ହୀରାକୁଦରେ ୯୮ ପ୍ରଜାତିର ୧ ଲକ୍ଷ ୨୫ ହଜାର ପକ୍ଷୀ

୧ ଲକ୍ଷ ୩ ହଜାର ବହିରାଗତ ପକ୍ଷୀ

ହୀରାକୁଦରେ ୯୮ ପ୍ରଜାତିର ୧ ଲକ୍ଷ ୨୫ ହଜାର ପକ୍ଷୀ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଓ ଏହାର ପରିପାର୍ଶ୍ବକୁ ଚଳିତ ଶୀତ ଋତୁରେ ୯୮ଟି ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ଆସିଥିବା ଜଣା ପଡ଼ିଛି। ଗୁରୁବାର ହୋଇଥିବା ପକ୍ଷୀ ଗଣନାରୁ ଏହି ଚିତ୍ର ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ୪୧ଟି ପ୍ରଜାତିର ୧ ଲକ୍ଷ ୩ ହଜାର ୧୧୭ଟି ବହିରାଗତ ପକ୍ଷୀ ଅଛନ୍ତି। ଉକ୍ତ ବହିରାଗତ ପକ୍ଷୀଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ ଓ କିଛି ହିମାଳୟ ଅଞ୍ଚଳରୁ ଆସିଥିବା ଜଣା ପଡ଼ିଛି। ଏହି ପକ୍ଷୀଙ୍କ ମଧ୍ୟରେ ଲେସର୍‌ ହ୍ବିସିଲିଂ ଡକ୍‌, କମନ୍ କୁଟ୍, ଗ୍ରେଟ୍ କ୍ରିଷ୍ଟେଡ୍‌ ଗ୍ରିବ୍‌, ରେଡ୍ ହେଡେଡ୍ ପୋଚାର୍ଡ, କମନ୍ ପୋଚାର୍ଡ ଆଦି ପ୍ରଜାତିର ସର୍ବାଧିକ ପକ୍ଷୀ ଅଛନ୍ତି। କିଛି ନୂଆ ପ୍ରଜାତିର ପକ୍ଷୀ ମଧ୍ୟ ଚିହ୍ନଟ ହୋଇଛନ୍ତି ବୋଲି ହୀରାକୁଦ ବନ୍ୟପ୍ରାଣି ଡିଏଫ୍‌ଓ କେ ପ୍ରତାପ ସୂଚନା ଦେଇଛନ୍ତି।

publive-image

ଚଳିତ ବର୍ଷ ଗଣନା ଦିନ ପାଗ ଖରାପ ହୋଇ ନଥିଲେ ଏଥର ପକ୍ଷୀ ସଂଖ୍ୟା ଆହୁରି ବୃଦ୍ଧି ପାଇଥାନ୍ତା ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଚଳିତ ବର୍ଷ ପକ୍ଷୀ ଗଣନାରେ ବାହାରୁ ଆସିଥିବା ବିଶେଷଜ୍ଞ, ବନ ବିଭାଗ କର୍ମଚାରୀ, ଓୟୁଏଟି ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ଚଢ଼େଇ କ୍ଲବ୍‌ର ସଦସ୍ୟ ବୃନ୍ଦ ସାମିଲ ହୋଇଥିଲେ। ଅନୁଗୁଳ ବନଖଣ୍ଡର ଏସିଏଫ୍‌ ତଥା ଚଢ଼େଇ ଘର ସଦସ୍ୟ ସରୋଜ ପଣ୍ଡା ଗଣନା ପୂର୍ବରୁ ତାଲିମ ଦେଇଥିଲେ। ସମ୍ବଲପୁର, ଝାରସୁଗୁଡ଼ା ଓ ହୀରାକୁଦ ବନ୍ୟପ୍ରାଣୀ ଆଦି ୩ଟି ବନଖଣ୍ଡ ଅଞ୍ଚଳ‌ରେ ବିସ୍ତୃତ ହୀରାକୁଦ ଜଳଭଣ୍ଡାର ଓ ପାୱାର୍‌ ଚାନେଲ୍ ଜଳାଶୟକୁ ମୋଟ ୨୧ଟି ସେକ୍ଟର୍‌ରେ ବିଭକ୍ତ କରି ପକ୍ଷୀ ଗଣନା ହୋଇଥିଲା। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ପକ୍ଷୀ ଗଣନା ବେଶ ବ୍ୟବସ୍ଥିତ ଢଙ୍ଗରେ ହୋଇଥିବା ତଥା ଗଣନା ସମୟରୁ ହିଁ ପ୍ରଜାତି ଅନୁଯାୟୀ ପକ୍ଷୀ ଗୁଡ଼ିକୁ ଅଲଗା ଅଲଗା କରି ଲେଖା ଯାଇଥିବାରୁ ତଥ୍ୟ ଗୁଡ଼ିକ ଅଧିକ ନିର୍ଭୁଲ ହୋଇ ପାରିଥିବା ଚଢ଼େଇ ଘର ସଦସ୍ୟ ଆଶିଷ ପ୍ରଧାନ ମତ ଦେଇଛନ୍ତି। ପ୍ରଥମଥର ପାଇଁ ବହିରାଗତ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କୁ ଅଲଗା ଅଲଗା କରି ଗଣନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe