ୟୁସୁଫ୍‌ଙ୍କୁ ପିଛିଲା ନିଲମ୍ବନ: ୫ ଦିନ ପରେ ପୂରିଯିବ ୫ ମାସିଆ ଅବଧି

ୟୁସୁଫ୍‌ଙ୍କୁ ପିଛିଲା ନିଲମ୍ବନ: ୫ ଦିନ ପରେ ପୂରିଯିବ ୫ ମାସିଆ ଅବଧି

ମୁମ୍ବାଇ,: ଗତ ଋତୁରେ ବିସିସିଆଇର ନିଶା ବିରୋଧୀ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବରୋଦା ଅଲରାଉଣ୍ଡର୍‌ ୟୁସୁଫ୍‌ ପଠାନ୍‌ଙ୍କୁ ପିଛିଲା ତାରିଖରୁ ନିଲମ୍ବିତ କରାଯାଇଛି। ଏହି ଖବର ଏବେ ପଦାକୁ ଆସିଥିବାବେଳେ ମାତ୍ର ୫ ଦିନ ପରେ ଏହି ୫ ମାସିଆ ନିଲମ୍ବନ ଅବଧୀ ପୂର୍ଣ୍ଣ ହୋଇଯିବ। ଅର୍ଥାତ୍‌ ଚଳିତ ୨୦୧୮ ଜାନୁଆରି ୧୪ ତାରିଖ ମଧ୍ୟରାତ୍ରୀରୁ ଏହି ନିଲମ୍ବନ ଉଠିଯିବ। ବିସିସିଆଇ ବିଧି ଅନୁସାରେ ଗତବର୍ଷ ମାର୍ଚ ମାସ ୧୬ ତାରିଖରେ ମୂତ୍ରନମୁନା ସଂଗୃହୀତ ହୋଇଥିଲା। ସେ ନେଇଥିବା କଫ୍‌ ସିରପ୍‌ରେ ସାଧାରଣତଃ ଥିବା ନିଷିଦ୍ଧ ଔଷଧ ଟର୍ବୁଟାଲାଇନ୍‌ ଏଥିରୁ ମିଳିଥିଲା। ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ଵାଡା) ତାଲିକାରେ ଏହା ପ୍ରତିଯୋଗିତା ସମୟରେ ଏବଂ ଅସମୟରେ ବି ନିଷିଦ୍ଧ ରହିଛି। ୟୁସୁଫ ଏହାର କାରଣ ଦର୍ଶାଇଥିଲେ।

ଏହା ଶକ୍ତିବର୍ଦ୍ଧକ ନଥିବାରୁ ଏବଂ ସମସ୍ତ ପ୍ରମାଣ ଓ ବାହ୍ୟ ମତାମତ ଗ୍ରହଣ କରିବା ପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଅକ୍ଟୋବରରେ ଏହା ସ୍ପଷ୍ଟ ହେବା ପରେ ୟୁସୁଫଙ୍କ ଉପରେ ଅଗଷ୍ଟ ୧୫ ତାରିଖରୁ ୫ ମାସିଆ ନିଲମ୍ବନ ଲାଗୁ କରାଯାଇଥିଲା। ବିସିସିଆଇର ଏଡିଆର୍‌ (ଆଣ୍ଟି ଡୋପିଂ ରୁଲ୍‌ସ) ଧାରା ୧୦.୧୦.୨ ଏବଂ ୧୦.୧୦.୧ ଅନୁସାରେ ପଠାନଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ ୟୁସୁଫ୍‌ ପଠାନ୍‌ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ଭବିଷ୍ୟତରେ ମୁଁ ଔଷଧ ନେବାବେଳେ ନିଶ୍ଚିତ ଯତ୍ନଶୀଳ ରହିବି। ଗଳା ସଂକ୍ରମଣ ପାଇଁ ମୁଁ ନେଇଥିବା ଔଷଧ କାରଣରୁ ଏହି ନିଷିଦ୍ଧ ଉପାଦାନ ମିଳିଥିଲା। ଏଥି ସହ ମୁଁ ବିସିସିଆଇ, ବରୋଦା କ୍ରିକେଟ୍‌ ସଂଘ, ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଏଣିକି କୌଣସି ଔଷଧୀୟ ସେବନ ବେଳେ ଯତ୍ନବାନ ରହିବି।
ସୂଚନାଯୋଗ୍ୟ, ବିସିସିଆଇର ୫ ମାସିଆ ନିଲମ୍ବନ କାର୍ଯ୍ୟକାରୀ ହେବା ପୂର୍ବରୁ ୩୫ ବର୍ଷୀୟ ୟୁସୁଫ୍‌ ୨୦୧୭-୧୮ କ୍ରିକେଟ୍‌ ଋତୁରେ ବରୋଦା ପାଇଁ ୨ଟି ରଣଜୀ ମ୍ୟାଚ୍‌ ଖେଳି ମଧ୍ୟପ୍ରଦେଶ ବିପକ୍ଷରେ ୧୧୧ ଏବଂ ୧୩୬* ରନ୍‌ କରିଥିଲେ। ଏବେ ସେ ସୟଦ ମୁସ୍ତାକ ଅଲୀ ଟ୍ରଫି ଟେ୍ଵଣ୍ଟି-୨୦ରେ ଖେଳି ପାରୁନାହାନ୍ତି। କିନ୍ତୁ ଏହାର ସୁପର୍‌ ଲିଗ୍‌ ପର୍ଯ୍ୟାୟ ବେଳକୁ ନିଲମ୍ବନ ଉଠିଯାଉଥିବାରୁ ସେ ଖେଳିବାକୁ ଉପଲବ୍‌ଧ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe