indiastamp.blogspot.com
କଟକ : ରାଜ୍ୟରେ ଷ୍ଟାମ୍ପ୍ ପେପର୍ର ଅଭାବ ଦେଖାଦେଇଛି। ୧୦ ଟଙ୍କିଆ ଷ୍ଟାମ୍ପ୍ ହଜାରେ ଟଙ୍କାରେ ବିକ୍ରି ହେଉଛି। ଶହେ ଟଙ୍କିଆ ଷ୍ଟାମ୍ପ୍ର ମଧ୍ୟ ସମାନ ଅବସ୍ଥା। ତାହା ମଧ୍ୟ ହଜାରେ ଟଙ୍କାରେ ବିକ୍ରି ହେଉଛି। ଷ୍ଟାମ୍ପ ପେପର୍ର ଏଭଳି କଳାବଜାରକୁ ନେଇ ଏବେ ଅଭିଯୋଗ ଲମ୍ବିବାରେ ଲାଗିଛି। ପ୍ରାୟ ଏକ ମାସ ହେବ ଏଭଳି ସମସ୍ୟା ଆରମ୍ଭ ହୋଇଥିବାବେଳେ ଏବେ ଧୀରେଧୀରେ ସ୍ଥିତି ଜଟିଳ ହେଉଛି। ସାଧାରଣ ଲୋକ ଏହାକୁ ନେଇ ସମସ୍ୟାରେ ପଡୁଛନ୍ତି। କଟକ ସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।
ନୋଟାରି ଓ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟରେ ସାଧାରଣ ଭାବେ କରାଯାଉଥିବା ସତ୍ୟପାଠ ପାଇଁ ୧୦ ଟଙ୍କିଆ ପେପର ଆବଶ୍ୟକ ପଡିଥାଏ। ଏଥିସହିତ ନିର୍ଦ୍ଦିଷ୍ଟ ସତ୍ୟପାଠ ଓ ବଣ୍ଡ୍ ପାଇଁ ୧୦୦ ଟଙ୍କିଆ ପେପର ଅାବଶ୍ୟକ ପଡ଼ିଥାଏ। । କଟକ ସହରରେ ୫୦ରୁ ଅଧିକ ଷ୍ଟାମ୍ପ୍ ଭେଣ୍ଡର ରହିଥିବା ବେଳେ କାହା ପାଖରେ ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ପେପର ମିଳୁନାହିଁ। ଭେଣ୍ଡରମାନେ ଟ୍ରେଜେରିରୁ ଷ୍ଟାମ୍ପ୍ ପେପର୍ ଆଣିଥା’ନ୍ତି। ମାତ୍ର, ଏକ ମାସରୁ ଅଧିକ ହେବ ଏହା ଉପଲବ୍ଧ ହେଉନାହିଁ। ସାରା ରାଜ୍ୟରେ ଏଭଳି ଅବସ୍ଥା ବୋଲି ଜଣେ ପୁରୁଣା ଷ୍ଟାମ୍ପ୍ ଭେଣ୍ଡର ନିଜ ନାଁ ଗୋପନ ରଖି କହିଛନ୍ତି। ସରକାର ଷ୍ଟାମ୍ପ୍ ପେପର ଯୋଗାଉଥିବା ବେଳେ ଭେଣ୍ଡରମାନେ ଟ୍ରେଜେରିରେ ଚାଲାଣ ଜମା କରି ଏହି ଷ୍ଟାମ୍ପ ପେପର ଆଣିଥା’ନ୍ତି ଏବଂ ତାହାକୁ ଲୋକଙ୍କୁ ବିକ୍ରି କରିଥା’ନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଟ୍ରେଜେରିକୁ ଏଭଳି ପେପର ଆବଶ୍ୟକତା ଅନୁସାରେ ଏବେ ଯୋଗାଇ ଦିଆଯାଉ ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ୧୦ ଟଙ୍କିଆ ପେପର ନ ପାଇ ଅନେକ ଲୋକ ଅଧିକ ଦାମର ପେପରରେ ସତ୍ୟପାଠ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିର ଫାଇଦା ନେଇ କେତେକ ସ୍ଥାନରେ ନିର୍ଦ୍ଧାରିତ ଦର ଠାରୁ ଢେର ଅଧିକ ଦରରେ ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ପେପର ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ଷ୍ଟାମ୍ପ୍ ପେପର୍ ମିଳୁ ନଥିବାରୁ ବହୁ ଷ୍ଟାମ୍ପ୍ ଭେଣ୍ଡର୍ଙ୍କ ରୋଜଗାର ବି ବାଧାପ୍ରାପ୍ତ ହୋଇଛି।
Follow Us