୨ ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ୍‌

ଜଣେ ନିର୍ଦ୍ଦୋଷରେ ଖଲାସ

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ସୋନପୁର: ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ସୁବର୍ଣ୍ଣପୁର ଏଡିଜେ ପୂର୍ଣ୍ଣିମା ଜେନା‌ ୨ ଜଣ ଗଞ୍ଜେଇ ଚୋରା ଚାଲଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଓ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନେ ହେଲେ ଅନୁଗୁଳ ଜିଲ୍ଲା ହଣ୍ଡପାର ଅଲି ଓରଫ ଅଜୟ ଅମାତ ଓ ସୋନପୁର ପଟାଭାଡ଼ିର ପ୍ରାଣବନ୍ଧୁ ଓରଫ ମୁନା ମିଶ୍ର। ଅନ୍ୟପଟେ ସାକ୍ଷ୍ୟ ପ୍ରମାଣ ଅଭାବରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପରା ଗ୍ରାମର ସୁଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଗତ ୨୦୧୩ ଅଗଷ୍ଟ ୨୮ ତାରିଖ ଦିନ ଏକ କାରରେ ଅଭିଯୁକ୍ତ ଅଲି, ପ୍ରାଣବନ୍ଧୁ ଏବଂ ସୁଶାନ୍ତ ଗଞ୍ଜେଇ ଚୋରା ଚାଲା‌ଣ କରୁଥିବା ବେଳେ ବିନିକା ପୁଲିସ ବିନିକା ନୂଆ ବଜାର ନିକଟରେ ଚଢ଼ଉ କରି ଧରିଥିଲା। ସେମାନଙ୍କ ନିକଟରୁ ୧୦୬ କେଜି ୬୩୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ତେବେ ସୁଶାନ୍ତ ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ପୁଲିସ୍‌ ଅଲି ଓ ପ୍ରାଣବନ୍ଧୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସୁଶାନ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା। ଏହି ମାମଲା ସୁବର୍ଣ୍ଣପୁର ଏଡିଜେ କୋର୍ଟରେ ମାମଲା ଚାଲିଥିଲା। ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏଡିଜେ ପୂର୍ଣ୍ଣିମା ଜେନା ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ସୁଶାନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe