ଇଣ୍ଡିଜ୍ ଶୃଙ୍ଖଳାରେ କୋହଲି-ବୁମ୍‌ରାଙ୍କୁ ବିଶ୍ରାମ

Advertisment
ଇଣ୍ଡିଜ୍ ଶୃଙ୍ଖଳାରେ କୋହଲି-ବୁମ୍‌ରାଙ୍କୁ ବିଶ୍ରାମ

ମୁମ୍ବାଇ: ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବ। ତେବେ ଉଭୟ ଏହି ଦଳ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିବେ। ପ୍ରଥମ ଥର ପାଇଁ ଖେଳା ଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ପ୍ରତିଯୋଗିତାର ଅଂଶ ହୋଇଥିବାରୁ ଭାରତ ପୂର୍ଣ୍ଣ କ୍ଷମତାର ସହ ଏହି ଶୃଙ୍ଖଳାକୁ ଓହ୍ଲାଇବ। ଭାରତ-ୱେଷ୍ଟଇଣ୍ଡିଜ୍ ସୀମିତ ଓଭର ଶୃଙ୍ଖଳାରେ ତିନିଟି ଲେଖାଏଁ ‌ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳାଯିବ। ଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ପର୍ଯ୍ୟାୟ ଲମ୍ବା ବିଶ୍ବକପର ଠିକ୍ ପରେ ପରେ ଆୟୋଜିତ ହେବାକୁ ଥିବାରୁ ଆଉ କିଛି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ବିଶ୍ରାମ ମିଳିପାରେ। ଏହି ଶୃଙ୍ଖଳା ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ। ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଅଗଷ୍ଟ ୨୨ରୁ ଆରମ୍ଭ ହେବ। ଦୁଇଟି ଯାକ ୱେଷ୍ଟଇଣ୍ଡିଜରେ ଖେଳାଯିବ।

ଏହା ପୂର୍ବରୁ ଭାରତ ଅଗଷ୍ଟ ୧୭ରୁ ୧୯ ପର୍ଯ୍ୟନ୍ତ ଏକ ଅଭ୍ୟାସ ମ୍ୟାଚ୍ ଖେଳିବ। ଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ପର୍ଯ୍ୟାୟରୁ ଚୟନକର୍ତା ମଧ୍ୟ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ସଂକ୍ଷିପ୍ତ ଦଳ ବାଛିବେ। ଏହି ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଅଗଷ୍ଟ ୩ ଓ ୪ ତାରିଖରେ ଖେଳାଯିବ। ଅଗଷ୍ଟ ୬ର ତୃତୀୟ ଟ୍ବେଣ୍ଟି-୨୦ ୱେଷ୍ଟଇଣ୍ଡିଜର ଗଏନାରେ ଆୟୋଜିତ ହେବ। ତିନିଟି ଯାକ ଦିନିକିଆ ‌ବି ୱେଷ୍ଟଇଣ୍ଡିଜରେ ଖେଳାଯିବ। ସେହିଭଳି ୱେଷ୍ଟଇଣ୍ଡିଜ୍ ଡିସେମ୍ବରରେ ଭାରତକୁ ପାଲଟା ଗସ୍ତ କରି ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ଖେଳିବ। ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ଡିସେମ୍ବର ୨୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe