ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌: ଉତ୍କଳ ପୂର୍ବାଞ୍ଚଳ ବିଜେତା

Advertisment
ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌: ଉତ୍କଳ ପୂର୍ବାଞ୍ଚଳ ବିଜେତା

ଭୁବନେଶ୍ୱର: ଆସନ୍ତା ମାସରେ ହରିଆନାର ରୋହତକ୍‌ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାକୁ ମଙ୍ଗଳବାର ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ ବୁଧବାର ଆଉ ଏକ ଖୁସି ଖବର ମିଳିଛି। ଏହି ଦଳ କିଟ୍‌ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ବିଜେତା ହୋଇଛି। ବୁଧବାର ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ବିନୋବା ଭାବେ ବିଶ୍ୱବିଦ୍ୟାଳୟକୁ ୫୨ ରନ୍‌ରେ ପରାସ୍ତ କରି ଉତ୍କଳ ବିଜେତା ଆଖ୍ୟା ହାସଲ କରିଛି। ଉତ୍କଳ ଦଳ ୩୯.୫ ଓଭରରେ ୨୩୨ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପାର୍ଥସାରଥୀ ନାୟକ ୫୬, ରଞ୍ଜିତ୍‌ ପାଇକରାୟ ୩୪, ପିଣ୍ଟୁ ଶର୍ମା ୩୩ ଓ ସୌଭାଗ୍ୟ ମିଶ୍ର ୩୦ ରନ୍‌ କରିଥିଲେ। ପ୍ରତିପକ୍ଷର ବିକାଶ ସିଂହ ଓ ପିକେ ଗୁପ୍ତା ୨ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ବିନୋବା ଭାବେ ଦଳ ୩୭.୧ ଓଭରରେ ୧୮୦ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ମଣିକାନ୍ତ ୯୨ ରନ୍‌ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ। ବିଜେତା ଦଳର ବାଦଲ ଭୋଇ ୩ ଓ ସୁଭମ୍‌ ନାୟକ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଏହି ବିଜୟ ସହ ଉତ୍କଳ ଦଳ ପୂର୍ବାଞ୍ଚଳ ବିଜେତା ହୋଇଥିଲା ବେଳେ ଭିବିଏସ୍‌ ପୂର୍ବାଞ୍ଚଳ, ଏମ୍‌ଜି କାଶୀ ବିଦ୍ୟାପୀଠ ଓ ବିନୋବା ଭାବେ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ପାଇଥିଲେ।
କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, କେଭିଏସ୍‌ର ଉପଆୟୁକ୍ତ ଡ. କୃଷ୍ଣକାନ୍ତ ବୁଧବାର ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲା ବେଳେ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟର ପର୍ଯ୍ୟବେକ୍ଷକ ଏବଂ ବିସିସିଆଇର ଦୁଇ ମନୋନୟନକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe