News8Plus
ହରାରେ: ପ୍ରଥମ ଦିନିକିଆକୁ ୧୫୫ ରନ୍ର ବଡ଼ ବ୍ୟବଧାନରେ ଜିତି ନେଇଥିବା ଭ୍ରମଣକାରୀ ବାଂଲାଦେଶକୁ ଅଲ୍ରାଉଣ୍ଡର ସାକିବ୍ ଅଲ୍ ହାସନ୍ ଶୃଙ୍ଖଳା ବିଜୟ ଭେଟି ଦେଇଛନ୍ତି। ରବିବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ସାକିବ୍ଙ୍କ ଅପରାଜିତ ୯୬ ରନ୍ ବଳରେ ଭ୍ରମଣକାରୀ ଦଳ ୩ ୱିକେଟ୍ରେ ଘରୋଇ ଜିମ୍ବାୱେକୁ ପରାସ୍ତ କରିଦେଇଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ବାଂଲାଦେଶ ଆଗୁଆ ଜିତିନେଇଛି। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ସାକିବ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଟସ୍ ଜିତି ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରିଥିଲା। ମାଧେଭେରେ (୫୬)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅଧିନାୟକ ବ୍ରେଣ୍ଡନ ଟେଲର (୪୬), ଡିଅନ ମୀରସ୍ (୩୪), ସିକନ୍ଦର ରାଜା (୩୦) ଓ ୱିକେଟ୍ରକ୍ଷକ ଚକଭା (୨୬)ଙ୍କ ମୂଲ୍ୟବାନ ଯୋଗଦାନ ବଳରେ ଦଳ ୨୪୦/୯ ସ୍କୋର୍ କରିଥିଲା। ବାଂଲାଦେଶ ପକ୍ଷରୁ ସଫଳ ବୋଲର ଭାବେ ସୋରିଫୁଲ ଇସ୍ଲାମ କ୍ୟାରିୟର ଶ୍ରେଷ୍ଠ ୪ ୱିକେଟ୍ ପାଇଥିଲା ବେଳେ ସାକିବ୍ ୨ ୱିକେଟ୍ ନେଇଥିଲେ।
ଜବାବରେ ଜିମ୍ବାୱେ ମଧ୍ୟ ଭଲ ବୋଲିଂ କରି ଆରମ୍ଭରୁ ବାଂଲା ବ୍ୟାଟ୍ସମ୍ୟାନ୍ଙ୍କୁ ବାନ୍ଧି ରଖିଥିଲା। ଫଳରେ ଏକ ସମୟରେ ୧୪୫ ରନ୍ରେ ୬ ୱିକେଟ୍ ହରାଇ ଭ୍ରମଣକାରୀ ଦଳ ସଂଘର୍ଷ କରିଥିଲା। ହେଲେ ସାକିବ୍ (୯୬* ରନ୍, ୧୦୯ ବଲ୍, ୮ ଚୌକା) ଗୋଟିଏ ପଟେ ଅବିଚଳିତ ରହି ମହମୁଦୁଲା (୨୬)ଙ୍କ ସହ ପଞ୍ଚମ ୱିକେଟ୍ରେ ୫୫ ଏବଂ ଅବିଭାଜିତ ଅଷ୍ଟମ ୱିକେଟ୍ରେ ମହମ୍ମଦ ସୈଫୁଦିନ୍ (୨୮*)ଙ୍କ ସହ ୬୯ ରନ୍ ଯୋଡ଼ି ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଭେଟି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ତମିମ ଇକ୍ବାଲ ୨୦, ୱିକେଟ୍ରକ୍ଷକ ଲିଟନ ଦାସ ୨୧ ଓ ଆଫିଫ ହୋସେନ୍ ୧୫ ରନ୍ର ମୂଲ୍ୟବାନ ସହଯୋଗ ଦେଇଥିଲେ। ଦଳ ୪୯.୧ ଓଭରରେ ୨୪୨/୭ କରିନେଇଥିଲା। ଲୁକେ ଜଙ୍ଗ୍ୱେ ଜିମ୍ବାୱେର ସଫଳ ବୋଲର ଭାବେ ୨ ୱିକେଟ୍ ପାଇଥିଲେ।
Follow Us