ରୋହିତଙ୍କୁ ଦେଖି ଇଞ୍ଜମାମ ମନେ ପଡ଼ିଥିଲେ: ଯୁବି

Advertisment
ରୋହିତଙ୍କୁ ଦେଖି ଇଞ୍ଜମାମ ମନେ ପଡ଼ିଥିଲେ: ଯୁବି

ଚଣ୍ଡିଗଡ: ରୋହିତ ଶର୍ମାଙ୍କୁ ସଂପ୍ରତି ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ସୀମିତ ଓଭର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାନ୍ୟତା ମିଳେ। ହେଲେ ସେ ଯେତେବେଳେ ଭାରତୀୟ କ୍ରିକେଟ୍ ଦଳକୁ ଆସିଥିଲେ, ପ୍ରଥମ କିଛି ବର୍ଷ ଅସ୍ଥିର ପ୍ରଦର୍ଶନ ପାଇଁ ଦଳରେ ସ୍ଥାନ ପକ୍କା କରିବା ଲାଗି ସଂଘର୍ଷ କରିଥିଲେ। ରୋହିତଙ୍କ କ୍ରିକେଟ୍ ଦକ୍ଷତାକୁ କିନ୍ତୁ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ପ୍ରଥମ ଦେଖାରେ ଚିହ୍ନି ନେଇଥିଲେ। ପ୍ରଥମ ଭେଟରେ ହିଁ ରୋହିଙ୍କ ଭିତରେ ଯୁବି ପାକିସ୍ତାନର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଇଞ୍ଜମାମ-ଉଲ୍-ହକଙ୍କ ଝଲକ ଦେଖିବାକୁ ପାଇଥିଲେ। ସେହି ବିଷୟ ମନେ ପକାଇ ଯୁବି ଏକ ସାକ୍ଷାତକାର ବେଳେ କହିଛନ୍ତି ଯେ ମୁଁ ଭାବୁଛି ସେ (ରୋହିତ) ଜଣେ ଏମିତି ଖେଳାଳି ଥିଲେ, ଯାହା ପାଖରେ ସଟ୍ ଖେଳିବାକୁ ପର୍ଯ୍ୟାପ୍ତ ସମୟ ରହୁଥିଲା। ସେ ମୋତେ ଇଞ୍ଜମାମ-ଉଲ-ହକଙ୍କୁ ମନେ ପକାଇ ଦେଇଥିଲେ। କାରଣ ଇଞ୍ଜି ବ୍ୟାଟିଂ କଲା ବେଳେ ଏମିତି ଖେଳୁଥିଲେ ଯେ ବୋଲରଙ୍କୁ ଖେଳିଲା ବେଳେ ତାଙ୍କ ହାତରେ ଢେର କିଛି ସମୟ ରହୁଥିଲା। ଯୁବିଙ୍କ ଭଳି ରୋହିତ ମଧ୍ୟ ଅନେକ ସମୟରେ ତାଙ୍କର ପ୍ରଶଂସା କରିଛନ୍ତି। ଯୁବି ଅବସର ଘୋଷଣା କଲା ପରେ ରୋହିତ ତାଙ୍କ ସମର୍ଥନରେ ବାହାରିଥିଲେ, ଭାରତୀୟ କ୍ରିକେଟ୍ ଦଳକୁ ୧୭ ବର୍ଷର ସେବା ଦେବା ପରେ ଯୁବି ସମ୍ମାନଜନକ ବିଦାୟର ହକ୍‌ଦାର ଥିଲେ ବୋଲି ରୋହିତ ମତ ରଖିଥିଲେ। ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇବା ସତ୍ତ୍ବେ ଖେଳ ଜୀବନର ଅନ୍ତିମ ପର୍ଯ୍ୟାୟରେ ଯୁବିଙ୍କୁ ଦଳ ଅଣଦେଖା କରୁଥିବାର ଅଭିଯୋଗ ‌ହୋଇଥିଲା। ନିଜେ ଯୁବି ମଧ୍ୟ ଏଥିନେଇ ଅନେକ ସମୟରେ ପରୋକ୍ଷରେ ଅଭିମାନ ଜାହିର କରି ସାରିଛନ୍ତି। ଏଥିନେଇ ସେ କହିଛନ୍ତି ଯେ ଯେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ, ମୋତେ ବହୁତ ସମର୍ଥନ କରିଥିଲେ। ଯେତେବେଳେ ମାହି ଅଧିନାୟକ ପଦ ଗ୍ରହଣ କରିଥିଲେ, ମୋ ପାଇଁ ଉଭୟଙ୍କ ମଧ୍ୟରୁ ଜଣକୁ ବାଛିବା ବହୁତ କଷ୍ଟକର ଥିଲା। ସୌରଭଙ୍କୁ ନେଇ ମୋର ବହୁତ ଭଲ ସ୍ମୃତି ଅଛି, କାରଣ ସେ ମୋତେ ଢେର ସମର୍ଥନ କରିଥିଲେ। ମାହି ଓ ବିରାଟଙ୍କଠାରୁ, ମୁଁ ସେଭଳି ସମର୍ଥନ ପାଇ ନଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe