ସୀମାନ୍ତ ୧୦ଟି ଗ୍ରାମରେ ଭୋଟ ବର୍ଜନ; ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗରେ ଧାରଣାରେ ବସିଲେ

ସୀମାନ୍ତ ୧୦ଟି ଗ୍ରାମରେ ଭୋଟ ବର୍ଜନ; ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗରେ ଧାରଣାରେ ବସିଲେ

ରାଇଘର: ମୌଳିକ ସୁବିଧାରୁ ବଞ୍ଚିତ ତଥା ଜଙ୍ଗଲ ଅଧିକାର ଆଇନର ଉଲଂଘନ ହେଉଥିବା ସହିତ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବୀରେ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ପ୍ରାୟ ୫ଟି ବୁଥର ୧୦ ଗୋଟି ଗ୍ରାମର ଭୋଟରସ୍‌  ଭୋଟ ବର୍ଜନ କରିଛନ୍ତି। ଆଡାମାଧମକି ଗ୍ରାମରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ଲୋକ ଭୋଟ ଶେଷ ହେବା ଯାଏଁ ଧାରଣାରେ ବସିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ରାଇଘର ବ୍ଲକ ଅନ୍ତର୍ଗତ ଖୁଡୁକୁ ପଞ୍ଚାୟତ ମଧ୍ୟରେ ରହିଥିବା ଖୁଡ଼ୁକୁ (ବୁଥ ନମ୍ବର ୬), କନ୍ଦାଚୁଆଁ (ବୁଥ ନମ୍ବର ୭), କାଣ୍ଡିତରା ( ବୁଥ ନମ୍ବର ୬), ଧବଲାପାରା (ବୁଥ ନମ୍ବର ୮) ଓ କେରାଡିହି (ବୁଥ ନମ୍ବର ୯)ରେ ଆଜି ଭୋଟରସ୍‌ଙ୍କ ଦେଖା ମିଳି ନଥିଲା। ଏହିି ବୁଥ ଗୁଡ଼ିକରେ ତାଲିକା ଭୁକ୍ତ ଥିବା ଆଡାମାଧମକି , ଲାଲଭଟରାଲି, ଘାଇତାବେଡ଼ା, ମଦନଶ୍ରୀ, ଚିଡ଼େଇପାଣି, ଗଦ୍ରାବାଟି, ଛାପରପାଣି, ତରାଇଡଙ୍ଗରି, ମାକଡଟେଣ୍ଡୁ ଓ କେରାଡ଼ିହି ଭଳି ଗ୍ରାମର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଲୋକେ ଆଜି ସକାଳୁ ଅଡ଼ମାଢମକି ଠାରେ ଏକତ୍ରିତ ହୋଇଥିଲେ। ନିଜ ଅଂଚଳରେ ବିଭିନ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ସରକାର ବିଫଳ ହୋଇଥିବା ସହିତ ଜଂଗଲ ଅଧିକାର ଆଇନର ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ। ଦାବୀ ପୂରଣ ନହେବା ଯାଏଁ ଭୋଟ ଦେବୁ ନାହିଁ କହି ନିଜ ଜିଦ୍‌ରେ ଅଟଳ ରହିଥିଲେ।

publive-image

ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ବ୍ୟତିକ୍ରମ ସହିତ ନିଜ ଗ୍ରାମରେ ରାସ୍ତା, ନଳକୂଅ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ରାଇଘର ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ମଧ୍ୟରେ ରହିଥିବା ୫ଗୋଟି ଗ୍ରାମବାସୀ ଆଜି ଭୋଟ ବର୍ଜନ କରିଥିବା ଜଣାପଡିଛି` ଏହି ୧୧ ନମ୍ବର ୱାର୍ଡର ବେନାସ, ନୂଆପାରା, ଖୁସୁରିକହଡ଼ା, ବାଘମୁଣ୍ଡ ଓ ଭାଜିକହଡ଼ା ଇତ୍ୟାଦି ଗ୍ରାମବାସୀ ଭୋଟ ବର୍ଜନ କରିଥିବା ବେଳେ ଦାବି ପୂରଣ ନହେବା ଯାଏଁ କେବେବି ଭୋଟ ଦେବୁ ନାହିଁ କହି ନିଜ ଜିଦରେ ରହିଥିଲେ। ପ୍ରଶାସନର ଅବହେଳାକୁ ନେଇ ଭୋଟ ବର୍ଜନ ହୋଇଥିବା ସାଧରଣରେ ଆଲୋଚନା ହେଉଥିବା ବେଳେ ହଳଦୀ ପଂଚାୟତର ଡଙ୍ଗରିପାରା ବୁଥରେ ଭୋଟରସ୍‌ଙ୍କ ଦେଖା ମିଳି ନଥିଲା।

ଖବର ପାଇ ରାଇଘର ତହସିଲଦାର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୁନ୍ଦେଇ ଥାନା ଅଧିକାରୀ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ବି ସେମାନେ ମାନି ନଥିଲେ। ଲିଖିତ ପ୍ରତିଶ୍ରୁତି ଦେବା ପରେ ହିଁ ଭୋଟ ଦେବୁ ବୋଲି ଜିଦ ଧରିଥିଲେ। ଶେଷରେ ଭୋଟ ଗ୍ରହଣ ସମୟ ଶେଷ ହେବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଧାରଣା ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe