International Adviser
ସୋନପୁର : ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ସୁବର୍ଣ୍ଣପୁର ଜିଲ୍ଲା ଓ ଦୌରା ଜଜ୍ ରଶ୍ମି ମୋହନ ଆଚାର୍ଯ୍ୟ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ୨୦୧୪ ମସିହା ଡିସେମ୍ବର ୧୬ ତାରିଖ ଦିନ ଏକ ବଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତରଭା ପୁଲିସ ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଘାଟକଇଁତରା ସେତୁ ନିକଟରେ ଚଢ଼ଉ କରି ଗାଡ଼ିକୁ ଧରିଥିଲା। ଯାଞ୍ଚ ବେଳେ ସେଥିରୁ ୫୦ କେଜି ୪୭୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।
ଏ ନେଇ ତରଭା ଥାନାରେ ମାମଲା ରୁଜୁ ହେବା ସହ ପୁଲିସ୍ ବରଗଡ଼ ଜିଲ୍ଲା ବରପାଲି ଥାନା ବରପାଲି ହାଟପଦାର ଅନନ୍ତ ମେହେର ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମଲିକୁଦ ଗ୍ରାମର କୁରୁପତି ରଣାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଉକ୍ତ ମାମଲା ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ବିଚାରାଧୀନ ଥିଲା। ଏଥିରେ ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଭତ୍ତିରେ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଆଚାର୍ଯ୍ୟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପ୍ରକାଶ ଚନ୍ଦ୍ର ମିଶ୍ର ମାମଲା ପରିଚାଳନା କରୁଥିଲେ।
Follow Us