ନୂଆଦିଲ୍ଲୀ: ଡ. କର୍ନି ସିଂହ ସୁଟିଂ ରେଞ୍ଜ୍ରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍ରେ ଗୁରୁବାର ଭାରତକୁ ମହିଳା ଦଳଗତ ବର୍ଗରେ ୨ଟି ପଦକ ମିଳିଯାଇଛି। ୨୫ ମିଟର ଦଳଗତ ପିସ୍ତଲ ବର୍ଗରେ ଭାରତୀୟ ମହିଳା ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା ବେଳେ ୫୦ ମିଟର ରାଇଫଲ ୩ ପୋଜିସନ୍ରେ ରୌପ୍ୟ ପଦକ ଜିତିଛି। ଭାରତର ଦକ୍ଷ ତ୍ରିରଥୀ ଚିଙ୍କି ଯାଦବ, ମନୁ ଭାକେର ଓ ରାହି ସର୍ନୋବତଙ୍କୁ ନେଇ ଗଠିତ ୨୫ ମିଟର ଦଳ ମୋଟ ୧୭ ପଏଣ୍ଟ ସ୍କୋର୍ କରିବା ସହିତ ଜାଓନ୍ନା ଈୱନା ୱାରଜୋନୋସ୍କି, ଜୁଲିତା ବୋରେକ ଓ ଅଗ୍ନିସ୍କା କୋରେଜ୍ୟୋଙ୍କୁ ନେଇ ଗଠିତ ପୋଲାଣ୍ଡ୍ (୭ ପଏଣ୍ଟ୍) ଦଳକୁ ରୌପ୍ୟରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ କରିଥିଲା। ବୁଧବାର ଏହି ତିନି ଜଣ ସବୁ ପଦକ ପୋଛିନେବାର ଦିନକ ପରେ ଗୁରୁବାର ସ୍ବର୍ଣ୍ଣ ଉପରେ କବ୍ଜା କରିନେଇଛନ୍ତି। ଏହି ସ୍ବର୍ଣ୍ଣ ହାସଲ ପରେ ଭାରତ ମଧ୍ୟ ମୋଟ ୨୧ ପଦକ (୧୦ ସ୍ବର୍ଣ୍ଣ, ୬ ରୌପ୍ୟ, ୫ କାଂସ୍ୟ) ଜିତି ତାଲିକାର ଶୀର୍ଷ ସ୍ଥାନ ଦୃଢ଼ କରିନେଇଛି। ଏହା ପୂର୍ବରୁ ଗୁରୁବାର ଅଞ୍ଜୁମ ମୁଦ୍ଗିଲ, ଶ୍ରେୟା ସାକ୍ସେନା ଓ ଗାୟତ୍ରୀ ନିତ୍ୟାନନ୍ଦମଙ୍କୁ ନେଇ ଗଠିତ ଭାରତୀୟ ୫୦ ମିଟର ରାଇଫଲ ଥ୍ରି ପୋଜିସନ୍ ଦଳ ରୌପ୍ୟ ପଦକ ଜିତିଥିଲା। ଭାରତୀୟ ଦଳ ଫାଇନାଲ୍ରେ ୪୩-୪୭ରେ ପୋଲାଣ୍ଡଠୁ ହାରିଯାଇଥିଲା। ଅନେତା ଷ୍ଟାଙ୍କିୱିଜ୍, ଆଲେକ୍ସାନ୍ଦ୍ରା ଜୁଟ୍କୋ ଓ ନାତାଲିଆ କୋଚାନ୍ସ୍କାଙ୍କୁ ନେଇ ଗଠିତ ପୋଲାଣ୍ଡ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ଇଣ୍ଡୋନେସିଆ କାଂସ୍ୟ ଜିତିଥିଲା।
ତେବେ ଭାରତ ଓ ହଙ୍ଗେରି ମଧ୍ୟରେ ଖେଳାଯିବାକୁ ଥିବା ଏହି ବର୍ଗର ପୁରୁଷ ଫାଇନାଲ୍ ସ୍ଥଗିତ ରହିଥିଲା। ହଙ୍ଗେରି ଦଳରେ ଅନ୍ତଃକନ୍ଦଳ ଦେଖାଦେବାରୁ ଦଳ ଓହରି ଯାଇଥିଲା। ଶୁକ୍ରବାର ଏହି ବର୍ଗର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏଥିରେ ତୃତୀୟ ସ୍ଥାନରେ ଆମେରିକା ସହ ଭାରତର ମୁକାବିଲା ହେବ।
ବନ୍ଧୁକଚାଳନା ବିଶ୍ବକପ୍: ମହିଳା ଦଳଗତରେ ଭାରତକୁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ
Advertisment
Follow Us