ଶହେ ଦିନରେ ପହଞ୍ଚିଲା କୃଷକ ସଂଘର ଧାରଣା

Advertisment
ଶହେ ଦିନରେ ପହଞ୍ଚିଲା କୃଷକ ସଂଘର ଧାରଣା

ପଦ୍ମପୁର: ଇନପୁଟ ସବସିଡି, ଫସଲ ବୀମା, ବିଦ୍ୟୁତ ବିଲ, ଧାନ ବିକ୍ରିରେ ସରକାରଙ୍କ ଚଂଚକତା ଦାବିରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଦଳମତ ନିର୍ବିଶେଷରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଚଳାଇଥିବା ଧାରଣା ୧୦୦ ଦିନରେ ପହଂଚିଛି। କୃଷକମାନଙ୍କର ସାମୂହିକ ସ୍ବାର୍ଥରେ ଚାଲିଥିବା ଏହି ଧାରଣା ୧୦୦ ଦିନ ପୂରଣ ପରେ ଚାଷୀମାନେ ତାଙ୍କର ରଣନୀତିରେ ପରିବର୍ତ୍ତନ କରିଛନ୍ତି। ପଦ୍ମପୁର ଗୋରୁ ବଜାରରେ କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ସଭାପତିତ୍ବରେ ଶତାଧିକ ଚାଷୀ ଏକତ୍ରିତ ହୋଇ ଚାଷ ଓ ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଇନପୁଟ ସବ୍‌ସିଡି ୭୨ ହଜାର ହେକ୍ଟରରୁ ଏକ ଲକ୍ଷ ହେକ୍ଟର ବୃଦ୍ଧି କରିବା, ଚାଷୀଙ୍କ ସମସ୍ତ ଧାନ ବିକ୍ରି କରିବା ପାଇଁ ସରକାର ସବୁଜ ସଙ୍କେତ ଦେଇଛନ୍ତି।

ବୀମା ସଂପର୍କରେ ମଧ୍ୟ ସରକାର କୋହଳ ମନୋବୃତ୍ତି ନେଇଛନ୍ତି। ତେଣୁ ଚାଷୀମାନେ ସାମାନ୍ୟ ଆଶ୍ବସ୍ଥ ହୋଇଛନ୍ତି। କୁସୁମ ଯୋଜନାକୁ ପଦ୍ମପୁର ଅଂଚଳରେ କାର୍ଯ୍ୟକାରୀ କରିବାକୁ ସଂପୃକ୍ତ ସଂସ୍ଥାକୁ ଆମନ୍ତ୍ରଣ କରି ଆଲୋଚନା କରିବାକୁ ସଭାରେ ମତପ୍ରକାଶ ପାଇଥିଲା। ଇନପୁଟ ସବ୍‌ସିଡି, ବୀମା ପ୍ରଦାନ, ଧାନ ବିକ୍ରିରେ ସରକାର ଚଂଚକତା କଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ସଭାରେ ଚାଷୀନେତା ରମେଶ ମହାପାତ୍ର, ଉପଦେଷ୍ଟା ଅଜିତ ଶତପଥୀ, ରୋହିତ ପ୍ରଧାନ, କୈଳାସ ବାରିକ, ପଞ୍ଚାନନ ସାହୁ, ଅରବିନ୍ଦ ପଣ୍ତା, ସାମନ୍ତ ସାହୁ, ଅରକ୍ଷିତ ପ୍ରଧାନ, ଭଗବାନ ପ୍ରଧାନ, ତୁଳାରାମ ବେହେରା, ସୁଦାମ ଦାସ, ଚିତ୍ତ ପାଣ୍ତେ, ଶେଷଦେବ ନାୟକ, କିଶୋର ଦାସ, ବୀରେନ୍ଦ୍ର ପ୍ରଧାନ, ସଫେଦ ବାରିକ, ଅମୃତଲାଲ ସାହୁ, କାହ୍ନୁ ମେହେର, ଶୁକଦେବ ମେହେର ପ୍ରମୁଖ ନେତୃମଣ୍ତଳୀ ଯୋଗଦାନ କରି କୃଷକ କଲ୍ୟାଣ ପାଇଁ ନିଜ ନିଜର ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe