ଜିମ୍ବାୱେ ୨୩ ରନ୍‌ରେ ପରାସ୍ତ: ଗିଲ୍, ସୁନ୍ଦର ଚମକରେ ଜିତିଲା ଭାରତ

Advertisment
ଜିମ୍ବାୱେ ୨୩ ରନ୍‌ରେ ପରାସ୍ତ: ଗିଲ୍, ସୁନ୍ଦର ଚମକରେ ଜିତିଲା ଭାରତ

ହରାରେ: ଜିମ୍ବାୱେ ଗସ୍ତରେ ଭାରତୀୟ ଯୁବ କ୍ରିକେଟ୍ ଦଳ ଲଗାତାର ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌କୁ ଅପ୍ରତ୍ୟାଶିତ ଭାବେ ହାରିବା ପରେ ଦ୍ବିତୀୟକୁ ୧୦୦ ରନ୍‌ର ବଡ଼ ବ୍ୟବଧାନରେ ଜିତି ଶୃଙ୍ଖଳା ବରାବର କରିଥିବା ଶୁବମନ ଗିଲ୍‌ଙ୍କ ଦଳ ବୁଧବାରର ତୃତୀୟ ମୁକାବିଲାକୁ ୨୩ ରନ୍‌ରେ ଜିତି ୫ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି। ଗତ ମୁକାବିଲା ଭଳି ଆଜି ମଧ୍ୟ ଭାରତୀୟ ଖେଳାଳିମାନେ ଉଭୟ ବଲ୍ ଓ ବ୍ୟାଟ୍‌ରେ କମାଲ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୧୮୨ ରନ୍ କରିବା ପରେ ଜିମ୍ବାୱେକୁ ୧୫୯/୬ରେ ଅଟକାଇ ଆଧିପତ୍ୟଭରା ବିଜୟ ହାସଲ କରିଛନ୍ତି। ବ୍ୟାଟ୍‌ରେ ଗିଲ୍‌ଙ୍କ ସହ ଋତୁରାଜ ଗାଏକ୍ବାଡ୍ ନିଜ ନିଜର ଚମକ ଦେଖାଇଥିଲା ବେଳେ ବୋଲିଂରେ ଖଲିଲ ଅହମ୍ମଦ, ୱାସିଂଟନ୍ ସୁନ୍ଦର ନିଜ ମିତବ୍ୟୟୀ ବୋଲିଂର ଅଲିଭା ଛାପ ଛାଡ଼ିଛନ୍ତି। ଅନ୍ୟମାନେ ମଧ୍ୟ ନିଜ ନିଜ ଦାୟିତ୍ବ ସଠିକ୍ ଭାବେ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସୁନ୍ଦର ତାଙ୍କ ସଫଳ ବୋଲିଂ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଅନ୍ୟପକ୍ଷରେ ଦୁର୍ବଳ କ୍ଷେତ୍ରରକ୍ଷଣ ଜିମ୍ବାୱେ ପାଇଁ ପରାଜୟର ପ୍ରମୁଖ କାରଣ ହୋଇଛି। ଉଭୟ ଦଳ ମଧ୍ୟରେ ଶୃଙ୍ଖଳା ନିର୍ଣ୍ଣାୟକ ଚତୁର୍ଥ ମୁକାବିଲା ଶନିବାର ଅପରାହ୍ଣ ୪ଟା ୩୦ରୁ ଆରମ୍ଭ ହେବ।

ହରାରେ ସ୍ପୋର୍ଟସ ପଡ଼ିଆରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ବୁଧବାର ଭାରତୀୟ ଦଳ ଟସ୍ ଜିତି ବ୍ୟାଟିଂ କରିଥିଲା। ତେବେ ଗତ ମ୍ୟାଚ୍‌ର ଶତକ ହାସଲକାରୀ ଅଭିଷେକ ଶର୍ମାଙ୍କ ସ୍ଥାନ‌ରେ ଯଶସ୍ବୀ ଜୟସ୍ବାଲ ପାଳି ଆରମ୍ଭ କରିଥିଲେ। ସେ ଓ ଅଧିନାୟକ ଶୁବମନ ପ୍ରଥମ ୱିକେଟ୍‌ରେ ୬୭ ରନ୍ ଯୋଡ଼ି ଭାରତ ପାଇଁ ଦୃଢ଼ ମୁଳଦୁଆ ପକାଇଥିଲେ। ପ୍ରତିପକ୍ଷ ଅଧିନାୟକ ସିକନ୍ଦର ରାଜା ନବମ ଓଭରର ପ୍ରଥମ ବଲ୍‌ରେ ଜୟସ୍ବାଲଙ୍କୁ ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ। ତୃତୀୟ ସ୍ଥାନରେ ଖେଳିଥିବା ଅଭିଷେକ କିନ୍ତୁ ବଡ଼ ପାଳି ଖେଳି ପାରି ନଥିଲେ। ଗିଲ୍‌ କିନ୍ତୁ ଏଥିରେ ବିଚଳିତ ହୋଇ ନଥିଲେ। ଗାଏକ୍ବାଡ୍‌ଙ୍କ ସହ ମିଶି ଗିଲ୍ ଭାରତ ପାଳିକୁ ଆଗେଇ ନେବା ସହ ରନ୍ ସଂଗ୍ରହ ହାରକୁ କମିବାକୁ ଦେଇ ନଥିଲେ। ୩୬ ବଲ୍‌ରୁ ସେ ନିଜ ଅର୍ଦ୍ଧଶତକ ପୂରଣ କରିଥି‌ଲେ। ତେବେ ଗାଏକ୍ବାଡ୍ ଅର୍ଦ୍ଧଶତକ ଠାରୁ ମାତ୍ର ଗୋଟିଏ ରନ୍ ଦୂରରେ ଥାଇ ଦୁର୍ଭାଗ୍ୟଜନକ ଭାବେ ବ୍ଲେସିଂ ମୁଜାରବାନିଙ୍କ ଶିକାର ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ୍ ୭ ବଲ୍‌ରୁ ୧୨ ରନ୍ କରି ଭାରତ ସ୍କୋରକୁ ୧୮୦ ପାର କରାଇ ଦେଇଥ‌ିଲେ। ଜବାବରେ ଜିମ୍ବାୱେ ପୁଣି ଥରେ ଦୁର୍ବଳ ଆରମ୍ଭ କରିଥିଲା। ପାୱାର ପ୍ଲେ ଭିତରେ ୩ ୱିକେଟ୍ ଏବଂ ୩୭ ରନ୍‌ରେ ୪ ୱିକେଟ୍ ହରାଇ ପ୍ରଥମ କିଛି ଓଭର ଭିତରେ ମ୍ୟାଚ୍ ହାତଛଡ଼ା କରିଥିଲା। ଫଳରେ ଡିଏନ୍ ମେୟର୍ସଙ୍କ ଦ୍ରୁତ ତଥା ଲଢ଼ୁଆ ୬୫ ରନ୍ ସତ୍ତ୍ବେ ବିଜୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଯାଇଥିଲା। ଜୟସ୍ବାଲ, ସାମସନ୍ ଓ ଶିବମ ଦୁବେ ଜିମ୍ବାୱେରେ ପହଞ୍ଚି ସାରିଥିବାରୁ ସାଇ ସୁଦର୍ଶନ, ରିୟାନ ପରାଗ ଓ ଧ୍ରୁବ ଜୁରେଲଙ୍କ ସ୍ଥାନରେ ସେମାନଙ୍କୁ ସୁଯୋଗ ଦେଇଥିଲା ଭାରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe