କ୍ରୀଡ଼ାର ଉନ୍ନତି ଲାଗି ସରକାର ପ୍ରତିଶ୍ରୁତିବଦ୍ଧ: କ୍ରୀଡ଼ାମନ୍ତ୍ରୀ

Advertisment
କ୍ରୀଡ଼ାର ଉନ୍ନତି ଲାଗି ସରକାର ପ୍ରତିଶ୍ରୁତିବଦ୍ଧ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ତୁ‌ଷାରକାନ୍ତି ବେହେରା ଶୁକ୍ରବାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହିତ ଆଗାମୀ ଯୋଜନା ଉପରେ ସମୀକ୍ଷା କରିଛନ୍ତି। ଏହି ପ୍ରଥମ ପରିଦର୍ଶନରେ ତାଙ୍କୁ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଭିନୀଲକ୍ରିଷ୍ଣ ଏବଂ ବିଭାଗର ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ କ୍ରୀଡ଼ାର ଉନ୍ନତି ଲାଗି ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ ଅଛନ୍ତି ବୋଲି ନୂଆ ମନ୍ତ୍ରୀ କହିଥିଲେ। ପ୍ରାଥମିକସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ଆମର ପ୍ରମୁଖ ଯୋଜନା ରହିବ। ଏଥିସହ କିଭଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାରୁ ଅଧିକରୁ ଅଧିକ ପ୍ରତିଯୋଗୀ ଭାଗନେବେ ତା’ ଉପରେ ଆମେ କାମ କରିବୁ। ସାରା ରାଜ୍ୟରୁ ନବପ୍ରତିଭାଙ୍କୁ ଚୟନ କରି ସେମାନଙ୍କୁ ପ୍ରଶିକ୍ଷିତ କରିବା ଲାଗି ସରକାର ସହଯୋଗ କରିବେ। ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ଓଡ଼ିଶାର ଏହି ଗୌରବକୁ ବଜାୟ ରଖିବାକୁ ପ୍ରୟାସ କରିବୁ। ବଡ଼ବଡ଼ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ଲାଗି ଅଣ୍ଟା ଭିଡ଼ିବୁ ବୋଲି ନୂଆ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଜୁନ୍‌ ୬ ତାରିଖରୁ ପୁରୁଷ ହକି ସିରିଜ୍‌ ଫାଇନାଲ୍ସ ଆରମ୍ଭ ହେଉଛି। ଏହା ପୂର୍ବରୁ ଫନିରେ କ୍ଷତିଗ୍ରସ୍ତ କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ବିଭାଗର ଅଧିକାରୀ ଏବଂ ସହଯୋଗୀ ସଂସ୍ଥାର ପରିଶ୍ରମ ହିଁ କଳିଙ୍ଗ ଷ୍ଟାଡିୟମକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାରେ ସଫଳ ହୋଇଛି ବୋଲି ମନ୍ତ୍ରୀ କହିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe