ଆଇପିଏଲ୍ ବେଟିଂ: ପୁଣି ୧୦ ଗିରଫ

Advertisment
ଆଇପିଏଲ୍ ବେଟିଂ: ପୁଣି ୧୦ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଉ ଏକ ଆଇପିଏଲ୍ ବେଟିଂ ରୢାକେଟ୍‌କୁ ଠାବ କରିଛି ପୁଲିସ। ଏହି ରୢାକେଟ୍‌ରେ ସଂପୃକ୍ତ ୧୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କଠୁ ୪୩ ହଜାର ୭୪୦ ଟଙ୍କା ସହ ୧୦ଟି ମୋବାଇଲ୍ ଓ ୫ଟି ବାଇକ୍ ଜବତ ହୋଇଛି।

ସ୍ଥାନୀୟ ଆଦର୍ଶ ପୁଲିସ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ଏନେଇ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି, ଗାରାବନ୍ଧ ଅଞ୍ଚଳରେ କିଛିଦିନ ହେଲା ଆଇପିଏଲ କ୍ରିକେଟ଼ ମ୍ୟାଚ ପାଇଁ ବେଟିଂ ଚାଲୁଥିବା ଏବଂ ଏଥିରେ ଏକ ରୢାକେଟ୍ ସକ୍ରିୟ ଥିବା ସୂଚନା ପୁଲିସକୁ ହସ୍ତଗତ ହୋଇଥିଲା। ଏହାପରେ ଗାରାବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ସ୍କ୍ବାଡ ଗଠନ କରାଯାଇଥିଲା। ଏହା ପରେ ବେଟିଂ ନେଟ୍‌ୱର୍କ ଚାଲୁଥିବା ଏକ ଚାଉଳ କଳ ନିକଟରେ ଏହି ସ୍କ୍ବାଡ୍ ଚଢଉ କରି ୧୦ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ଗିରଫ ବ୍ୟକ୍ତିମାନେ ହେଲେ, ପି.ଭେଙ୍କଟ ରାଓ, ଜି.ମନୋଜ କୁମାର, କେ.ଶିବା କୁମାର, କେ.ଶିବା, କେ.ନାଗାରାଜୁ, ଏସ.ସୁରେଶ, କେ.ଶ୍ରୀନିବାସ ରାଓ, ୟୁ. ଦେବରାଜ ରେଡ୍ଡୀ, ଏନ. ମଣିକଣ୍ଠା ଏବଂ ଏମ.ଦେଲେୟା। ସମସ୍ତଙ୍କୁ କୋର୍ଟଚାଲାଣ ସହ ଟଙ୍କା ଓ ବାଇକ୍ ଜବତ ହୋଇଥିବା ନେଇ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଆଇପିଏଲ୍ ବେଟିଂ ରୢାକେଟ୍ ସକ୍ରିୟ ହୋଇ ଉଠିଛନ୍ତି। ଗତ ୨୩ ତାରିଖରେ ପାରଳାଖେମୁଣ୍ଡି ପୁଲିସ ୬ଜଣ ବୁକିଙ୍କୁ ଗିରଫ କରିବା ସହ ୬୧ହଜାର ଟଙ୍କା ଜବତ କରିଥିଲା। ଏହି ରୢାକେଟ୍ ଏକ ସ୍ବତନ୍ତ୍ର ସଫ୍ଟୱେୟାର୍ ଦ୍ବାରା ଅନ୍‌ଲାଇନ୍ ଦ୍ବାରା ବେଟିଂ କାରବାର ଚଳାଉଥିଲେ। ଗଜପତି ଏସ୍‌ପି ସାରା ଶର୍ମାଙ୍କ ନେତୃତ୍ବରେ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe