ଝିଲିମିଣ୍ଡା ଜଗନ୍ନାଥ ସାଗରରେ ୧୦ ପ୍ରଜାତିର ବିଦେଶାଗତ ପକ୍ଷୀ

Advertisment
ଝିଲିମିଣ୍ଡା ଜଗନ୍ନାଥ ସାଗରରେ ୧୦ ପ୍ରଜାତିର ବିଦେଶାଗତ ପକ୍ଷୀ

ଅତାବିରା(ନରେନ୍ଦ୍ର ଦାଶ):‌ ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଝିଲିମିଣ୍ଡାର ଜଗନ୍ନାଥ ସାଗରରେ ଗତ କିଛି ବର୍ଷ ହେଲା ବିଦେଶାଗତ ପକ୍ଷୀ ଆସିଥିବାରୁ ପରିବେଶପ୍ରେମୀଙ୍କ ମଧ୍ୟରେ ଏକ ନୂତନ ଆଶା ଦେଖା ଦେଇଛି। ଅତିଥି ପକ୍ଷୀଙ୍କ ସୁରକ୍ଷା, ଯତ୍ନ ପ୍ରତି ଲୋକଙ୍କ ମଧ୍ୟରେ ଆଶାଆକାଂକ୍ଷା ଦେଖା ଦେଇଛି। ଏହି ଇଲାକା କ୍ଷୀରାପାଲି ଓ ଝିଲିମିଣ୍ଡା ମଧ୍ୟରେ  ୭୦ ଏକର ବିଶିଷ୍ଟ। ଏହି ବରକଟାଁ ଯାହାକୁ ସରକାରୀ ଭାବେ ଜଗନ୍ନାଥ ସାଗର ବା ଜଗନ୍ନାଥ ଡ଼େମ୍ ମଧ୍ୟ କହନ୍ତି। ଗତ ୧୨/୧୪ ବର୍ଷ ହେଲା ଏଠାକୁ ବରଫାଞ୍ଚଳ ଦେଶରୁ ଏହି ପକ୍ଷୀମାନେ ଆସୁଛନ୍ତି।

ଦିପାବଳୀ ପରଠୁ ଏମାନେ ଏଠାକୁ ଆସି ଜାନୁଆରି ମାସ ପର୍ଯ୍ୟନ୍ତ ରହୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଅଳ୍ପ କିଛି ସଂଖ୍ୟାରେ ପକ୍ଷୀ ଏଠାକୁ ଆସୁଥିଲେ। ଏବେ ପାଖାପାଖି ୧୦ ପ୍ରକାର ପ୍ରଜାତିର ପକ୍ଷୀ ଯଥା ସାରସ, ରାଜହଂସ, ଇଗଲ, ପାଣିଚଲା ଚଢେଇ, ହଳଦିଆ ଲାଞ୍ଜବଗ ଇତ୍ୟାଦିର ହଜାର ହଜାର ପକ୍ଷୀ ରହିଛନ୍ତି। ଜଳାଶୟର କିଛି ଅଂଶ ଏବେ ଜବରଖଲକାରୀଙ୍କ କବଜାରେ। ତିନି ପାର୍ଶ୍ବରେ ବଡ଼ ହିଡ଼ ରହିଛି। ପୂର୍ବରୁ ଏହି ଜଳାଶୟରେ ଲୋକେ ଗାଧୁଆ ପାଧୁଆ କରୁଥିଲେ। ଏବେ ପାଖରେ ଏକ ନୂତନ ପୋଖରୀ ହୋଇଥିବାରୁ ପକ୍ଷୀମାନେ ଏଠାରେ ଡେରା ମାରିଛନ୍ତି। ଜଳାଶୟ  ଦଳ, ପଙ୍ଖରେ ପାଟି ହୋଇଯାଇଛି। ଫଳରେ ପକ୍ଷୀମାନଙ୍କ ପାଇଁ ପର୍ଯାପ୍ତ  ଖାଦ୍ୟ ମହଜୁଦ ଥିବାରୁ  ତାହା ପକ୍ଷୀଙ୍କୁ ଆକୃଷ୍ଟ କରୁଛି।

ଖରା ସମୟରେ ଜଳାଶୟ ପାଣି କମି ଯିବାରୁ ଉପରମୁଣ୍ଡର କିଛି ଚାଷୀ ଅନାଧିକାର ଭାବେ ଜଳାଶୟର ଜମିରେ ଧାନ ଚାଷ କରୁଛନ୍ତି। ଉକ୍ତ ଜମିରେ କୀଟନାଶକ, ରାସାୟନିକ ସାର ବ୍ୟବହାର ଯୋଗୁଁ ଜଳାଶୟର ପାଣି କିଛି ନିୟମିତ ଭାବେ ପ୍ରଭାବିତ ହେଉଛି। ଫଳରେ ଜଳାଶୟର ଜଳଚର କୀଟପତଙ୍ଗ, ଛୋଟ ମାଛ ମରି ଯାଉଥିବା କୁହାଯାଉଛି। ଯାହାକି ବିଦେଶାଗତ ପକ୍ଷୀଙ୍କ ଖାଦ୍ୟକୁ ପ୍ରଭାବ ପକାଇବ। ଏହା ଛଡ଼ା ବିଦେଶାଗତ ପକ୍ଷୀଙ୍କ ଏଠାକୁ ଆଗମନ ସମୟରେ ଜଳାଶୟ ସଂଲଗ୍ନ ଜମିରେ ନଡ଼ା ପୋଡ଼ୁଥିବାରୁ ଧୂଆଁର କୁପ୍ରଭାବ ପକ୍ଷୀଙ୍କ ସିଧାସଳଖ ପଡୁଛି। ୨୦୧୬ ମସିହାରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା। ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ପକ୍ଷୀ ଏଠାକୁ ଆସୁଥିବା ଅନୁଧ୍ୟାନରେ ଜାଣିପାରିଲେ।

ହେଲେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସେପରି କୌଣସି ତତ୍ପରତା ବା ଆଗ୍ରହ ନାହିଁ। ପୂର୍ବରୁ ଏଠାରେ ପକ୍ଷୀ ଶିକାର କରାଯାଉଥିଲା। ତେବେ ବିଦେଶାଗତ ପକ୍ଷୀ ଆସୁଥିବା ଜଣାପଡ଼ିବା ପରେ ପଂଚାୟତ ପକ୍ଷରୁ ପକ୍ଷୀ ସୁରକ୍ଷା ନେଇ ପୂର୍ବତନ ସରଂପଚ ରୋହିତ ଭୋଇ, ସୁଧୀର ପ୍ରଧାନ ଆଗଭର ହୋଇଥିଲେ। ପକ୍ଷୀ ଶିକ‌ାର ନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ବିଦେଶାଗତ ପକ୍ଷୀଙ୍କ ସଂରକ୍ଷଣ, ଆମନ୍ତ୍ରଣ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଝିଲିମିଣ୍ଡା ଜଗନ୍ନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରକୃତି ପ୍ରେମୀ ଧର୍ମରାଜ ପ୍ରଧାନ। ବିଦେଶାଗତ ପକ୍ଷୀ ସଂରକ୍ଷଣ ଦିଗରେ ସଚେତନତା, ଜାଗ୍ରତା ସୃଷ୍ଟି କରିବା ପାଇଁ ବନବିଭାଗ ପକ୍ଷରୁ ତାଙ୍କୁ ୨୦୧୭ରେ ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।  ଜଳାଶୟକୁ ସାଧାରଣ ପ୍ରବେଶ ଦିଗରେ ନିଷିଦ୍ଧାଂଚଳ ଘୋଷଣା କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe