News24
ନୂଆଦିଲ୍ଲୀ: କ୍ରିକେଟ୍ରେ କୌଣସି କୀର୍ତ୍ତିମାନ ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ନାହିଁ। ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଗୋଟିଏ ଓଭରରେ ସର୍ବାଧିକ ରନ୍ ସଂଗ୍ରହର ରେକର୍ଡ ରଖିଥିବା ୩ ଖେଳାଳିଙ୍କ କୀର୍ତ୍ତିମାନ ମଙ୍ଗଳବାର ପଛରେ ପଡ଼ିଯାଇଛି। ଭାରତୀୟ ଅଲ୍ରାଉଣ୍ଡର୍ ଯୁବରାଜ ସିଂହ, ୱେଷ୍ଟଇଣ୍ଡିଜ୍ର କିରଣ ପୋଲାର୍ଡ ଏବଂ ନେପାଳର ଦୀପେନ୍ଦ୍ର ସିଂହ ଐରୀ ଗୋଟିଏ ଲେଖାଏଁ ଓଭରରୁ ୬ ଛକା ସହ ୩୬ ରନ୍ ଆଦାୟ କରିଥିଲେ। ମଙ୍ଗଳବାର ସାମୋଆର ଡାରିୟସ୍ ଭିସେର୍ ଭାନୁଆତୁ ବିପକ୍ଷ ୨୦୨୬ ବିଶ୍ବକପ୍ ରେଜିଓନାଲ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମୁକାବିଲାରେ ଗୋଟିଏ ଓଭରରୁ ୩୯ ରନ୍ ଆଦାୟ କରି ରେକର୍ଡକୁ ନିଜ ନାମରେ କରି ନେଇଛନ୍ତି। ଭିସେର୍ ମାତ୍ର ୬୨ ବଲ୍ରୁ ୧୩୨ ରନ୍ ସଂଗ୍ରହ କରିଥିବା ବେଳେ ଭାନୁଆତୁର ନଳିନ ନିପିକୋଙ୍କ ଓଭରରୁ ୩୯ ରନ୍ ଆଦାୟ କରିଥିଲେ। ନିପିକୋ ତିନୋଟି ନୋ ବଲ୍ ପକାଇଥିବାରୁ ମୋଟ ୩୯ ରନ୍ ବ୍ୟୟ କରିଥିଲେ। ୨୮ ବର୍ଷୀୟ ଭିସେର୍ ମୋଟ ୧୪ ଛକା ଓ ୫ ଚୌକା କରିଥିଲେ।
ପୂର୍ବରୁ ୨୦୦୭ ବିଶ୍ବକପ୍ରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ଯୁବରାଜ ସିଂହ ୬ ଛକା ମାରିଥିବା ବେଳେ ସେହି ସଂସ୍କରଣରେ ଶ୍ରୀଲଙ୍କାର ଅକିଲ ଧନଞ୍ଜୟଙ୍କୁ କିରଣ ପୋଲାର୍ଡ ସମାନ ୩୬ ରନ୍ ଆଦାୟ ମାରିଥିଲେ। ୨୦୨୧ରେ କିନ୍ତୁ ଏସୀୟ କ୍ରୀଡ଼ା ଅବସରରେ ଦୀପେନ୍ଦ୍ର ସିଂହ ଐରୀ ଏହାକୁ ଦୋହରାଇଥିଲେ। ସୂଚନାଯୋଗ୍ୟ, ଦିନିକିଆ କ୍ରିକେଟ୍ରେ ଗୋଟିଏ ଓଭରରୁ ୩୬ ରନ୍ ଆଦାୟ କରିବା ରେକର୍ଡ ଏବେ ଦକ୍ଷିଣ ଆଫ୍ରିକାର ହରସେଲ୍ ଗିବ୍ସ ଓ ଆମେରିକାର ଯଶକରଣ ମାଲହୋତ୍ରାଙ୍କ ନାମରେ ରହିଛି।
Follow Us