ଦେବଗଡ଼ : ନିଜର ବିଚକ୍ଷଣ ବୁଦ୍ଧି ଓ ସୂକ୍ଷ୍ମ ଜ୍ଞାନକୌଶଳ ବଳରେ ଏକ ବ୍ୟାଟେରି ଚାଳିତ ସାଇକଲ ତିଆରି କରିଛନ୍ତି ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଅନୁରାଗ ପ୍ରଧାନ। ଖୁବ୍ କମ୍ ବୟସରେ ତାଙ୍କର ଏଭଳି ସଫଳତା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସାଇକଲଟି ତିଆରି କରିବାକୁ ତାଙ୍କୁ ୧ ବର୍ଷ ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଥରେ ଚାର୍ଜ କଲେ ୩୩ କିମି ରାସ୍ତା ଯାଇ ହେବ ବୋଲି କହିଛନ୍ତି ଅନୁରାଗ। ତେବେ ବ୍ୟାଟେରି ଚାର୍ଜ ସରିଗଲା ପରେ କିଭଳି ସହଜରେ ଆସି ହେବ ତା’ ଉପରେ ଗବେଷଣା କରୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାରୁ ପ୍ରକାଶ ଯେ, ଦେବଗଡ ସହରର ସୁନାମୁଣ୍ଡା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଉଦୟନାଥ ପ୍ରଧାନଙ୍କ ପୁଅ ଅନୁରାଗ ବ୍ୟାଟେରି ଚାଳିତ ସ୍କୁଟିକୁ ଦେଖି ଏକ ବ୍ୟାଟେରି ଚାଳିତ ସାଇକଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ବର୍ଷେ ତଳୁ ଉଦ୍ୟମ ଆରମ୍ଭ କରି ବିଭିନ୍ନ ପରୀକ୍ଷଣ ପରେ ତାହା ତିଆରି କରିବାରେ ସଫଳ ହୋଇଛନ୍ତି। ଥରେ ଚାର୍ଜ କଲା ପରେ ସାଇକଲଟି ୩୩ କିମି ରାସ୍ତା ଯାଇପାରୁ ଥିବା ବେଳେ ସେଥିରେ ଏକ ଏକ୍ସଲ୍ରେଟର୍ ସହ ରାତିରେ ଯିବା ଆସିବା ପାଇଁ ଏକ ଏଲ୍ଇଡି ଲାଇଟ୍ ଓ ହର୍ଣ୍ଣର ବ୍ୟବସ୍ଥା ରହିଛି। ସେଥିରେ ୨ଟି ୧୨ ଭୋଲ୍ଟର ବ୍ୟାଟେରି ସହ, ୨୪ ଭୋଲ୍ଟର ଗିୟର୍ ମୋଟର୍, ୨୫୦ ଓ୍ଵାଟ୍ ମୋଟର କଣ୍ଟ୍ରୋଲର୍ ଆଦିର ବ୍ୟବହାର ହୋଇଛି। ସାଇକଲ ନିର୍ମାଣରେ ବୃବହୃତ ସାମଗ୍ରୀଗୁଡ଼ିକୁ ସେ ମହାରାଷ୍ଟ୍ରରୁ କ୍ରୟ କରି ଆଣିଥିବା ଓ ସମଗ୍ର ସାଇକଲ ପ୍ରସ୍ତୁତିରେ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଅନୁରାଗ କହିବା ସହ ବ୍ୟାଟେରି ଚାର୍ଜ ସରିଗଲେ ପ୍ୟାଡେଲ ମାଧ୍ୟମରେ କିପରି ତାହା ଚଳାଇ ହେବ ସେଥିପାଇଁ ପ୍ରୟାସ ଚଳାଇଥିବା କହିଛନ୍ତି। ସାଇକଲଟି ନିର୍ମାଣରେ ବାପା ଓ ସାଙ୍ଗମାନେ ସାହାଯ୍ୟ କରିଥିବା ପ୍ରକାଶ କରିଛନ୍ତି।
ପୁଅର ସଫଳତା ସଂପର୍କରେ ବାପା ଉଦୟନାଥଙ୍କୁ ପଚାରିବାରେ ସେ ଏଥିପାଇଁ ଗର୍ବିତ ଥିବା ଓ ପୁଅର ପିଲାଦିନରୁ ଜ୍ଞାନ କୌଶଳ ପ୍ରତି ଉତ୍କଣ୍ଠା ରହିଥିବା ପ୍ରକାଶ କରିଛନ୍ତି।
Follow Us