୧ କୋଟି ୪୮ ଲକ୍ଷ ଟଙ୍କାର ଆଲୁମିନିୟମ ବିଲ୍ଟ ବିକ୍ରି ଘଟଣା: ପଶ୍ଚିମବଙ୍ଗରୁ ଅଭିଯୁକ୍ତ ଗିରଫ

୧ କୋଟି ୪୮ ଲକ୍ଷ ଟଙ୍କାର ଆଲୁମିନିୟମ ବିଲ୍ଟ ବିକ୍ରି ଘଟଣା: ପଶ୍ଚିମବଙ୍ଗରୁ ଅଭିଯୁକ୍ତ ଗିରଫ

ଝାରସୁଗୁଡା: ଝାରସୁଗୁଡ଼ା ବେଦାନ୍ତ କାରଖାନାରୁ ୨ଟି ଟ୍ରକ୍‌ରେ ଆଲୁମିନିୟମ ବିଲ୍ଟ ବୋଝେଇ ହୋଇ ଖଡ଼ଗପୁର ଯାଉଥିଲା। ଟ୍ରକ ଡ୍ରାଇଭରମାନେ ତାକୁ ବାଟରେ ବିକ୍ରି କରି ଦେଇଥିବା ଘଟଣାରେ ବଡ଼ମାଲ ପୁଲିସ୍‌ ସୋମବାର ଜଣେ ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ୪ ଦିନ ଟ୍ରାନଜିଟ ରିମାଣ୍ଡରେ ଆଣିଥିବା ବେଳେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତର ଟିଆଇ ପ୍ୟାରେଡ କରାଯିବା ସହ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରାଯାଇଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ଗତ ଡିସେମ୍ବର ୨୪ ଓ ୨୫ ତାରିଖ ଝାରସୁଗୁଡ଼ା ବେଦାନ୍ତ କାରଖାନାରୁ ସୁପ୍ରିମ ଟ୍ରାନ୍ସପୋର୍ଟ ଲି.ର ୨ଟି ଟ୍ରକ୍‌ (ଡବ୍ଲୁ ବି ୩୧ଏ ୦୦୫୪) ଓ (ଡବ୍ଲୁବି ୧୫ଡି ୫୧୦୯) ମୋଟ ୪୬ ମେଟ୍ରିକ ଟନ୍‌ ଆଲୁମିନିୟମ ବିଳ୍ଟ ବୋଝେଇ କରି ଖଡ଼ଗପୁରଠାରେ ଥିବା ସେନଚ୍ୟୁରି ଏସ୍କଟ୍ରୁସନ ଲି.କୁ ବାହାରିଥିଲେ। ତେବେ ଏହି ଟ୍ରକ୍‌ ଦୁଇଟି ଡିସେମ୍ବର ୩୦ ତାରିଖ ସୁଦ୍ଧା ସେଠାରେ ପହଞ୍ଚି ନଥିବାରୁ  ଟ୍ରାନ୍ସପୋର୍ଟ କମ୍ପାନିର ଜଣେ କର୍ମଚାରୀ ଏ ସଂପର୍କରେ ଝାରସୁଗୁଡ଼ା ଟାଉନ୍‌ ଥାନାରେ ଏତଲା ଦେଇଥିଲେ। ଟାଉନ୍‌ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲେ ମଧ୍ୟ କୌଣସି ସୁରାକ ପାଇ ପାରିନଥିବାରୁ ଏହି ମାମଲାକୁ ବଡ଼ମାଲ ଥାନାକୁ ହସ୍ତାନ୍ତର କରିବା ପାଇଁ ପୁଲିସ ପକ୍ଷରୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମ‌େ ବଡ଼ମାଲ ଥାନାରେ ଗତ ମାର୍ଚ୍ଚ ମାସରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା ଓ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ୍‌ ଏହି ଘଟଣାରେ ଟ୍ରକର କାଗଜପତ୍ର, ଡ୍ରାଇଭରଙ୍କ ଡିଏଲର ନକଲ ଓ ଇ-ୱେ ବିଲ ଜବତ କରିଥିଲା।

ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏଥିରେ ମାଷ୍ଟର ମାଇଣ୍ଡ ଆଜାଦ ଅଲ୍ଲି ସେକ୍‌ ଓରଫ ରାଜୁ, ହସିମୁଦ୍ଧିନ ମୋଣ୍ଡଲ ଓରଫ ହସୁ, ପଙ୍କଜ ଭୋମିକ, ମୋତିଅର ରହେମାନ ଓ ସେକ୍ ଅଲି ହୋସେନ ଡିସେମ୍ବର ୨୩ ତାରିଖ ଦୁଇ ଗୋଟି ଜାଲ ନମ୍ବରର ଟ୍ରକରେ ଏଠାକୁ ଆସି ଜାଲ କାଗଜପତ୍ର, ଏଫିଡେଭିଟ ଦେଖାଇ ଆଲୁମିନିୟମ ବିଲ୍ଟ ବୋଝେଇ କରି ନେଇ ଯାଇଥିଲେ। ଯାହାର ମୂଲ୍ୟ ୧ କୋଟି ୪୮ ଲକ୍ଷ ଟଙ୍କା ଅଟେ। ପଶ୍ଚିମବଙ୍ଗର ପୁରୁଲିଆଠାରେ ଗୋଇନ୍ଦା ସଂସ୍ଥା ପକ୍ଷରୁ ସଂପୃକ୍ତ ଗ୍ୟାଙ୍ଗ ଗିରଫ ହୋଇଥିବା ନେଇ ପୁଲିସ୍‌ ସୂଚନା ପାଇବା ପରେ ବଡ଼ମାଲ ପୁଲିସ୍‌ ପୁରୁଲିଆ ଯାଇ ‌ସେଠାରେ ଏହି ଘଟଣା‌ର ସଂପୃ୍କ୍ତ କାଗଜପତ୍ର ଓ ଟ୍ରକକୁ ଜବତ କରିବା ସହ ହସିମୁଦ୍ଧିନ ମୋଣ୍ଡଲକୁ ଗିରଫ କରି ରିମାଣ୍ଡରେ ଆଣିଥିବା ଆଇଆଇସି ଅମିତାଭ ପଣ୍ଡାଙ୍କ ଠାରୁ ପ୍ରକାଶ। ଏହି ଅଭିଯୁକ୍ତମାନେ ପୂର୍ବରୁ ଏଭଳି ବିଭିନ୍ନ ଚୋରି କାର୍ଯ୍ୟରେ ସଂପୃକ୍ତ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe