୧୦୦୦ କୋଟି ବନ୍ୟା ସହାୟତା ଦାବି, ଜିଲ୍ଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

୧୦୦୦ କୋଟି ବନ୍ୟା ସହାୟତା ଦାବି, ଜିଲ୍ଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ବଲାଙ୍ଗୀର: ବନ୍ୟା କ୍ଷତିଗ୍ରସ୍ତଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ଏଭଳି ଅଭିଯୋଗ ନେଇ ଗର୍ଜିଛି ବଲାଙ୍ଗୀର କଂଗ୍ରେସ। କଂଗ୍ରେସ ଦଳ ପକ୍ଷରୁ ୧୦୦୦ କୋଟି ଟଙ୍କା ବନ୍ୟା ସହାୟତା ଦାବିରେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି।

ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ବଲାଙ୍ଗୀର ବନ୍ୟାରେ ବହୁ ଲୋକଙ୍କ ଧନଜୀବନ ନଷ୍ଟ ହେଲା। ରାଜ୍ୟ ଓ କେନ୍ଦ୍ର ଉଭୟ ସରକାରଙ୍କ ମନ୍ତ୍ରୀ ଆସି ନିଜ ଆଖିରେ ସବୁ ଦେଖି ଫେରିଥିଲେ। ୧୦୦୦ କୋଟି ଟଙ୍କା ସହାୟତା ଦାବି କରାଯାଇଥିଲା। କିନ୍ତୁ ମିଳିଲା ୩୬ କୋଟି । ପାର୍ବଣ ପୂର୍ବରୁ ସରକାରଙ୍କୁ ଦାବି ପୂରଣ ପାଇଁ ଚେତାବନୀ ଦିଆଯାଇଥିଲା। କିନ୍ତୁ ଦାବିକୁ କେହି କର୍ଣ୍ଣପାତ କଲେ ନାହିଁ। ୧୦୦୦ କୋଟି ବଦଳରେ ୧୦୦ କୋଟି ବି ଦେଇ ନାହାନ୍ତି। ବଲାଙ୍ଗୀର ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ଅଣଦେଖା କରିଛନ୍ତି। ତୁରନ୍ତ ଦାବି ପୂରଣ ପୂର୍ବକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ନକଲେ ଆଗକୁ ସାରା ଜିଲ୍ଲାରେ ଆନ୍ଦୋଳନର ନିଆଁ ବ୍ୟାପିବ ବୋଲି ବିଧାୟକ ଶ୍ରୀ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି।

କଂଗ୍ରେସ ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦଳୀୟ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ନେତୃତ୍ୱ ନେଇଥିଲେ। ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଦିଲ୍ଲୀପ ବେହେରା ସଭାପତିତ୍ୱ କରିଥିଲେ। ଜିଲ୍ଲା କଂଗ୍ରେସ ମୁଖପାତ୍ର ସାନନ୍ଦ ମିଶ୍ର ସଂଯୋଜନା କରିଥିଲେ। ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe