୧୦ବର୍ଷ ବାଳକର ସାହସିକତା : ବୁଡ଼ି ଯାଉଥିବା ଶିଶୁପୁତ୍ରକୁ ଦେଲା ନୂଆ ଜୀବନ

Advertisment
୧୦ବର୍ଷ ବାଳକର ସାହସିକତା : ବୁଡ଼ି ଯାଉଥିବା ଶିଶୁପୁତ୍ରକୁ ଦେଲା ନୂଆ ଜୀବନ

ରାଜନଗର : ପୋଖରୀରେ ବୁଡ଼ି ଯାଉଥିବା ଶିଶୁପୁତ୍ରକୁ ଉଦ୍ଧାର କରି ଅଦମ୍ୟ ସାହସିକତାର ପରିଚୟ ଦେଇଛି ରାଜନଗର ବ୍ଲକ୍‌ ଡାଙ୍ଗମାଳ ପଂଚାୟତ ବରାଡିଆ ଗାଁର ୧୦ବର୍ଷର ବାଳକ ଅଂଶୁମାନ। ଆଗପଛ ବିଚାର ନ କରି ପୋଖରୀକୁ ଡେଇଁ ଶିଶୁପୁତ୍ରକୁ ନିଶ୍ଚିତ ମରଣ ମୁହଁରୁ ଟାଣି ଆଣିଥିବାରୁ ଏଭଳି କାର୍ଯ୍ୟ ପାଇଁ ଅଂଶୁମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

ରାଜନଗର ବ୍ଲକ୍‌ ଡାଙ୍ଗମାଳ ପଂଚାୟତ ବରାଡିଆ ଗାଁର ବିଭୀଷଣ ରାଉତଙ୍କ ୨ବର୍ଷର ଶିଶୁପୁତ୍ର ସିଦ୍ଧେଶ୍ବର ଗତକାଲି ଅପରାହ୍ନ ୫ଟାରେ ଘରେ ଖେଳୁଥିବା ବେଳେ ବାଡ଼ି ପଟରେ ଥିବା ପୋଖରୀ ପାଖକୁ ଚାଲି ଯାଇଥିଲା। ଭୁଲବଶତଃ ପୋଖରୀରେ ଖସିପଡ଼ି ସେ ଗଭୀର ପାଣିକୁ ଚାଲି ଯାଇଥିଲା। ଏହି ସମୟରେ ସେହି ଗାଁର ଅଜୟ ବେହେରାଙ୍କ ପୁଅ ଅଂଶୁମାନ ବଜାରରୁ ମାଙ୍କ ପାଇଁ ପାନ କିଣି ଫେରୁଥିବା ବେଳେ ରାସ୍ତାକଡ଼ରେ ବାଡ଼ ଭିତରେ ଥିବା ପୋଖରୀ ମଝିରେ ଏକ ବଡ଼ ମାଛ ଭାସୁଥିବା ତାଙ୍କ ନଜରକୁ ଆସିଥିଲା। ସେ ବାଡ଼ ପାଖରେ ଛିଡ଼ା ହୋଇ ଲକ୍ଷ୍ୟ କରିବା ବେଳେ ଏକ ଲକେଟ୍‌ ଦେଖାଯାଇଥିଲା। ଏତିକିବେଳେ ଶିଶୁପୁତ୍ରଟି ପାଣିରେ ବୁଡିଯାଉଥିବା ଦେଖି ଅଂଶୁମାନ ବାଡ଼ ଡେଇଁ ପୋଖରୀ ପାଖକୁ ଚାଲି ଯାଇଥିଲା ଏବଂ ଆଗପଛ ବିଚାର ନ କରି ପାଣିକୁ ଲମ୍ଫ ମାରି ପୋଖରୀ ମଝିରେ ଭାସୁଥିବା ଶିଶୁପୁତ୍ରକୁ ଉଦ୍ଧାର କରି କୂଳକୁ ନେଇ ଆସିଥିଲା। ଶିଶୁଟିକୁ ମୁମୂର୍ଷୁ ଅବସ୍ଥାରେ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ଶିଶୁପୁତ୍ର ସୁସ୍ଥ ହେବା ପରେ ଘରକୁ ଫେରିଛି। ଏହି ଖବର ପ୍ରଚାରିତ ହେବା ପରେ ସବୁ ମହଲରେ ଅଂଶୁମାନର ସାହାସିକତାକୁ ପ୍ରଶଂସା କରାଯାଉଛି।

publive-image

ଏ ସଂପର୍କରେ ଅଂଶୁମାନ କହିଛି ଯେ, ଘରକୁ ଫେରିବା ବେଳେ ପୋଖରୀରେ ମାଛ ଭାବି ଅଟକି ଯାଇଥିଲି। ମାତ୍ର ଶିଶୁପୁତ୍ର ଭାସୁଥିବା ଦେଖି ଆଉ ଆଗପଛ ବିଚାର ନ କରି ପୋଖରୀକୁ ଡେଇଁଥିଲି। ତାକୁ ଉଦ୍ଧାର କରିଥିବାରୁ ଆତ୍ମସନ୍ତୋଷ ଲାଭ କରିଛି। ଜେଜେ ମୋତେ ପହଁରା ଶିଖାଇଥିଲେ ବୋଲି ମୁଁ ଜଣଙ୍କ ଜୀବନ ବଂଚାଇ ପାରିଲି। ଶିଶୁପୁତ୍ରର ମା’ ମାନସୀ ରାଉତ କହିଛନ୍ତି, ଆମ ଅଲକ୍ଷ୍ୟରେ ପୁଅ ପୋଖରୀ ପାଖକୁ ଚାଲିଯାଇ ପାଣିରେ ଖସି ପଡିଥିଲା। ଅଂଶୁମାନ ପୁଅକୁ ଉଦ୍ଧାର କରି ନୂଆ ଜୀବନ ଦେଇଛି। ତା ପାଇଁ ମୋ ପୁଅ ବଂଚିଗଲା। ଭଗବାନ ଅଂଶୁମାନକୁ ଦେବଦୂତ ସଜାଇ ପଠାଇଥିଲେ ବୋଲି କହିଛନ୍ତି। ସୂଚନା ଥାଉକି, ଗ୍ରାମର ବିଭୀଷଣ ରାଉତଙ୍କ ଏହି ପୋଖରୀରେ ପୂର୍ବରୁ ୨ଜଣ ଶିଶୁ ବୁଡି ଯାଇ ପ୍ରାଣ ହରାଇଛନ୍ତି। ତେଣୁ କାଲିର ଘଟଣା ପରେ ଏହି ଅଭିଶପ୍ତ ପୋଖରୀକୁ ସେ ପୋତି ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe