New Indian Express
ନୂଆଦିଲ୍ଲୀ: ୟୁଏଇରୁ ଭାରତୀୟ କ୍ରିକେଟ ଦଳ ସିଧା ଅଷ୍ଟ୍ରେଲିଆ ଗସ୍ତରେ ବାହାରିବ। ବର୍ତ୍ତମାନ ୟୁଏଇରେ ଆଇପିଏଲ୍ ଚାଲିଥିଲା ବେଳେ ଯେଉଁମାନେ ଏହି ପ୍ରତିଯୋଗିତାରେ ସାମିଲ ନାହାନ୍ତି ସେମାନଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ସେଠାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶିକ୍ଷକ ରବି ଶାସ୍ତ୍ରୀ, ଚେତେଶ୍ବର ପୂଜାରା, ହନୁମା ବିହାରୀ ଓ ଅନ୍ୟମାନଙ୍କୁ ୟୁଏଇରେ ବିସିସିଆଇ ପକ୍ଷରୁ ଅଲଗା ଜୈବ ବଳୟରେ ରଖାଯିବ। ଅଷ୍ଟ୍ରେଲିଆରେ ଦଳର ଲମ୍ବା ସଙ୍ଗରୋଧ ଅବଧିକୁ ଏଡ଼ାଇବା ପାଇଁ ବିସିସିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ୟୁଏଇରୁ ନଭେମ୍ବର ୧୨ କିମ୍ବା ୧୩ ତାରିଖରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ବାହାରିବ। ଅଷ୍ଟ୍ରେଲିଆରେ ଭାରତୀୟ ଦଳ କେଉଁଠାରେ ରହିବ ତାହା ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏପରିକି ଏହି ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆ କୌଣସି ସ୍ଥାନ କିମ୍ବା ଔପଚାରିକ ସୂଚୀ ଘୋଷଣା କରିନାହିଁ। ତଥାପି ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ଚାରୋଟି ଭିନ୍ନ ସ୍ଥାନରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ। ସବୁସ୍ଥାନରେ ଦର୍ଶକ ଉପସ୍ଥିତ ରହିବେ। ଯଦିଓ ଦର୍ଶକଙ୍କ ସଂଖ୍ୟା କମ୍ ରହିବ, ତଥାପି ଦର୍ଶକଙ୍କୁ ଗ୍ୟାଲେରିକୁ ଯିବା ପାଇଁ ଅନୁମତି ରହିବ ବୋଲି ଜଣାପଡ଼ିଛି।
Follow Us