Image Courtesy of MSN
କାଳିଆପାଣି : ଭିନ୍ନ ଜାତିରେ ବିବାହ ପାଇଁ ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ପଛରେ ଲକ୍ଷ୍ୟ ହେଉଛି, ଜାତିପ୍ରଥା ଉଚ୍ଛେଦ କରିବା। କିନ୍ତୁ, ଯାଜପୁର ଜିଲ୍ଲା କାଳିଆପାଣି ଗାଁରେ ଏହାର ଓଲଟା ଚିତ୍ର ନଜରକୁ ଆସିଛି। ଭିନ୍ନ ଜାତିରେ ବିବାହ କରିଥିବାରୁ ଏକ ନବଦମ୍ପତିଙ୍କୁ ୧୦ବର୍ଷ ପାଇଁ ଗାଁରୁ ବାସନ୍ଦ କରାଯାଇଛି। ଏହି ନବଦମ୍ପତି ହେଉଛନ୍ତି, ସନ୍ତୋଷ ମହାରଣା(ଟୁକୁ) ଓ ତାଙ୍କ ପତ୍ନୀ ରେବତୀ ପ୍ରଧାନ(ଟୁନୁ)।
କାଳିଆପାଣି ଗାଁର ବଢ଼େଇ ଜାତିର ଗୌରାଙ୍ଗ ମହାରଣାଙ୍କ ପୁଅ ଟୁକୁ(୨୫) ଓ ଶବର ସଂପ୍ରଦାୟର ଲକ୍ଷ୍ମଣ ପ୍ରଧାନଙ୍କ ଝିଅ ଟୁନୁ(୨୧) ପରସ୍ପରକୁ ଭଲ ପାଉଥିଲେ। ଏ ସଂପର୍କରେ ଟୁନୁ ଘରେ ଜଣାଇଥିଲେ। ତେବେ, ସେମାନଙ୍କ ବିବାହକୁ ସାମାଜିକ ସ୍ବୀକୃତି ମିଳିବା ଅସମ୍ଭବ ଜାଣି ଉଭୟ ଗତ ୨୭ ତାରିଖରେ ଘର ଛାଡ଼ି ପଳାଇଥିଲେ। ସେହିଦିନ ହିଁ ସେମାନେ ନୋଟାରି ପାଖରେ ଓ ଗତ ସୋମବାର ଦିନ ସୁକିନ୍ଦା ଆଶୋକଝର ମନ୍ଦିରରେ ବିବାହ କରିଥିଲେ। ଏହି ବିବାହରେ ମହାରଣା ପରିବାର ସାମିଲ ହୋଇଥିଲେ। କିନ୍ତୁ, ପ୍ରଧାନ ପରିବାର ଏହାକୁ ବର୍ଜନ କରିଥିଲେ।
ଅନ୍ୟପକ୍ଷରେ, ଭିନ୍ନଜାତିରେ ବିବାହ ପ୍ରତିବାଦରେ ସ୍ଥାନୀୟ ଶବର ସମାଜ ପକ୍ଷରୁ ଗାଁରେ ନିଶାପ ବସିଥିଲା। ଏଥିରେ ଟୁକୁଙ୍କ ପିତା ଗୌରାଙ୍ଗ ମହାରଣାଙ୍କୁ ଡକାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପୁଅକୁ ୧୦ ବର୍ଷ ଗାଁକୁ ନଆଣିବା ପାଇଁ ସ୍ବୀକାରୋକ୍ତି ପତ୍ର ଲେଖାଇ ନିଆଯାଇଛି। ଏଥିସହ ତାଙ୍କ ପରିବାରକୁ ଗାଁ ପୋଖରୀ ଓ ସାମୂହିକ ଉତ୍ସବରୁ ବାସନ୍ଦ କରାଯାଇଛି। ବିବାହରେ ସହଯୋଗ କରିଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚ ବୈଷ୍ଣବ ପ୍ରଧାନଙ୍କ ପୁଅ ପ୍ରଦୀପଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ଅନ୍ୟପକ୍ଷରେ, ବାସନ୍ଦ ଏବଂ ଜୀବନ ପ୍ରତି ଭୟ କାରଣରୁ ଏକ ଖଣିରେ ଚାକିରି କରୁଥିବା ଟୁକୁ ୧୭ ଦିନ ହେଲା ନିଜ ଗାଁ କାଳିଆପାଣିକୁ ଫେରିପାରି ନାହାନ୍ତି।
Follow Us