ଦଳି ଦେଲା ଦନ୍ତା : ଜଣେ ମୃତ, ଜଣେ ଗୁରୁତର 

ଦଳି ଦେଲା ଦନ୍ତା : ଜଣେ ମୃତ, ଜଣେ ଗୁରୁତର 

କଣିହାଁ/ପବିତ୍ରନଗର/ଖମାର : ପାଳଲହଡ଼ା ବ୍ଲକ୍‌ ଖମାର ଓ କଣିହାଁ ବ୍ଲକ୍‌ ବୁରୁକୁନା ଅଞ୍ଚଳରେ ହାତୀ ଉତ୍ପାତରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଆଜି ଏକ ଦନ୍ତାହାତୀ ବୁରୁକୁନା ପଞ୍ଚାୟତ ବାଦିବାହାଳ ଗାଁର ଗୋପବନ୍ଧୁ ବେହେରା(୪୫)ଙ୍କୁ ଦଳି ମାରି ଦେଇଥିବାବେଳେ ଗତକାଲି ରାତିରେ  ଆଉ ଏକ ଦନ୍ତା ଖମାର ଥାନା ଫଟାଟାଙ୍ଗର ଗାଁର ଟିହିଲୁ ସାହୁ(୫୪)ଙ୍କୁ ଆକ୍ରମଣ କରି ଗୁରୁତର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋପବନ୍ଧୁ ଆଜି ଦିନ ୧୧ଟାବେଳେ ଗାଁ ନିକଟ ଜଙ୍ଗଲକୁ ଦାନ୍ତକାଠି, ପତ୍ର ସଂଗ୍ରହ ପାଇଁ ଯାଇଥିଲେ। ହଠାତ୍‌ ଗଛ ଆଢ଼ୁଆଳରୁ ଏକ ଦନ୍ତାହାତୀ ବାହାରି ତାଙ୍କୁ ଦଳି ଦେବା ସହ ପେଟରେ ଦାନ୍ତ ଭୁସି ଦେଇଥିଲା। ଘଟଣାସ୍ଥଳରେ ଗୋପବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଯାଇଥିବା ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ମାରି ଗୋଡ଼ାଇଥିଲା। ପ୍ରାଣ ବିକଳରେ ଦୌଡ଼ି ଆସିବାରୁ ସେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ତାଳଚେର ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ବେହେରା, କଣିହାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ରାଉଳ, ବନ କର୍ମଚାରୀ, ସମଲ ଥାନା ପୁଲିସ ସେଠାରେ ପହଞ୍ଚିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୩୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୪ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ସେହିପରି ଟିହିଲୁ ସାହୁ ନିଜ ଗାଁଠାରୁ ଅଧ କିଲୋମିଟର ଦୂର କଣ୍ଟିଆପଶିଠାରେ ଏକ ପରିବା ଦୋକାନ ଦେଇ ଗୁଜୁରାଣ ମେଣ୍ଟାଉଥିଲେ। ଗତକାଲି ରାତି ୧୦ଟାବେଳେ ଦୋକାନରୁ ସେ ଚାଲି ଚାଲି ଘରକୁ ଫେରୁଥିଲେ। ଅନ୍ଧାରୀ ନାଳ ନିକଟ ଶିବ ମନ୍ଦିର ପାଖରେ ଏକ ଦନ୍ତାହାତୀ ତାଙ୍କୁ କୁଦି ଦେବା ସହ ପେଟରେ ଦାନ୍ତ ଫୁଟାଇ ଦେଇଥିଲା। ଟିହିଲୁ ଛଟପଟ ହେଉଥିବା ଦେଖି ଜଣେ ବାଟୋଇ ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍‌ସକୁ ଡାକିଥିଲେ। ଆମ୍ବୁଲାନ୍‌ସ ଆସିନପାରିବାରୁ ଏକ ଅଟୋରେ ଟିହିଲୁଙ୍କୁ ଖମାର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍‌ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଟିହିଲୁଙ୍କୁ ଡାକ୍ତରଖାନା ନେବାରେ ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ସାହୁ ସହଯୋଗ କରିଥିଲେ। ତାଙ୍କ ଚିକିତ୍ସା ପାଇଁ ବିଭାଗ ପକ୍ଷରୁ ସହାୟତା ଦିଆଯିବାକୁ ଗ୍ରାମବାସୀ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ସାହୁ ଦାବି କରିଛନ୍ତି। ଏହି ଦନ୍ତାହାତୀ ଆକ୍ରମଣରେ ଖମାର ଅଞ୍ଚଳର ୩ ଜଣ ବ୍ୟକ୍ତି ଗତମାସରେ ପ୍ରାଣ ହରାଇଛନ୍ତି। ହାତୀ ଯୋଗୁଁ ଖମାର, ବରୁକୁନା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe