ଏଲ୍‌ବ୍ରସ୍‌ ଆରୋହଣରେ ନୃସିଂହ ସଫଳ

ଏଲ୍‌ବ୍ରସ୍‌ ଆରୋହଣରେ ନୃସିଂହ ସଫଳ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଉଦୀୟମାନ ତଥା ସଫଳ ପର୍ବତାରୋହୀ ନୃସିଂହ ଚରଣ ସାହୁ ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ (୫୬୪୨ ମିଟର୍‌ ତଥା ୧୮,୫୧୦ ଫୁଟ) ଆରୋହଣରେ ସଫଳ ହୋଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ କରିଥିବା ଏହି ଅଭିଯାନରେ ଅକ୍ଟୋବର ୨ ତାରିଖରେ ଶେଷ ହୋଇଛି। ଏହି ୧୦ ଦିନିଆ ଦୁଃସାହସିକ ଅଭିଯାନରେ ଦେଶ ବିଦେଶର ବହୁ ପର୍ବତାରୋହୀ ଭାଗ ନେଇଥିଲେ। ସମସ୍ତ ଦୁଃସାହସିକ କ୍ରୀଡ଼ାବିତ୍‌ ସେପ୍ଟେମ୍ବର ୨୯ ତାରିଖ ପୂର୍ବାହ୍ନ ୧୧ଟାରେ ଶିଖରରେ ପହଞ୍ଚିଥିଲେ। ମୋଟ ୧୧ ଘଣ୍ଟାର ଦୁଃସାହସିକ ଯାତ୍ରାରେ ସଫଳ ହୋଇଥିବାରୁ ମୁଁ ଅତି ଖୁସୀ ବୋଲି ସୋମବାର ମସ୍କୋରୁ ‘ସମ୍ବାଦ’ ସହ କଥାହେବା ବେଳେ ପ୍ରକାଶ କରିଥିଲେ ନୃସିଂହ। ନୃସିଂହ ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ। ପୂର୍ବରୁ ସେ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର (୫,୮୯୫ ମିଟର୍‌/୧୯,୩୪୧ ଫୁଟ) ଏବଂ ଜମ୍ମୁ କଶ୍ମୀର ଲେହଠାରେ ଷ୍ଟକ୍‌କାଙ୍ଗ୍ରୀ (୬,୧୫୩ ମିଟର୍‌/୨୦,୧୮୭ ଫୁଟ) ଆରୋହଣ କରି ସାରିଛନ୍ତି। ଭୁବନେଶ୍ୱରର ଶୈଳଶ୍ରୀ ବିହାର ନିବାସୀ ନୃସିଂହ ୭ ମହାଦେଶର ଉଚ୍ଚତମ ଶୃଙ୍ଗ ଆରୋହଣ ଯୋଜନା ରଖିଛନ୍ତି। ଗତବର୍ଷ କିଳିମାଞ୍ଜରୋ ଭଳି ଏଥର ମଧ୍ୟ ନୃସିଂହ ନିଜ ଖର୍ଚରେ ଏଲ୍‌ବ୍ରସ୍‌ ଅଭିଯାନରେ ଯାଇ ସଫଳ ହୋଇଛନ୍ତି। ବୁଧବାର ମଧ୍ୟାହ୍ନରେ ନୃସିଂହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe