ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ: ଦାରିଦ୍ର୍ୟ କବଳରେ ୧୦ କୋଟି ଶ୍ରମିକ

Advertisment

ମହିଳାମାନେ ଅଧିକ ପ୍ରଭାବିତ, ବେକାରୀ ସଂଖ୍ୟା ୨୦ କୋଟି ଛୁଇଁବ

ମହିଳାମାନେ ଅଧିକ ପ୍ରଭାବିତ, ବେକାରୀ ସଂଖ୍ୟା ୨୦ କୋଟି ଛୁଇଁବ

ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ: ଦାରିଦ୍ର୍ୟ କବଳରେ ୧୦ କୋଟି ଶ୍ରମିକ

ଭୁବନେଶ୍ବର : କରୋନା ମହାମାରୀ ୧୦ କୋଟିରୁ ଅଧିକ ଶ୍ରମିକଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି। ଜାତିସଂଘର ସଂସ୍ଥା ଆନ୍ତର୍ଜାତିକ ଶ୍ରମିକ ସଂଗଠନ (ଆଇଏଲ୍‌ଓ) ପକ୍ଷରୁ ଏସଂପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଆକଳନ କରାଯାଇଛି ଯେ ମହାମାରୀ ଯୋଗୁଁ ଶ୍ରମ ବଜାରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ୨୦୨୩ ପର୍ଯ୍ୟନ୍ତ ସୁଧାର ହେବାର ସମ୍ଭାବନା କମ୍।

ଆଇଏଲ୍‌ଓ ଏହାର ରିପୋର୍ଟରେ କହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ୨୩ ନିୟୁତ ନିଯୁକ୍ତିର ଅଭାବ ଦେଖାଦେବ। କୋଭିଡ୍ ମହାମାରୀ କେବଳ ଏକ ସ୍ବାସ୍ଥ୍ୟ ସଙ୍କଟ ନୁହେଁ, ଏହା ଶ୍ରମ ଓ ମାନବ ସଙ୍କଟ ମଧ୍ୟ ବୋଲି ଆଇଏଲ୍‌ଓର ମୁଖ୍ୟ ଗାଏ ରାଇଡର୍ କହିଛନ୍ତି। ଗୁଣାତ୍ମକ କାର୍ଯ୍ୟ ସୃଷ୍ଟି କରିବା ଲାଗି ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଯିବ ଓ ସମାଜର ଦୁର୍ବଳ ବର୍ଗଙ୍କୁ ସହାୟତା ଦିଆନଯିବ ତେବେ ମହାମାରୀର ପ୍ରଭାବ ଆମ ସହିତ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରହିବ। ଦାରିଦ୍ର୍ୟ ଓ ଅସମାନତା ବୃଦ୍ଧି ପାଇବ। ୨୦୧୯ରେ ସାରା ବିଶ୍ବରେ ବେକାରିଙ୍କ ସଂଖ୍ୟା ୧୮.୭ କୋଟି ଥିଲା। ୨୦୨୨ରେ ଏହି ସଂଖ୍ୟା ୨୦.୫ କୋଟିରେ ପହଞ୍ଚିବ ବୋଲି ଆଇଏଲ୍ଓ ଆକଳନ କରିଛି। ମହାମାରୀ ସ୍ଥିତି ନିୟନ୍ତ୍ରଣରେ ରହିଲେ ୨୦୨୧ ଦ୍ବିତୀୟ ଭାଗ ସୁଦ୍ଧା ନିଯୁକ୍ତି କ୍ଷେତ୍ରରେ ସୁଧାର‌ ଅସିପାରେ। ଟିକାକରଣ ଆଶାନୁରୂପ ରହିନଥିବାରୁ ସ୍ଥିତି ସୁଧୁରିବନି। ବର୍ତ୍ତମାନ ସୁଦ୍ଧା ୭୫% କୋଭିଡ୍ ଟିକା କେବଳ ୧୦ଟି ରାଷ୍ଟ୍ରକୁ ମିଳିଛି। ନିଯୁକ୍ତି କ୍ଷେତ୍ରରେ ହେବାକୁ ଥିବା ସୁଧାର ପଥରେ ଏହା ଏକ ପ୍ରତିବନ୍ଧକ ବୋଲି କୁହାଯାଉଛି।

ଲୋକମାନଙ୍କୁ କାମ ମିଳିନଥିବାରୁ ସେମାନଙ୍କ ଆୟ ହ୍ରାସ ପାଇଛି। ତେଣୁ ସେମାନେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ୨୦୧୯ ତୁଳନାରେ ଏ‌‌ବେ ୧୦.୮ କୋଟି ଅଧିକ ଶ୍ରମିକ ଗରିବ କିମ୍ବା ଅତି ଗରିବ ଶ୍ରେଣୀରେ ସାମିଲ ହୋଇଛନ୍ତି। ଆଇଏଲ୍‌ଓର ମୁଖ୍ୟ ଶ୍ରୀ ରାଇଡର କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ ଲାଗି ପାଞ୍ଚ ବ‌ର୍ଷ ଭିତରେ ଯେଉଁ ଲାଭ ମିଳିଥିଲା ତାହା ପ୍ରଭାବହୀନ ହୋଇଯାଇଛି। ମହାମାରୀର ପ୍ରଭାବ ସମ୍ବେଦନଶୀଳ ବର୍ଗ ଉପରେ ଅଧିକ ପଡ଼ିଛି। ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୦୦ କୋଟି ଲୋକ ଯେଉଁମାନଙ୍କ ପାଇଁ କୌଣସି ପ୍ରକାର ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ ସେମାନଙ୍କ ଜୀବନଜୀବିକା ଓ ପରିବାର ଉପରେ ମହାମାରୀର ଗୁରୁତର ପ୍ରଭାବ ପଡ଼ିଛି।

ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ କରୋନା ଅଧିକ ପ୍ରଭାବିତ କରିଛି। ଅନେକ ମହିଳା କର୍ମକ୍ଷେତ୍ରରୁ ବାହାରି ଯାଇଛନ୍ତି। ଯୁବପିଢ଼ି ମଧ୍ୟ ନିଯୁକ୍ତି ହରାଇଛନ୍ତି। ଗତବର୍ଷ ୮.୭% ହାରରେ ଯୁବପିଢ଼ି ନିଯୁକ୍ତି ହରାଇଛନ୍ତି। ବୟସ୍କଙ୍କ ବର୍ଗରେ ଏହି ହାର ଅପେକ୍ଷାକୃତ କମ୍ ୩.୭% ରହିଛି। ଗୁଣାତ୍ମକ କାର୍ଯ୍ୟ ନ ଫେରିବା ପର୍ଯ୍ୟନ୍ତ ବାସ୍ତବ ସୁଧାର ହୋଇପାରିବ ନାହିଁ ବୋଲି ରାଇଡର୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe