କୋଭିଡ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶା ସ୍କେଟିଂ ପରିବାର

Advertisment

Odisha skating family at covid International Film Festival

Odisha skating family at covid International Film Festival

କୋଭିଡ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶା ସ୍କେଟିଂ ପରିବାର

ଭୁବନେଶ୍ବର: ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇ ସାରିଥିବା ଓଡ଼ିଶାର ଏକ ଜଣାଶୁଣା ସ୍କେଟିଂ ପରିବାର ଏବେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଚାଲିଥିବା ବିଶ୍ବବ୍ୟାପୀ ଲକ୍‌ଡାଉନ୍‌ କାରଣରୁ କଳା, କ୍ରୀଡ଼ା, ସଂସ୍କୃତି, ସାହିତ୍ୟ, ଅର୍ଥନୀତି ବିପର୍ଯ୍ୟସ୍ଥ ହୋଇପଡ଼ିଛି। ବିଭିନ୍ନ ବର୍ଗରୁ କ’ଣ ସବୁ ସକାରାତ୍ମକ ଦିଗ ମିଳୁଛି ସେ ବିଷୟବସ୍ତୁ ଉପରେ କୋଭିଡ୍‌-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (ସିଆଇଏଫଏଫ)ର ପରିକଳ୍ପନା କରାଯାଇଥିଲା। ସ୍ଥାଣୁ ଅବସ୍ଥାରେ ଥିବା ବିଶ୍ବର ମୋଟ ୩୫ ଦେଶର ପ୍ରତି‌ଯୋଗୀମାନେ ୨ରୁ ୫ ମିନିଟ୍‌ ଭିତରେ ଭିଡିଓ ପଠାଇଥିଲେ। ଓରିଫାର୍ମିଂ ପକ୍ଷରୁ ଆୟୋଜିତ ଏହି ଫିଲ୍ମ ମହୋତ୍ସବର ସ୍କ୍ରିନିଂ ଓ ଫଳାଫଳ ଘୋଷଣା ମେ’ ୨୭ ତାରିଖରେ ହେବ ବୋଲି ପ୍ରକାଶ କରିଛନ୍ତି ଏହାର ଅନ୍ୟତମ ନିର୍ଦେଶକ ଜଗନ୍ନାଥ ପାଣି। ଏକ ଛୋଟ ଚଳଚ୍ଚିତ୍ର ମାଧ୍ୟମରେ ମହାମାରୀ ଜନିତ ଗୃହାବଦ୍ଧରୁ କ’ଣ ଶିଖିଲେ ତାହାକୁ ଅନ୍‌ଲାଇନ୍ ମାଧ୍ୟମରେ ପ୍ରସାରିତ କରିବାର ଏକ ପ୍ଲାଟ୍‌ ଫର୍ମ ଦିଆଯାଇଥିଲା ବୋଲି କହିଥିଲେ ଏହାର ନିର୍ଦେଶକ ସତ୍ୟବ୍ରତ ଜେନା।

ମେ’ ୨୭ ତାରିଖରେ ଫଳାଫଳ ଘୋଷଣା ହେବାକୁ ଥିଲେ ମଧ୍ୟ ତିନିଟି ଶ୍ରେଷ୍ଠ ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରେ ଓଡ଼ିଶାର ସ୍କେଟିଂ ପରିବାର ଦ୍ବାର ପ୍ରସ୍ତୁତ ‘ପେସେନ୍ସ ଇନ୍ ଲକ୍‌ଡାଉନ୍‌’ ସାମିଲ ରହିଛି। ଅନ୍ୟ ଦୁଇଟି ହେଲା ଆଫଗାନିସ୍ତାନର ‘ବ୍ୟାକ୍‌ ଇନ୍‌ସାଇଡ୍‌’ ଏବଂ ନରୱେର ‘ଗ୍ଲୋବାଲ୍ ଇକୋସ୍‌ ଅଫ୍ ହାପିନେସ୍‌’। ଭାରତର ପ୍ରତିନିଧିତ୍ବ କରୁଥିବା ପେସେନ୍ସ ଇନ୍‌ ଲକ୍‌ଡାଉନ୍‌ରେ ରହିଛନ୍ତି ଓଡ଼ିଶା ସ୍କେଟିଂ ଏକାଡେମିର ମୁଖ୍ୟ ପାର୍ଥ ସାରଥି ଜେନା, ପତ୍ନୀ ସୌଦାମିନି ପାତ୍ର ଏବଂ ସେମାନଙ୍କ ଦୁଇ ଜାତୀୟ ସ୍କେଟିଂ ପଦକ ବିଜେତା ପୁତ୍ର ପ୍ରତୀକ ଅର୍ଣ୍ଣବ ଜେନା ଓ ପ୍ରୀତିଶ ଆର୍ଯ୍ୟନ ଜେନା। ସୌଦାମିନିଙ୍କ ଲିଖିତ ଏହି ଚଳଚ୍ଚିତ୍ରରେ ପାର୍ଥ, ପ୍ରତୀକ ଓ ପ୍ରୀତିଶ ଅଭିନୟ କରିଛନ୍ତି। ଅନୁଷ୍କା ପ୍ରିୟଦର୍ଶିନୀ ନିର୍ଦେଶନା ଦେଇଥିବା ବେଳେ ଶାନ୍ତି ରାଜ ସମ୍ପାଦନା କରିଛନ୍ତି। କ୍ୟାମେରା ଦାୟିତ୍ବ ତୁଲାଇଛନ୍ତି ବିଜେ ସତ୍ୟ। ଓଡ଼ିଶା ରୋଲର୍ ସ୍କେଟିଂ ସଂଘ ଏହାର ପ୍ରଯୋଜନା କରିଛି। ପ୍ରତିଟି ଅସୁବିଧା ନୂଆ ସମ୍ଭା‌ବନା‌ର ଆଲୋକ ଦେଖାଇଥାଏ ବୋଲି ପେସେନ୍ସ ଇନ୍‌ ଲକ୍‌ଡାଉନ୍‌ରେ ପ୍ରତିଫଳିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe