ସମୁଦ୍ରରେ ବୁଡ଼ିଲା ଡଙ୍ଗା, ଜଣେ ମତ୍ସ୍ୟଜୀବୀ ମୃତ, ୪ ପହଁରି କୂଳରେ ଲାଗିଲେ

Advertisment
ଡଙ୍ଗା ଦୁର୍ଘଟଣା କ୍ଷତିପୂରଣ ରାଶି ପରିମାଣ ପ୍ରସଂଗ: ଫେବ୍ରୁଆରି ୨୧ରେ ସମସ୍ତ ମାମଲାର ଏକତ୍ର ଶୁଣାଣି

World Bulletin

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତ ପୋଡ଼ମ୍‌ପେଟା ଗ୍ରାମ ଉପକୂଳ ଗଭୀର ସମୁଦ୍ରରେ ମାଛଧରା ଡଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଆଉ ଚାରି ଜଣ ପହଁରି ଆସି ଜୀବନ ବଞ୍ଚାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମୟରେ ହଠାତ୍ ବର୍ଷା ଓ ପବନ ଯୋଗୁଁ ଡଙ୍ଗାଟି ଗଭୀର ସମୁଦ୍ରରେ ଭାରସାମ୍ୟ ହରାଇ ଓଲଟିଯିବାରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ସିଏଚ୍‌.ଦାନେୟା (୧୮)। ଆଜି ଅପରାହ୍‌ଣ ସାଢ଼େ ୫ଟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ନନ୍ଦଳା ସମୁଦ୍ର ବ୍ରିଜ୍ ପାଖରୁ ତାଙ୍କ ଶବ ମିଳିଛି।

ଲକ୍‌ଡାଉନ୍ କଟକଣା କୋହଳା ପରେ ‌ଗୋଖରକୁଦା ନିକଟ ପୋଡ଼ମ୍‌ପେଟା ଗ୍ରାମର ଏହି ୫ଜଣ ମତ୍ସ୍ୟଜୀବୀ ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଗୋଟିଏ ଡଙ୍ଗାରେ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲେ। ସେତେବେ‌ଳେ ପାଗ ମେଘୁଆ ଥିଲା। ତଥାପି ଏହାକୁ ସେମାନେ ଖାତିର୍ କରି ନଥିଲେ। ୧୫ କିଲୋମିଟର ଯିବା ପରେ ହଠାତ୍ ପ୍ରବଳ ବେଗରେ ପବନ ବୋହିବା ସାଙ୍ଗକୁ ବର୍ଷା ହେବାରୁ ଡଙ୍ଗା ଭିତରେ ପାଣି ପଶି ଯାଇଥିଲା ଏବଂ ଭାରସାମ୍ୟ ହରାଇ ଏହା ବୁଡ଼ିଯାଇଥିଲା। ଆଉ ସେଇ ସମୁଦ୍ର ଭିତରେ ହିଁ ଦାନେୟାଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳା ଓ ସୁବୁଦ୍ଧି ଜୀବନ ରକ୍ଷା ପାଇଁ ପହଁରି ସକାଳ ପ୍ରାୟ ୧୦ଟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ନନ୍ଦଳା ଚିଲିକା କୂଳ ଓ ଅନ୍ୟ ଦୁଇଜଣ ବି.ଗଜ. ବି.ବାବାଜୀ ପହଁରି ପହଁରି ଗଞ୍ଜାମ ବ୍ଲକ୍ ପ୍ରୟାଗି ଉପକୂଳରେ ଲାଗିଥିଲେ। ଗଜ ଓ ବାବାଜୀ ଘଟଣା ବିଷୟ‌ରେ କହିବା ପରେ ୫ଟି ଡଙ୍ଗାରେ ଅନ୍ୟ ମତ୍ସ୍ୟଜୀବୀମାନେ ଦାନେୟାଙ୍କୁ ଠାବ କରିବାକୁ ବାହାରିଥିଲେ। କୃଷ୍ଣପ୍ରସାଦ ବ୍ଲକ୍ ନିକଟ ଉପକୂଳରେ ଜାଲରେ ଦାନେୟାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ହେଲେ ଲହଡ଼ିରେ ଏହା ପୁଣି ସମୁଦ୍ର ଗର୍ଭକୁ ପଳାଇଥିଲା। ଅପରାହ୍‌ଣ ୫ଟାରେ ତାଙ୍କ ଶବ ମିଳିଥିଲା।

ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ଛୋଟରାୟ ସୂଚନା ଦେବା ପରେ ବିଡିଓ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅବନୀ କୁମାର ସାହୁ ଓ ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷରେ ଦାନେୟାଙ୍କ ମୃତ୍ୟୁ ପ‌ରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ପାଲଟିଛି। ସେ ଏକମାତ୍ର ‌ରୋଜଗାରିଆ ପୁଅ ଥିଲେ। କାନ୍ଦବୋବାଳିରେ ସାହି ଫାଟି ପଡ଼ିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe