ADELAIDE, AUSTRALIA - DECEMBER 05: Virat Kohli of India speaks to the media during a press conference held prior to an Indian training session at Adelaide Oval on December 5, 2018 in Adelaide, Australia. (Photo by Daniel Kalisz/Getty Images)
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚଳିତ ବିଶ୍ବକପ୍ ସେମିଫାଇନାଲ୍ରୁ ବିଦାୟ ନେଲା। ଗ୍ରୁପ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସହ ଶୀର୍ଷ ସ୍ଥାନ ଅକ୍ତିଆର କରିଥିବା ଭାରତ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ନିକଟରୁ ହାରି ୧୨୫ କୋଟି ଦେଶବାସୀଙ୍କ ହୃଦୟ ଦୋହଲାଇଦେଲା। ଦଳର ପରାଜୟକୁ ନେଇ ଏବେ ସାରା ଦେଶରେ ସମାଲୋଚନା ଥମୁନାହିଁ। ଏପରିସ୍ଥଳେ ଦଳର ସେମିଫାଇନାଲ୍ ପରାଜୟ ସାଙ୍ଗକୁ ବିଶ୍ବକପ୍ ପ୍ରଦର୍ଶନକୁ ନେଇ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ସମୀକ୍ଷା କରିବ। ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ସିଓଏର ସମୀକ୍ଷା ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏପରିକି ପରବର୍ତୀ ବଡ଼ ପ୍ରତିଯୋଗିତା ପାଇଁ ମନୋନୟନ ପ୍ରକ୍ରିୟା ଉପରେ ନଜର ରଖାଯିବ ବୋଲି ସିଓଏ କହିଛି। ବିନୋଦ ରୟଙ୍କ ଅଧ୍ୟକ୍ଷତାରେ ଗଠିତ ସିଓଏ ସଦସ୍ୟ ଡାଏନା ଏଡୁଲ୍ଜୀ ଓ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ରବି ଥୋଡ୍ଗେ ମଧ୍ୟ ଚୟନ ସମିତି ଅଧ୍ୟକ୍ଷ ଏମ୍ଏସ୍କେ ପ୍ରସାଦଙ୍କ ସହ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଦଳର ଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା କରିବେ।
ଉଭୟ ପ୍ରଶିକ୍ଷକ ଓ ଅଧିନାୟକ ବିରତିରୁ ଫେରିବା ପରେ ଆମେ ତୁରନ୍ତ ସେମାନଙ୍କ ସହ ସମୀକ୍ଷା ବୈଠକ କରିବୁ। ସେଥିପାଇଁ ମୁଁ ନିର୍ଦିଷ୍ଟ ତାରିଖ ଓ ସମୟ ସ୍ଥିର କରିନି, ହେଲେ ସେମାନଙ୍କୁ ଆମେ ଏନେଇ ଜଣାଇଦେବୁ। ଏହା ବ୍ୟତୀତ ଚୟନ ସମିତି ମୁଖ୍ୟଙ୍କୁ ମଧ୍ୟ ଆଲୋଚନା ପାଇଁ ଡାକିବୁ ବୋଲି ସିଙ୍ଗାପୁରରୁ ବିନୋଦ ରାୟ କହିଛନ୍ତି। କୋହଲି ଓ ତାଙ୍କ ଦଳ ରବିବାର ମୁମ୍ବାଇରେ ପହଞ୍ଚିବେ। ଏହାପରେ ବୈଠକ ନେଇ ସ୍ଥିର କରାଯିବ ବୋଲି କହିବା ସାଙ୍ଗକୁ ସିଓଏ ମୁଖ୍ୟ ସମୀକ୍ଷା ବୈଠକ ସଂପର୍କରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି। ବିଶ୍ବକପ୍ରୁ ଭାରତର ଅଭିଯାନ ସେମିଫାଇନାଲ୍ ପରାଜୟ ସହ ଶେଷ ହୋଇଛି। କିପରି, କେତେବେଳେ ଏବଂ କେଉଁଠି ଏଭଳି ପ୍ରଶ୍ନଗୁଡ଼ିକର ଉତ୍ତର ଏବେ ମୁଁ ଦେଇପାରିବି ନାହିଁ ବୋଲି ରାୟ କହିଛନ୍ତି। ହେଲେ ଶାସ୍ତ୍ରୀ, କୋହଲି ଏବଂ ଚୟନ ସମିତି ମୁଖ୍ୟଙ୍କୁ ନେଇ ସ୍ବଳ୍ପ କିଛି ପ୍ରଶ୍ନ ଉଙ୍କି ମାରୁଥିବା ସେ କହିଛନ୍ତି। ଅମ୍ବାତି ରାୟୁଡୁଙ୍କ ସଂପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି। ଯଦି ବିଶ୍ବକପ୍ ଦଳରେ ବିଶେଷକରି ୪ ନମ୍ବର ସ୍ଥାନ ପାଇଁ ରାୟୁଡୁ ଯୋଗ୍ୟନଥିଲେ, ତେବେ କାହିଁକି ତାଙ୍କୁ ବିଶ୍ବକପ୍ ପୂର୍ବ ଶେଷ ଶୃଙ୍ଖଳା (ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ) ପର୍ଯ୍ୟନ୍ତ ଝୁଲାଇ ରଖାଯାଇଥିଲା ସେନେଇ ଦଳୀୟ କର୍ତ୍ତୃପକ୍ଷ ଜବାବ ଦେବେ। ରାୟୁଡୁ ବିଶ୍ବକପ୍ ଦଳରେ ଷ୍ଟାଣ୍ଡ୍ ବାଇ ରହିଥିଲେ। ଖେଳାଳିଙ୍କ ଆହତ ସତ୍ତ୍ବେ ତାଙ୍କୁ ଇଂଲଣ୍ଡ ଟିକେଟ ମିଳିନଥିଲା। ଯେଉଁଥିପାଇଁ ଅଭିମାନରେ ସେ କ୍ରିକେଟ୍ରୁ ଅବସର ନେଇଗଲେ। ସମୀକ୍ଷା ବୈଠକରେ ଏହି ପ୍ରସଙ୍ଗ ଉଠାଯିବା ସାଙ୍ଗକୁ ବିଶ୍ବକପ୍ ଦଳରେ ତିନି ଜଣ ୱିକେଟ୍ରକ୍ଷକ ସାମିଲ ହେବା ଆଉ ଏକ ପ୍ରସଙ୍ଗ ରହିବ। ବିଭିନ୍ନ ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ ଓ ଋଷବ ପନ୍ତ ଖେଳିଥିଲେ। ବିଶେଷକରି ଦୀର୍ଘ ବର୍ଷ ଧରି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ଆଦୌ ଭଲ ପ୍ରଦର୍ଶନ ନକରିବା ସତ୍ତ୍ବେ ଦୀନେଶ କାର୍ତିକଙ୍କୁ ବିଶ୍ବକପ୍ ସୁଯୋଗ ମିଳିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ସେମିଫାଇନାଲ୍ରେ ଧୋନିଙ୍କ ବ୍ୟାଟିଂକ୍ରମକୁ ନେଇ ମଧ୍ୟ ହେଉଥିବା ସମାଲୋଚନା ମଧ୍ୟ ସମୀକ୍ଷା ବୈଠକର ତୃତୀୟ ପ୍ରସଙ୍ଗ ରହିବ ବୋଲି ରାୟ କହିଛନ୍ତି। ୨୪୦ ରନ୍ର ପିଛା କରୁଥିବା ଭାରତୀୟ ଦଳ ଏକ ସମୟରେ ୫/୩ରେ ସଂଘର୍ଷ କରୁଥିଲା ବେଳେ କାହିଁକି ଧୋନିଙ୍କୁ ସପ୍ତମ ସ୍ଥାନରେ ପଠାଗଲା ସେନେଇ ଦଳୀୟ କର୍ତ୍ତୃପକ୍ଷ ଜବାବ ରଖିବେ। ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ହିଁ ଧୋନିଙ୍କ ସ୍ଥାନ ସ୍ଥିର କରିଥାନ୍ତେ ଏବଂ ଶାସ୍ତ୍ରୀ ତାଙ୍କ ନିଷ୍ପତ୍ତି ଶୁଣାଇଥାନ୍ତେ। ହେଲେ ଉଭୟଙ୍କ ପାଇଁ କେଉଁଠି ଅସୁବିଧା ରହିଥିଲା ତାକୁ ନେଇ ସମୀକ୍ଷା କରାଯିବ।
Follow Us