କଳା କୃଷି ଆଇନ ପ୍ରତ୍ୟାହାର ଦାବି, ଦିଲ୍ଲୀ ଗଲେ ଓଡ଼ିଶାର ୫୦୦ କୃଷକ

Advertisment
କଳା କୃଷି ଆଇନ ପ୍ରତ୍ୟାହାର ଦାବି, ଦିଲ୍ଲୀ ଗଲେ ଓଡ଼ିଶାର ୫୦୦ କୃଷକ

ଭୁବନେଶ୍ୱର : କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡ଼ିଶାରୁ ପାଖାପାଖି ୫୦୦ ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଲୋୟର ପିଏମ୍‌ଜିରେ ଏ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବରିଷ୍ଠ କୃଷକ ନେତା ଓ ସଂଗଠନର ଉପଦେଷ୍ଟା ରବି ଦାସ ଉଦ୍‌ବୋଧନ ଦେଇ କହିଥିଲେ ଯେ ଚାଷୀ ଆନ୍ଦୋଳନରେ ଓଡ଼ିଶା ଚାଷୀମାନଙ୍କର ଯୋଗଦାନ ଏହି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି କହିଥିଲେ।

ଏଥିରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ କେନ୍ଦ୍ର ସରକାର ଆଲୋଚନା ନାଁରେ ତାରିଖ ଗଡ଼ାଇ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି, ତାହା କେବେ ସଫଳ ହେବ ନାହିଁ। ଲମ୍ବା ଲଢ଼େଇରେ ଚାଷୀମାନଙ୍କ ଐତିହାସିକ ବିଜୟ ହେବ। ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ବିଷ ଲଡୁ ଧରି ମୂଷାଙ୍କୁ ଯେମିତି ମରାଯାଏ, ସେମିତି କଳା କାନୁନ ମାଧ୍ୟମରେ କେନ୍ଦ୍ର ସରକାର ଚାଷୀଙ୍କୁ ମାରିବା ପାଇଁ ଅଭିଯାନ ଚଳାଇଛନ୍ତି। ଏହାର ଦୃଢ଼ ଜବାବ ଦେବା ପାଇଁ ଓଡ଼ିଶାର ଚାଷୀମାନେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଗୋଟିଏ ଦୁଇଟି ରାଜ୍ୟର ଆନ୍ଦୋଳନ ନୁହେଁ ବୋଲି ଓଡ଼ିଶା ଲୋକେ ଦିଲ୍ଲୀରେ ପହଞ୍ଚି ପ୍ରମାଣ କଲେଣି। ଚାଷୀ ଆନ୍ଦୋଳନର ନିଆଁକୁ କେନ୍ଦ୍ର ସରକାର ଭବିଷ୍ୟତରେ ରୋକିପାରିବେ ନାହିଁ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ, ଉମାକାନ୍ତ ଭାରତ ଓ ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ ଯୋଗ ଦେଇଥିଲେ। ଓଡ଼ିଶା ଚାଷୀଙ୍କ ଏହି ଯାତ୍ରା କୋଲକାତା, ରାଞ୍ଚି, ଉତ୍ତରପ୍ରଦେଶ ଦେଇ ଦିଲ୍ଲୀରେ ପହଞ୍ଚିବ। ଜାନୁଆରି ୨୬ରେ ଟ୍ରାକ୍ଟର୍‌ ପରେଡ୍‌ରେ ଚାଷୀମାନେ ସାମିଲ ହେବେ। ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଜାତୀୟ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe