ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ୍‌ଠୁ ହାରିଲେ ଭାରତ ମହିଳା: ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ମିତାଲିଙ୍କ ୧୦୦୦ ରନ୍‌

Advertisment
ମିତାଲିଙ୍କ ଆନ୍ତର୍ଜାତିକ ଅବସର: ‘ କ୍ରିକେଟ୍‌ ସହ ସମ୍ପୃକ୍ତି ରହିବ’

The Indian Express

କୁଇନ୍‌ସଟାଉନ୍‌: ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳର ପରାଜୟ ଧାରା ଜାରି ରହିଛି। ଗତ ବୁଧବାର ନ୍ୟୁଜିଲାଣ୍ଡ୍‌ ନିକଟରୁ ଏକମାତ୍ର ଟି-୨୦କୁ ୧୮ ରନ୍‌ରେ ହାରି ଯାଇଥିବା ଭାରତ ଶନିବାର ପ୍ରଥମ ଦିନିକିଆକୁ ୬୨ ରନ୍‌ରେ ହାରିଯାଇଛି। ଓପ୍‌ନର ସୁଜି ବେଟ୍‌ସଙ୍କ ଶତକୀୟ ପାଳି ପରେ ଜେସ୍‌ କେର୍‌ଙ୍କ ୪ ୱିକେଟ୍‌ ସଫଳତା ହିଁ ଘରୋଇ ନ୍ୟୁଜିଲାଣ୍ଡ୍‌ ବିଜୟରେ ପ୍ରମୁଖ ଭୂମିକା ନେଇଥିଲା। ଆଶା ଅନୁଯାୟୀ ସୁଜି ବେଟ୍‌ସ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ର ଅଗ୍ରଣୀ ପାଇଯାଇଛି।

ଟି-୨୦ ଭଳି ପ୍ରଥମ ଦିନିକିଆରେ ମଧ୍ୟ ଟସ୍‌ ଜିତି ଭାରତ ଅଧିନାୟିକା ମିତାଲି ରାଜ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହେଲେ ବେଟ୍‌ସ (୧୦୬ ରନ୍‌, ୧୧୧ ବଲ୍‌, ୧୦ ଚୌକା) ଚମତ୍କାର ବ୍ୟାଟିଂ କରି ନିଜର ଏକାଦଶ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ବ୍ୟତୀତ ସାଟର୍ଥୱେଟ୍‌ (୬୩ ରନ୍‌, ୬୭ ବଲ୍‌, ୪ ଚୌକା) ଅର୍ଦ୍ଧଶତକ ଜମାଇବା ସହିତ ବେଟ୍‌ସଙ୍କ ସହ ଚତୁର୍ଥ ୱିକେଟ୍‌ରେ ୯୮ ରନ୍ ଯୋଡ଼ିଥିଲେ। ତେବେ ଭାରତୀୟ ବୋଲରଙ୍କ ବିଳମ୍ବିତ ସଫଳତା ଯୋଗୁଁ ଏକଦା ୨୨୨ ରନ୍‌ରେ ୩ ୱିକେଟ୍‌ ହରାଇଥିବା ନ୍ୟୁଜିଲାଣ୍ଡ୍‌ ଶେଷ ୮ ଓଭରରେ ୫୩ ରନ୍ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇ ଦେଇଥିଲା। ଝୁଲଣ ଗୋସ୍ବାମୀ (୧୦-୦-୫୮-୨), ପୂଜା ଭସ୍ତ୍ରକାର (୯-୦-୫୫-୨), ରାଜେଶ୍ବରୀ ଗାଏକ୍ବାଡ (୭.୧-୦-୨୮-୨) ଏବଂ ଦୀପ୍ତି ଶର୍ମା (୮-୦-୪୭-୨) ମିଳିତ ଭାବେ ୮ ୱିକେଟ୍‌ ବାଣ୍ଟି ନେବାରୁ ଘରୋଇ ଦଳ ୪୮.୧ ଓଭରରେ ୨୭୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

ଜବାବରେ ଅଧିନାୟିକା ମିତାଲି (୫୯ ରନ୍‌, ୭୩ ବଲ୍‌, ୬ ଚୌକା)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ୟାସ୍ତିକା ଭାଟିଆ (୪୧ ରନ୍‌, ୬୩ ବଲ୍‌, ୪ ଚୌକା), ପୂଜା (୨୩ ରନ୍‌, ୨୯ ବଲ୍‌, ୩ ଚୌକା), ରିଜା ଘୋଷ (୨୨ ରନ୍‌, ୨୭ ବଲ୍‌, ୧ ଛକା), ଦୀପ୍ତି ଶର୍ମା (୧୬ ରନ୍‌, ୨୪ ବଲ୍‌), ଝୁଲଣ (୧୩ ରନ୍‌, ୨୧ ବଲ୍‌, ୧ ଚୌକା) ଓ ହର୍ମନପ୍ରିତ୍‌ କୌର (୧୦ ରନ୍‌, ୨୨ ବଲ୍‌) ଲଢ଼ିଥିଲେ ମଧ୍ୟ ଭାରତ ପାଳି ୪୯.୪ ଓଭରରେ ୨୧୩ରେ ଶେଷ ହୋଇଯାଇଥିଲା। ଜେସ୍‌ କେର୍‌ଙ୍କ ବ୍ୟତୀତ ହାଲେ ଜେନ୍‌ସନ୍‌ ୨ ଏବଂ ଲି ତାହୁହୁ, ଅଧିନାୟିକା ସୋଫି ଦେବିନେ, ହାନା ରୋୱେ ଓ ଆମେଲିଆ କେର୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଅଧିନାୟିକା ମିତାଲି ରାଜ ଆଜିର ମ୍ୟାଚ୍‌ରେ ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୫୯ ରନ୍‌ କରିଥିଲେ। ଭାରତ ଏହି ମ୍ୟାଚ୍‌ ହାରିଯାଇଥିଲା ବେଳେ ମିତାଲି କିନ୍ତୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୧୦୦୦ ଦିନିକିଆ ରନ୍‌ କରିବାର ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ନିଜର ୨୨୧ତମ ଦିନିକିଆ ଖେଳିଥିବା ମିତାଲି ତାଙ୍କର ଶେଷ ୧୧ ପାଳିରୁ ସପ୍ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ପାଳି ଅବସରରେ ସେ ଚାର୍ଲୋଟେ ଏଡ୍‌ୱାର୍ଡସଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ୪ ଭିନ୍ନ ଭିନ୍ନ ଦଳ (ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ୍‌) ବିପକ୍ଷରେ ମିତାଲି ୧୦୦୦ ଦିନିକିଆ ରନ୍‌ ପୂରଣ କରିବାର ଗୌରବ ବହନ କରିବାରେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe