ଭାରତକୁ ମିଳିଲା ଓଡ଼ିଶା ଶୁ‌ଭେଚ୍ଛା, ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଭୁବନେଶ୍ବରରୁ ନାପୋଲି ଯାତ୍ରା

ଭାରତକୁ ମିଳିଲା ଓଡ଼ିଶା ଶୁ‌ଭେଚ୍ଛା, ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଭୁବନେଶ୍ବରରୁ ନାପୋଲି ଯାତ୍ରା

ଭୁବନେଶ୍ବର: ଇଟାଲିର ନାପୋଲିଠାରେ ଆୟୋଜିତ ହେବାକୁ ଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଶନିବାର ସେଠାକୁ ୬୧ ଜଣିଆ (୫୧ ଖେଳାଳି, ୧୦ ଅଧିକାରୀ) ଭାରତୀୟ ଦଳ ଭୁବନେଶ୍ବରରୁ ଯାତ୍ରା କରିଛି। ଶନିବାର ରାତିରେ ଭାରତୀୟ ଦଳ ଦିଲ୍ଲୀ ପହଞ୍ଚିବା ପରେ ‌ରବିବାର ସକାଳେ ନାପୋଲି ଅଭିମୁଖେ ବାହାରିବ। ଏହି ଦଳରେ ତାରକା ଧାବିକା ଦୂତି ଚାନ୍ଦଙ୍କ ସହ କିଟ୍ ବିଶ୍ବବିଦ୍ୟାଳୟର ତିନି ଜଣ କ୍ରୀଡ଼ା ଅଧିକାରୀ ଗଗନେନ୍ଦୁ ଦାସ (କ୍ରୀଡ଼ା ନିର୍ଦେଶକ), ରୁଦ୍ରକେଶ ଜେନା (ସହକାରୀ କ୍ରୀଡ଼ା ନିର୍ଦେଶକ) ଓ ସଞ୍ଜୟ ଗଡ଼ନାୟକ (ମୁଖ୍ୟ ଆଥଲେଟି୍ ପ୍ରଶିକ୍ଷକ) ସ୍ଥାନ ପାଇଛନ୍ତି। ଦୂତି ୧୦୦, ୨୦୦ ଏବଂ ୪ ଗୁଣା ୧୦୦ ରିଲେ ଦୌଡ଼ରେ ଭାରତର ପ୍ରତିନିଧିତ୍ବ କରିବେ। ଅନ୍ୟପକ୍ଷରେ ଗଗନେନ୍ଦୁ, ଭାରତୀୟ ଦଳର ଉପମୁଖ୍ୟ, ରୁଦ୍ର, ଅଧିକାରୀ ଏବଂ ସଞ୍ଜୟ, ଭାରତୀୟ ଦୌଡ଼କୁଦ ଦଳର ନେତୃତ୍ବ ନେବେ। ଦୂତି ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳର ପତାକା ଧରିବେ। ଏହି ସମ୍ମାନଜନକ କ୍ରୀଡ଼ା ଲାଗି ଏପ୍ରିଲ ୨ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଓ ଚୟନ ଶିବିର ଆୟୋଜିତ ହୋଇଥିଲା। ଶନିବାର ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭାରତୀୟ ଦଳର ଖେଳାଳି ଏବଂ ଅଧିକାରୀମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଏବଂ ଦୂତିଙ୍କୁ ଶ୍ରୀ ସାମନ୍ତ ସମ୍ବର୍ଧିତ କରିଥିଲେ। ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ଏସିଆ ରଗ୍‌ବି ମହିଳା ପ୍ରତିଯୋଗିତା (ଡିଭିଜନ୍-୧, ଫିଫଟିସ୍ ‌ଏ ସାଇଡ୍)ରେ ଭାରତକୁ ପ୍ରଥମ ଅନ୍ତର୍ଜାତୀୟ ବିଜୟ ଉପହାର ଦେଇଥିବା କିସ୍‌ର ପାଞ୍ଚ ଜଣ ଖେଳାଳି ସୁମିତ୍ର ନାୟକ, ହୁପି ମାଝୀ, ମିରାରାଣୀ ହେମ୍ବ୍ରମ୍, ରଜନୀ ଶବର ଓ ପାର୍ବତୀ କିସ୍କୁଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ସହକାରୀ କ୍ରୀଡ଼ା ନିର୍ଦେଶକ ରଶ୍ମିତା ମହାନ୍ତି ଏବଂ କିଟ୍ ଓ କିସ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଶ୍ରୀ ସାମନ୍ତ ଭାରତୀୟ ପ୍ରତିଯୋଗୀଙ୍କ ସଫଳତା କାମନା କରିବା ସହ କିଟ୍ ଓ କିସ୍‌ କ୍ରୀଡ଼ାକୁ ସବୁବ‌େଳେ ମହତ୍ବ ଦେଇ ଆସିଛନ୍ତି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି କହିଥିଲେ। ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ଜିତିବା ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ ବୋଲି ଦୂତି ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe