୨୦୨୧-୨୨ରେ ଦେଢ଼ ଲକ୍ଷ ହେକ୍ଟର ବନୀକରଣ ଲକ୍ଷ୍ୟ

Advertisment

କାମ୍ପା ପାଣ୍ଠିରେ ୪୪ ହଜାର ୫୦୦ ହେକ୍ଟର ଓ ମନରେଗାରେ ହେବ ୫୦ ହଜାର ହେକ୍ଟର ବନୀକରଣ

କାମ୍ପା ପାଣ୍ଠିରେ ୪୪ ହଜାର ୫୦୦ ହେକ୍ଟର ଓ ମନରେଗାରେ ହେବ ୫୦ ହଜାର ହେକ୍ଟର ବନୀକରଣ

୨୦୨୧-୨୨ରେ ଦେଢ଼ ଲକ୍ଷ ହେକ୍ଟର ବନୀକରଣ ଲକ୍ଷ୍ୟ

tree – TreecoTech

ଭୁବନେଶ୍ୱର : ଗତ ଦୁଇ ଦଶନ୍ଧି ମଧ୍ୟରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଛି। ଏହାକୁ ଆହୁରି ଆଗକୁ ନେବା ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟର ବନୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୪୪ ହଜାର ୫୦୦ ହେକ୍ଟର କାମ୍ପା ପାଣ୍ଠି ଓ ୫୦ ହଜାର ହେକ୍ଟର ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ବନୀକରଣ କରାଯିବ ବୋଲି ବିଶ୍ବ ବନ ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଜୟଦେବ ବାଟିକାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଆରୁଖ କହିଲେ, ଚଳିତ ବର୍ଷ ବିଭିନ୍ନ ବନୀକରଣ କାର୍ଯ୍ୟକ୍ରମରେ ୩ କୋଟି ୯୨ ଲକ୍ଷ ଚାରା ରୋପଣ ସହ ୪ କୋଟି ୬୬ ଲକ୍ଷ ବୃକ୍ଷ ଚାରା ଜନସାଧାରଣ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଙ୍କ ମଧ୍ୟରେ ବିତରଣ କରାଯାଇଛି। ୧ କୋଟି ୭ ଲକ୍ଷ ହେକ୍ଟର ପରିମିତ ଅଞ୍ଚଳରେ ବନୀକରଣ ହୋଇଛି। ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ନଗର ଓ ପୌରାଞ୍ଚଳରେ ସ୍ୱଚ୍ଛ ସୁନ୍ଦର ସବୁଜିମା ପରିବେଶ ସୃଷ୍ଟି କରିବା ଲାଗି ପ୍ରାୟ ୩ ଲକ୍ଷ ୮୦ ହଜାର ଚାରା ରୋପଣ କରାଯାଇଛି। ‘ଆମ ଜଙ୍ଗଲ ଯୋଜନା’ରେ ପ୍ରାୟ ୧୬ ହଜାର ବନ ସୁରକ୍ଷା ସମିତି ଓ ପରିବେଶ ଉନ୍ନୟନ କମିଟି ମାଧ୍ୟମରେ ୧୩ ହଜାର ୫୦୦ ବର୍ଗ କିମି ଜଙ୍ଗଲକୁ ସୁରକ୍ଷା ଦିଆଯାଇଛି। ୧୪ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି। ‘ସବୁଜ ମହାନଦୀ ମିସନ’ରେ ମହାନଦୀ, ଇବ୍‌, ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ଓ ବଂଶଧାରା ନଦୀଗୁଡ଼ିକର ଉଭୟ ପାର୍ଶ୍ବରେ ସବୁଜ ବଳୟ ସୃଷ୍ଟି କରାଯାଉଛି। ଗତ ୩ ବର୍ଷ ମଧ୍ୟରେ ଏହି ମିସନରେ ପ୍ରାୟ ୧୮ ହଜାର ହେକ୍ଟର ଜମିରେ ୯୬ ଲକ୍ଷ ଚାରା ରୋପଣ ହୋଇଛି।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ପରିସୀମା ବଢ଼ାଇବା ପାଇଁ ବିଭିନ୍ନ ବନୀକରଣ ଓ ବନସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରାଯାଇ ଗ୍ରାମବାସୀମାନଙ୍କୁ ସାମିଲ କରାଯାଉଛି ବୋଲି କହିଥିଲେ। ପ୍ରଧାନ ମୁଖ୍ୟ ବନସଂରକ୍ଷକ(ପିସିସିଏଫ୍‌) ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓମ୍‌ପ୍ରକାଶ ସିଂ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭାଗ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପୁସ୍ତକକୁ ମୁଖ୍ୟଅତିଥି ଶ୍ରୀ ଆରୁଖ ଉନ୍ମୋଚନ କରିଥିଲେ। ୨୦୨୦ ଓ ୨୦୨୧ ଲାଗି ଜଙ୍ଗଲ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦ ପାଇଁ ସାତକୋଶିଆର ମା’ ସାତଭଉଣୀ ପରିବେଶ ଉନ୍ନୟନ କମିଟି, କୁମାରୀ ନେଚର କ୍ୟାମ୍ପ ପରିଚାଳନା କରିଥିବା କୁମାରୀ ପରିବେଶ ଉନ୍ନୟନ କମିଟି, ଦେବ୍ରିଗଡ଼ ନେଚର କ୍ୟାମ୍ପ ପରିଚାଳନା କରିଥିବା ଧୋଡ୍ରୋକୁସୁମ୍‌ ପରିବେଶ ଉନ୍ନୟନ କମିଟି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ପାଇଥିଲେ। ୨୦୨୧ ଲାଗି ଡାଙ୍ଗମାଳ ପରିବେଶ ଉନ୍ନୟନ କମିଟି ପ୍ରଥମ, ମାଣ୍ଡାସରୁ ପରିବେଶ ଉନ୍ନୟନ କମିଟି ଦ୍ବିତୀୟ ଓ ଦାରିଙ୍ଗବାଡ଼ି ନେଚର କ୍ୟାମ୍ପ ପରିଚାଳନା କରିଥିବା ସାରିନ୍‌ଗିରିପ୍‌ ବନ ସୁରକ୍ଷା ସମିତି ତୃତୀୟ ପୁରସ୍କାର ପାଇଥିଲେ। ୨୦୨୦ ଓ ୨୦୨୧ ନିମନ୍ତେ ୪ ଜଣ ରେଞ୍ଜ ଅଫିସର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ବନରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe