ଅବସର ନିଷ୍ପତ୍ତି ବଦଳାଇବେ ଯୁବି, ବିସିସିଆଇଠାରୁ ଅନୁମତି ଲୋଡ଼ିଲେ

Advertisment
ଅବସର ନିଷ୍ପତ୍ତି ବଦଳାଇବେ ଯୁବି, ବିସିସିଆଇଠାରୁ ଅନୁମତି ଲୋଡ଼ିଲେ

InMarathi

ଚଣ୍ଡିଗଡ: ପଡ଼ିଆ ଭିତରେ ପୁଣି ଥରେ ଦେଖିବାକୁ ମିଳିବ ଯୁବିଙ୍କ ଯାଦୁ। ଛକା ବର୍ଷା ସହ ସ୍ପିନ୍ ବଲ୍‌ରେ ବ୍ୟାଟର୍‌ଙ୍କୁ ‌ବୋଲ୍ଡ କରିବାର ଦୃଶ୍ୟ। କାରଣ ଅବସର ନିଷ୍ପତ୍ତି ବଦଳାଇବାକୁ ଯାଉଛନ୍ତି ସେ। ୩୮ ବର୍ଷୀୟ ଯୁବି ଏଥିନେଇ କୌଣସି ଆନୁଷ୍ଠାନିକ ଘୋଷଣା କରି ନାହାନ୍ତି। ‌ହେଲେ ସେ ଅବସରରୁ ବାହରି ନିଜ ରାଜ୍ୟ ପଞ୍ଜାବ ପାଇଁ ଘରୋଇ କ୍ରିକେଟ୍ ଖେଳିବାର ଚର୍ଚା ବୁଧବାର ଜାତୀୟ ଗଣମାଧ୍ୟମର ଅନ୍ୟତମ ଶିରୋନାମା ପାଲଟିଥିଲା। ଜାତୀୟ ଚୟନକର୍ତ୍ତାଙ୍କ ଦ୍ବାରା ଢେର କିଛି ସମୟ ପାଇଁ ଅଣଦେଖା ହେବା ପରେ ଗତବର୍ଷ ହିଁ ଅବସର ଘୋଷଣା କରିଥିଲେ ଯୁବି। ତେବେ ଯୁବି କ୍ରିକେଟ୍‌ ପଡ଼ିଆରେ ଆଉଥ‌ରେ ରାଜ୍ କରିବାର ଆଶା ଓ ଆକାଂକ୍ଷା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।

୨୦୧୧ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିବା ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ପାଖରେ ଏବେବି ଅନେକ କ୍ରିକେଟ୍ ବାକିଅଛି ବୋଲି ବିଶେଷଜ୍ଞମାନେ କହୁଥିଲେ। ଗତ କିଛି ମାସ ହେବ ପଞ୍ଜାବର ଯୁବ ତାରକାଗଣ ଯଥା ଶୁବମନ ଗିଲ୍, ଅଭିଷେକ ଶର୍ମା ଓ ଅନମୋଲପ୍ରୀତ ସିଂହ ମଧ୍ୟ ଏକଥା ତାଙ୍କୁ କହି ଆସୁଥିଲେ। ଯୁବରାଜ ମଧ୍ୟ ସେମାନଙ୍କ ସହ ଢେର କିଛି ସମୟ କଟାଉଥିଲେ। ପଞ୍ଜାବ କ୍ରିକେଟ୍ ସଂଘ ଯେତେବେଳେ ତାଙ୍କୁ ଅବସର ନିଷ୍ପତ୍ତି ବଦଳାଇ ପୁଣି ଥରେ କ୍ରିକେଟ୍ ଖେଳିବାକୁ କହିଲା, ସେତେବେଳେ ଯୁବି ମଧ୍ୟ ଏହି ବିକଳ୍ପକୁ ତର୍ଜମା କରିବା ଆରମ୍ଭ କରି ଦେଇଥିଲେ। ଏବେ ତାଙ୍କ ବ୍ୟାଟିଂକୁ ନେଇ ବେଶ୍ ଖୁସି ଅଛନ୍ତି ସେ। ଗତ ଦୁଇ ମାସ ହେବ ଅଭ୍ୟାସ କରିବା ସହ ପଞ୍ଜାବର ଅଫ୍ ସିଜନ୍ ପ୍ରଶିକ୍ଷଣ ଶିବିରରେ ମଧ୍ୟ ଯୋଗଦେଇଥିଲେ ଯୁବରାଜ। ତାଙ୍କ ପୁରୁଣା ଲୟ ଫେରି ଆସିଥିବା ଦେଖି ପଞ୍ଜାବ କ୍ରିକେଟ୍ ସଂଘ ସଂପାଦକ ପୁନୀତ ବାଲି ତାଙ୍କୁ ଅବସର ନିଷ୍ପତ୍ତି ବଦଳାଇ ପୁଣି ଥରେ ପଞ୍ଜାବ ପାଇଁ ଖେଳିବାକୁ ଅନୁରୋଧ କରିଥିଲେ। ବାଲି’ଙ୍କ ଅନୁରୋଧକୁ ଯୁବରାଜ ଏଡ଼ାଇ ପାରିବେ ନାହିଁ ବୋଲି କହିବା ପରେ ସେ ପୁଣି ଥରେ ଘରୋଇ କ୍ରିକେଟ୍ ଖେଳିବାର ଆଶା ସଂଚାର ହୋଇଛି। ଯୁବି ମଧ୍ୟ ବିସିସିଆଇ ଅନୁମତି ନେଇ ଅନ୍ୟ ଦେଶରେ ଆୟୋଜିତ ହେଉଥିବା ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି।

ବିସିସିଆଇଠାରୁ ଅନୁମତି ଲୋଡ଼ିଲେ
ଅବସରରୁ ବାହାରିବାକୁ ଲାଗି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହଙ୍କୁ ଯୁବରାଜ ପତ୍ର ଲେଖି ଅନୁମତି ଲୋଡ଼ିଥିବା ଜଣାପଡ଼ିଛି। ପଞ୍ଜାବ ‌ପାଇଁ ଖେଳିବାର ବିକଳ୍ପ ମିଳିଲେ ଅନ୍ୟ କେଉଁଠାରେ ଲିଗ୍ ଖେଳିବାକୁ ସେ ଚାହିବେ ନାହିଁ ବୋଲି ଏଥି‌ରେ ଯୁବି ସ୍ପଷ୍ଟ କରି ଦେଇଛନ୍ତି। ଅନୁମତି ମିଳିଲେ ମୁଁ କେବଳ ଟ୍ବେଣ୍ଟି-୨୦ ଖେଳିବି ବୋଲି କିନ୍ତୁ ଯୁବି ବୁଧବାର କହିଛନ୍ତି। ଯୁବି ପୁଣି ବ୍ୟାଟ୍ ଧରନ୍ତୁ ବୋଲି ବି ତାଙ୍କ ମା’ ଶବନମ ସିଂହ ଚାହାନ୍ତି। ଶବନମ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଯୁବି ଆସନ୍ତା ଦିନେ ଦୁଇ ଦିନ ଭିତରେ ଦୁବାଇରୁ ଫେରିବେ। ଏହା ପରେ ଆମେ ଏହି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିବୁ। ଆପଣମାନେ ଯାହା ଶୁଣୁଛନ୍ତି, ସେଥିରେ ସତ୍ୟତା ଅଛି ବୋଲି ମୁଁ କହି ପାରିବି। ଅଷ୍ଟ୍ରେଲିଆର ବିଗ୍ ବାସ୍‌ରେ ଯୁବରାଜ ଖେଳିବେ ବୋଲି ମଧ୍ୟ କିଛି ଦିନ ତଳେ ଖବର ଆସିଥିଲେ। ଏଥିରେ ତାଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ସହଯୋଗ କରୁଥିବାର ସୂଚନା ବି ମିଳିଥିଲା।

ଯୁବିଙ୍କ ପିତା ଯୋଗରାଜ ସିଂହ କହିଛନ୍ତି ‘‘ ୨୦ ବର୍ଷର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ପରେ ଗତବର୍ଷ ସେ (ଯୁବି) ଅବସର ନେଇଛି। ଏହା ତା’ର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ଏଥିରେ ମୁଁ ଆଦୌ ହସ୍ତକ୍ଷେପ କରି ନଥିଲି। ତେବେ ସେ ଅବସର ନେବା ଉଚିତ ନଥିଲା ବୋଲି ମୁଁ ସେତେବେଳେ ନିଶ୍ଚିତ ଭାବିଥିଲି। ସେ ଜଣେ ଯୋଦ୍ଧା। ଏବେବି ସେ ଶୁବମନ, ଅନମୋଲ ଓ ଅଭିଷେକଙ୍କ ସହ ପାଞ୍ଚ ଘଣ୍ଟା ଅଭ୍ୟାସ କରୁଛି। ପିସିଏ ଷ୍ଟାଡିୟମ୍‌ରେ ସେ ଯେଭଳି ଭାବେ ଛକା ମାରୁଛି, ତାହା ଦେଖିବା ପରେ ସମସ୍ତେ ଚାହୁଛନ୍ତି ଯୁବି କ୍ରିକେଟ୍‌କୁ ଫେରୁ। ଯଦି ସେ ମାତ୍ର ୩ ବର୍ଷ ପଞ୍ଜାବ ପାଇଁ ଖେଳନ୍ତି, ସେ ନିଶ୍ଚିତ ଭାବେ ଭାରତୀୟ ଦଳକୁ ଦୁଇ ଜଣ ବିଶ୍ବସ୍ତରୀୟ ଖେଳାଳି ଦେଇ ପାରିବେ’’। ଯୁବରାଜ ଶେଷଥର ପାଇଁ ୨୦୧୭ରେ ଭାରତୀୟ ଦଳରୁ ଖେଳିଥିଲେ। ଭାରତ ପକ୍ଷରୁ ସେ ୩୦୪ ଦିନିକିଆ, ୪୦ ଟେଷ୍ଟ୍ ଓ ୫୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe