ମାଲକାନଗିରିରେ ଇ-କେୱାଇସି ଦେଇ ନାହାନ୍ତି ୧ ଲକ୍ଷ ୯୨ହଜାର ହିତାଧିକାରୀ

ଭୂତ କାର୍ଡ ଚିହ୍ନଟ ନେଇ ସାରା ରାଜ୍ୟରେ ଏବେ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଜିଲ୍ଲାର ୩୫ ପ୍ରତିଶତ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ କରିନାହାନ୍ତି, ଯାହାକୁ ନେଇ ସଂଦେହ ବଢୁଛି।

rataion

ମାଲକାନଗିରି: ଭୂତ କାର୍ଡ ଚିହ୍ନଟ ନେଇ ସାରା ରାଜ୍ୟରେ ଏବେ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାଲକାନଗିରିରେ ମଧ୍ୟ ଗତ ଦୁଇ ମାସ ହେଲାଣି ଏହି ପ୍ରକ୍ରିୟା ଜାରି ରହିଛି। ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଜିଲ୍ଲାର ୩୫ ପ୍ରତିଶତ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ କରିନାହାନ୍ତି, ଯାହାକୁ ନେଇ ସଂଦେହ ବଢୁଛି।ଜିଲ୍ଲାରେ ଭୂତ କାର୍ଡଙ୍କ ସଂଖ୍ୟା ସର୍ବାଧିକ ରହିଥିବା ନେଇ ଆଶଂକା କରାଯାଉଛି। କାରଣ ମାଲକାନଗିରି ଜିଲ୍ଲାର ବହୁ ଧନୀକ ବ୍ୟକ୍ତିଙ୍କ ପାଖରେ ରହିଛି ରାସନ କାର୍ଡ। ତଦନ୍ତ ପରେ ସବୁ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ଜିଲ୍ଲାରେ ମୋଟ ୫,୫୫,୫୮୫ ଜଣ ରାସନ କାର୍ଡ ହିତାଧିକାରୀ ରହିଥିବା ବେଳେ ସେଥିରୁ ୩,୬୩,୧୪୬ ଦଣ ହିତାଧିକାରୀ ହିଁ ଇ-କେୱାଇସି ଅପଡେଟ କରିଛନ୍ତି। ବଳଖା ୧,୯୨,୪୩୯ ଜଣ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ଅପଡେଟ କରିନାହାନ୍ତି।ଜିଲ୍ଲାରେ ମୋଟ ୬୫ ପ୍ରତିଶତ ହିତାଧିକାରୀ ହିଁ ରାସନ କାର୍ଡ ଅପଡେନ କରିପାରିଛନ୍ତି। ବହୁ ହିତାଧିକାରୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଥିବାରୁ ଏହା ହୋଇପାରୁନଥିବା ଜଣାପଡିଛି।

ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏବଂ ଅଶିକ୍ଷିତଙ୍କ ସଂଖ୍ୟା ଅଧିକା ରହିଥିବାରୁ  ଲୋକେ ଏନେଇ ସଚେତନ ନହେବା, ଏହାର ଏକ କାରଣ ବୋଲି କୁହାଯାଇଛି। ଯଦି ବ୍ଲକୱାରୀ ଦେଖିବା ତେବେ କାଲିମେଳା ବ୍ଲକରେ ୧,୧୭,୭୨୯ ଜଣ ହିତାଧିକାରୀଙ୍କ ମଧ୍ୟରୁ ୩୨,୧୦୮ ଜଣ ହିତାଧିକାରୀ ଇ-କେୱାଇସି ଅପଡେନ କରିନାହାନ୍ତି। ଖଇରପୁଟ ବ୍ଲକରେ ୩୯,୮୧୦ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୩,୩୫୪ ଜଣ, କୋରକୋଣ୍ଡା ବ୍ଲକର ୧,୧୬,୮୫୪ ଜଣ ହିତାଧିକାରୀଙ୍କ ମଧ୍ୟରୁ ୩୯,୫୯୪ ଜଣ, କୁଡୁମୁଲୁଗୁମ୍ମା ବ୍ଲକର ୫୫,୬୨୩ ଜଣ ହିତାଧିକାରୀଙ୍କ ମଧ୍ୟରୁ ୩୫,୫୯୪ ଜଣ, ମାଲକାନଗିରି ବ୍ଲକର ୬୨,୭୫୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୮,୩୪୦ ଜଣ, ମାଥିଲି ବ୍ଲକର ୮୫,୦୩୧ ଜଣ ହିତାଧିକାରୀଙ୍କ ମଧ୍ୟରୁ ୩୦,୨୧୨ ଜଣ, ପଡିଆ ବ୍ଲକର ୫୨,୯୪୯ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୬,୮୮୩ ଜଣ, ମାଲକାନଗିରି ପୌର ପରିଷଦର ୧୭,୯୧୦ ହିତାଧିକାରୀଙ୍କ ମଧ୍ୟରୁ ୪,୮୬୫ ଜଣ ଏବଂ ବାଲିମେଳା ଏନଏସିର ୨୮,୫୨୫ ହିତାଧିକାରୀଙ୍କ ମଧ୍ୟରୁ ୧୦,୮୪୮ ଜଣ ହିତାଧିକାରୀ ଏବେ ବି ନିଜର କାର୍ଡ ଅପଡେଟ କରିନାହାନ୍ତି।

ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଭୂତକାର୍ଡ ଧରାଯିବା ପରେ ଚାଉଳ ବନ୍ଦ ରହିଥିବା ଜଣାପଡିଛି। ତେବେ ବିଭାଗୀୟ ଅଧିକାରୀଙ୍କ ନିକଟରେ ସଠିକ ରିପୋର୍ଟ ନଥିବାରୁ ତାହା ଦିଆଯାଇପାରି ନାହିଁ। ତେବେ ଇ-କେୱାଇସି ଅପଡେଟ ହେବା ପରେ ସବୁ ଭୂତ କାର୍ଡର ରିପୋର୍ଟ ଜଣାପଡିବ ବୋଲି କୁହାଯାଇଛି। ୩୫ ପ୍ରତିଶତ ହିତାଧିକାରୀ ଗଲେ କୁଆଡେ ବୋଲି ଏବେ ପ୍ରଶ୍ନ ଉଠୁଛି, ଯାହାକୁ ନେଇ ଚିନ୍ତା ବଢାଇଛି। କେତେ ବର୍ଷ ଧରି ଏଭଳି ଚାଲିଥିଲା। ତଦନ୍ତ ହେଲେ ରାସନ କାର୍ଡ କାଳେଙ୍କାରୀ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe