ନ୍ୟୁୟର୍କ: ସ୍ବିଜରଲାଣ୍ଡର କିମ୍ବଦନ୍ତୀ ଟେନିସ୍ ତାରକା ରୋଜର ଫେଡେରର ଲଗାତାର ଚତୁର୍ଦଶ ବର୍ଷ ପାଇଁ ବିଶ୍ବର ସର୍ବାଧିକ ଆୟକାରୀ ଟେନିସ୍ ଖେଳାଳି ହୋଇଛନ୍ତି। ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ଧନୀ ଟେନିସ୍ ଖେଳାଳି ତାଲିକାରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ରାଫେଲ ନାଦାଲ ଓ ସର୍ବିୟାର ନୋଭାକ ଜୋକୋଭିକଙ୍କୁ ପଛରେ ପକାଇ ସେ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରି ନେଇଛନ୍ତି। ମୋଟ ଉପରେ କିନ୍ତୁ ଆର୍ଜେଣ୍ଟିନା ଫୁଟବଲ୍ ତାରକା ଲିଓନେଲ୍ ମେସି ପ୍ରଥମ ସ୍ଥାନରେ ରହିଛନ୍ତି। ଫେଡେରରଙ୍କଠାରୁ ସେ ଯଥେଷ୍ଟ ଅଧିକ ଅର୍ଥ ରୋଜଗାର କରିଛନ୍ତି। ମେସିଙ୍କ ବାର୍ଷିକ ରୋଜଗାର ୧୨୭ ନିୟୁତ ଡଲାର ରହିଛି। ୧୦୯ ନିୟୁତ ଡଲାର ରୋଜଗାର ସହ ପର୍ତୁଗାଲର ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଦ୍ବିତୀୟ, ବ୍ରାଜିଲର ନେମାର (୧୦୫ ନିୟୁତ) ତୃତୀୟ ଏବଂ ମେକ୍ସିକୋ ମୁଷ୍ଟିଯୋଦ୍ଧା କ୍ୟାନିଲୋ ଆଲଭାରେଜ୍ (୯୪ ନିୟୁତ) ଚତୁର୍ଥ ସ୍ଥାନରେ ରହିଛନ୍ତି। ଫେଡେରରଙ୍କ ବାର୍ଷିକ ରୋଜଗାର ୯୩.୪ ନିଯୁତ ଡଲାର ଥିଲା ବେଳେ ମୋଟ ଉପରେ ସେ ପଞ୍ଚମ ସ୍ଥାନରେ ରହିଛନ୍ତି। ସର୍ବାଧିକ ଆୟକାରୀ ଟେନିସ୍ ଖେଳାଳି ତାଲିକାରେ ତାଙ୍କ ପଛକୁ ଥିବା ଜୋକୋଭିକ ୫୦.୬ ନିୟୁତ, କେଇ ନିଶିକୋରି ୩୭.୩ ନିୟୁତ ଓ ନାଦାଲ ୩୫ ନିୟୁତ ଡଲାର ରୋଜଗାର କରିଛନ୍ତି। ମହିଳା ଟେନିସରେ ସେରେନା ୱିଲିୟମ୍ସ ପୁଣି ଥରେ ଏକନମ୍ବରରେ ରହିଛନ୍ତି। ତାଙ୍କ ବ୍ୟକ୍ତିଗତ ରୋଜଗାର ହେଉଛି ୨୯.୨ ନିୟୁତ ଡଲାର। ୨୩ଟି ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଥିବା ସେରେନା ଦରମା ବାବଦରେ ମାତ୍ର ୪.୨ ନିୟୁତ ଡଲାର ରୋଜଗାର କରିଛନ୍ତି। ତାଙ୍କ ବିଜ୍ଞାପନ ଆୟ ୨୫ ନିୟୁତ ଡଲାର।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us