇନାଲ୍‌ ଦିଗରେ ଅଗ୍ରସର ହୋଇଛି। ପୋଲାଣ୍ଡ୍‌ ମ୍ୟାଚ୍‌ର ଉଭୟାର୍ଦ୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା। ସେଥିରୁ ପିଅର୍ଟ ଜିଲେନ୍‌ସ୍କି ୩୯ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ କରିଥିଲା ବେଳେ ୮୨ତମ ମିନିଟ୍‌ରେ ତାରକା ଖେଳାଳି ରବର୍ଟ ଲିୱାଣ୍ଡୋସ୍କି ଦ୍ବିତୀୟ ଗୋଲ୍‌ କରିଥିଲେ। ପ୍ରଥମ ମ୍ୟାଚ୍‌କୁ ମେକ୍ସିକୋ ସହ ଗୋଲ୍‌ ଶୂନ୍ୟ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଥିବା ପୋଲାଣ୍ଡ ୨ ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ସହ ୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି।

ୟୋଲୋ କାର୍ଡ ରେକର୍ଡ
ଏଜୁକେଶନ ସିଟି ଷ୍ଟାଡିୟମ୍‌ରେ ଆରମ୍ଭରୁ ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଏପରିକି ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ୍‌ ହୋଇଥିଲେ ମଧ୍ୟ ସେହି ସମୟ ମଧ୍ୟରେ ୫ ଜଣ ଖେଳାଳିଙ୍କୁ ୟୋଲୋ କାର୍ଡ ମିଳିଥିଲା। ଯାହାକି କୌଣସି ବିଶ୍ବକପ୍‌ରେ ପ୍ରଥମାର୍ଦ୍ଧ ଖେଳରେ ଏହା ସର୍ବାଧିକ ଥିଲା। ସେ ମଧ୍ୟରୁ କେବଳ ପୋଲାଣ୍ଡ୍‌ ୩ ୟେଲୋ କାର୍ଡ ପାଇଥିଲା। ମ୍ୟାଚ୍‌ର ପ୍ରଥମ ୨୦ ମିନିଟ୍‌ ମଧ୍ୟରେ ୩ ଜଣ ୟେଲୋ କାର୍ଡ ପାଇବାରେ ପୋଲାଣ୍ଡ ୨୦୦୨ ବିଶ୍ବକପ୍‌ ପରେ ପ୍ରଥମ ଦଳ ରହିଥିଲା। ୨୦୦୨ରେ ଇଟାଲି-ମେକ୍ସିକୋ ମ୍ୟାଚ୍‌ରେ ପ୍ରଥମ ୯ ମିନିଟ୍‌ ମଧ୍ୟରେ ୩ ୟେଲୋ କାର୍ଡ ମିଳିଥିଲା। ଅନ୍ୟପକ୍ଷରେ ନେଦରଲାଣ୍ଡ୍‌ସ ଓ ସ୍ପେନ୍‌ ମଧ୍ୟରେ ଖେଳାଯାଇଥିବା ୨୦୧୦ ଫାଇନାଲ୍‌ର ପ୍ରଥମାର୍ଦ୍ଧରେ ମଧ୍ୟ ୫ ୟେଲୋ କ‌ାର୍ଡ ମିଳିଥିଲା। ପ୍ରଥମାର୍ଦ୍ଧରେ ରେକର୍ଡ ସଂଖ୍ୟକ ୟୋଲୋ କାର୍ଡ ମିଳିବା ସତ୍ତ୍ବେ ପୋଲାଣ୍ଡ ବାଜି ମାରିନେଇଥିଲା। ବିଶେଷକରି ଏହି ଦଳ ୧-୦ରେ ଆଗୁଆ ରହିଥିଲା ବେ‌ଳେ ସାଉଦି ଆରବ ପାଇଁ ଗୋଲ୍‌ ଶୁଝିଦେବାର ଏକ ସୁବର୍ଣ୍ଣ ସୁଯୋଗ ରହିଥିଲା। ଏହି ଦଳକୁ ୪୪ ମିନିଟ୍‌ରେ ଏକ ପେନାଲ୍‌ଟି ମିଳିଥିଲା।

ପୋଲାଣ୍ଡ ଦଳ ପ୍ରତିବାଦ କରିବା ସତ୍ତ୍ବେ ଭାର୍‌ ଜରିଆରେ ରେଫରି ଏହାକୁ କାଏମ ରଖିଥିଲେ। ୧୦ ନମ୍ବର ଖେଳାଳି ସାଲିମ ଅଲ୍‌ ଡୱସାରି ପ୍ରଥମ ପ୍ରୟାସ କରିଥିଲା ବେଳେ ପୋଲାଣ୍ଡ ଗୋଲ୍‌ରକ୍ଷକ ୱଜ୍‌ସିଚ୍‌ ସିଜେସ୍ନି ଏହାକୁ ରୋକି ଦେଇଥିଲେ। ତଥାପି ତାଙ୍କ ହାତରୁ ବଲ୍‌ ବାହାରକୁ ଚାଲିଯାଉଥିବା ବେଳେ ୬ ନମ୍ବର ଖେଳାଳି ମହମ୍ମଦ ଅଲ୍‌ ବ୍ରିକ୍‌ ଗୋଲ୍‌ ପୋଷ୍ଟକୁ ମାରିଥିଲେ। ଏହା ମଧ୍ୟ ୱଜ୍‌ସିଚ୍‌ ସିଜେସ୍ନିଙ୍କ ହାତରେ ବାଜି ପୋଷ୍ଟ ଉପର ଦେଇ ଚାଲିଯାଇଥିଲା। ଲାଗଲାଗ ପ୍ରୟାସ ନିଷ୍ଫଳ ହୋଇଯିବା ପରେ ସାଉଦି ଆରବ ନିରାଶ ହୋଇଥିଲା। ଆଉ ଏହାପରେ ଦଳ ମ୍ୟାଚ୍‌କୁ ଫେରିପାରିନଥିଲା। ପୋଲାଣ୍ଡର ଉଭୟ ଗୋଲ୍‌ରେ ଲିୱାଣ୍ଡୋସ୍କିଙ୍କ ଅବଦାନ ରହିଥିଲା। ପୋଲାଣ୍ଡର ସର୍ବାଧିକ ଗୋଲ୍‌ ସ୍କୋରର୍‌ ଲିୱାଣ୍ଡୋସ୍କିଙ୍କର ଏହା ଥିଲା ବିଶ୍ବକପ୍‌ରେ ପ୍ରଥମ ଗୋଲ୍‌। ଏଥି ସହିତ ତାଙ୍କ ଆନ୍ତର୍ଜାତିକ ଗୋଲ୍‌ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପୋଲାଣ୍ଡ ଗୋଲ୍‌ରକ୍ଷକ ୧୯୬୬ ମସିହାରୁ ସେ ସାମ୍‌ନା କରିଥିବା‌ ମୋଟ ବିଶ୍ବକପ୍‌ ୫ ପେନାଲ୍‌ଟିରୁ ୩ ବଞ୍ଚାଇବାର ଗୌରବ ବହନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe