ପନ୍ତ୍‌ଙ୍କ ନୂଆ କୀର୍ତ୍ତିମାନ

Advertisment
ପନ୍ତ୍‌ଙ୍କ ନୂଆ କୀର୍ତ୍ତିମାନ

ବେଙ୍ଗାଲୁରୁ: ନିଜ ଆଦର୍ଶ ତଥା କିଂବଦନ୍ତି ଭାରତୀୟ କ୍ରିକେଟର୍‌ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯାହା କରିପାରିନଥିଲେ ଯୁବ ତାରକା ଋଷଭ ପନ୍ତ ତାହା କରି ଦେଖାଇଛନ୍ତି। ପ୍ରଥମ ଭାରତୀୟ ୱିକେଟରକ୍ଷକ ଭାବେ ପନ୍ତ୍‌ ଏକ ଟେଷ୍ଟ୍ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ସଦ୍ୟ ସମାପ୍ତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨୪ ବର୍ଷୀୟ ପନ୍ତ୍‌ ୧୨୦ ଷ୍ଟ୍ରାଇକ୍ ରେଟ୍‌ରେ ୧୮୫ ରନ୍‌ ସଂଗ୍ରହ କରିବା ସହ ୱିକେଟପଛପଟେ ୮ ଡିସମିଶାଲ୍‌ କରିଥିଲେ।

ମୋହାଲିରେ ୯୬ ରନ୍‌ର ଆକର୍ଷଣୀୟ ପାଳି ଏବଂ ଚିନ୍ନାସ୍ବାମୀରେ ୨୮ ବଲ୍‌ ଅର୍ଦ୍ଧଶତକ ତାଙ୍କୁ ଚର୍ଚ୍ଚାରେ ରଖିଛି। ଏଥିସହ ୱିକେଟରକ୍ଷଣରେ ପ୍ରଶଂସନୀୟ ପ୍ରଦର୍ଶନ କରି ମଧ୍ୟ ସମାଲୋଚକଙ୍କ ହୃଦୟ ଜିତିଛନ୍ତି। ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଟ୍ରଫି ଜିତିବା ପରେ ପନ୍ତ୍ ଏବେ ଅଷ୍ଟ୍ରେଲିଆର ଆଦାମ ଗିଲକ୍ରିଷ୍ଟଙ୍କ ସମକକ୍ଷ ହୋଇଛନ୍ତି। ଯିଏକି ନିଜ ଜାଜୁଲ୍ୟମାନ କ୍ରିକେଟ୍‌ ଜୀବନରେ ୩ ଥର ଏହି ସମ୍ମାନ ପାଇଥିଲେ।

୨୦୦୧-୦୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ, ୨୦୦୪-୦୫ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଏବଂ ୨୦୦୫ରେ ଆଇସିସି ବିଶ୍ବ ଏକାଦଶର ସୁପର୍ ସିରିଜ୍‌ରେ ଏହି ଗୌରବ ଅର୍ଜନ କରିଥିଲେ ଗିଲ୍‌କ୍ରିଷ୍ଟ। ଅଧିନାୟକ ରୋହିତ ଶର୍ମା ମଧ୍ୟ ପନ୍ତ୍‌ଙ୍କ ପ୍ରଦର୍ଶନକୁ ନେଇ ବିଶେଷ ପ୍ରଭାବିତ ହୋଇଛନ୍ତି। ‘ପନ୍ତ୍‌ଙ୍କ ବ୍ୟାଟିଂ ହିଁ ତାଙ୍କ ବ୍ୟାଟିଂ, ଆମେ ଜାଣିଛୁ ସେ କିଭଳି ଖେଳନ୍ତି, ତାଙ୍କୁ ‌ସେଭଳି ସ୍ବାଧୀନତା ଦେବା ସହ ମ୍ୟାଚ୍‌ ପରିସ୍ଥିତି ନେଇ ଅବଗତ ମଧ୍ୟ କରାଯାଇଥାଏ। ଆମେ କିନ୍ତୁ ତାଙ୍କ ଖେଳ ଯୋଜନାକୁ ସମର୍ଥନ କରି ଆସିଛୁ’ ବୋଲି ରୋହିତ ପ୍ରକାଶ କରିଛନ୍ତି।

ରୋହିତଙ୍କ ନେତୃତ୍ବକୁ ପ୍ରଶଂସା

ବିରାଟ କୋହଲିଙ୍କଠାରୁ ଭାରତୀୟ ଦଳର ନେତୃତ୍ବ ଭାର ସମ୍ଭାଳିବାର ମାତ୍ର ୬ ମାସ ଭିତରେ ରୋହିତ ଶର୍ମା ପୂର୍ବତନ କ୍ରିକେଟର୍‌ ଓ କ୍ରିକେଟ୍ ପଣ୍ଡିତଙ୍କଦ୍ବାରା ପ୍ରଶଂସିତ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ବିଜୟ ସହ ଭାରତ ମଧ୍ୟ ତାଙ୍କ ଅଧିନରେ କ୍ରମାଗତ ପଞ୍ଚମ ଶୃଙ୍ଖଳା ସଫଳତା ପାଇଛି। ୩୪ ବର୍ଷୀୟ ରୋହିତ ସମସ୍ତ ଫର୍ମାଟରେ ୧୪ ମ୍ୟାଚ୍‌ ନେତୃତ୍ବ ନେଇ ଅପରାଜେୟ ମଧ୍ୟ ରହିଛନ୍ତି। ରୋହିତଙ୍କ ଭିନ୍ନ ନେତୃତ୍ବ ଢଙ୍ଗ ପ୍ରଶଂସା ସାଉଁଟିଛି। ଭାଷ୍ୟକାର ହର୍ଷ ଭୋଗଲେ କହିଛନ୍ତି, ‘ରୋହିତଙ୍କୁ ସ୍ବତନ୍ତ୍ର କହିହେବ।

ଖେଳାଳିଙ୍କ ସହ ସବୁବେଳେ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କୁ ସୁଯୋଗ ମଧ୍ୟ ଦେଉଛନ୍ତି। ସେ ଅଧିକ ସହାନୁଭୂତିର ହକ୍‌ଦାର। ବିରାଟ କୋହଲିଙ୍କ ଭଳି ସେ ଆକ୍ରମଣାତ୍ମକ ଦୃଶ୍ୟମାନ ହେଉଛନ୍ତି କି ନା ମୁଁ କହିପାରିବିନି, କିନ୍ତୁ ସେ ନିଶ୍ଚିତ ଭାବେ ଭିନ୍ନ ସ୍ବାଦର’। ରୋହିତଙ୍କ ଅଧିନରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ମୁକୁଟ ଜିତିଛି। ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ, ରବିଚନ୍ଦ୍ରନ୍‌ ଅଶ୍ବିନ ପ୍ରମୁଖ ମଧ୍ୟ ରୋହିତଙ୍କୁ ପ୍ରଶଂସା କରିଛନ୍ତି। ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ‌ହେବା ପରେ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡ୍‌କୁ ୩-୦, ୱେଷ୍ଟଇଣ୍ଡିଜ୍‌କୁ ୩-୦ରେ ଏବଂ ଶ୍ରୀଲଙ୍କାକୁ ୩-୦ରେ ପରାସ୍ତ କରିଥିବା ବେଳେ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୩-୦ ଏବଂ ଟେଷ୍ଟରେ ଶ୍ରୀଲଙ୍କାକୁ ୨-୦ରେ ହାରାଇଛନ୍ତି। ‘ମୋତେ ଦଳ ଭିତରୁ ଭଲ ସମର୍ଥନ ମିଳୁଛି, ବରିଷ୍ଠ ଖେଳାଳିଙ୍କ ଉପଦେଶ କାମରେ ଲାଗୁଛି’ ବୋଲି ରୋହିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe