ଚର୍ଚ୍ଚିତ ପ୍ରମୋଦିନୀ ହତ୍ୟା ଘଟଣା: ଅପରାଧୀଙ୍କ ସୂଚନା ଦେଲେ ୧୦ ହଜାର ପୁରସ୍କାର

Advertisment

୬୦ ଜଣଙ୍କୁ ଜେରା, ୫ଜଣଙ୍କ ପଲିଗ୍ରାଫ୍‌ ଟେଷ୍ଟରୁ ସୁରାକ୍‌ ମିଳିଲାନି, ନଖ ଟୁକୁଡ଼ା ପଠାଗଲା ଡିଏନ୍‌ଏ ଟେଷ୍ଟ୍‌ ପାଇଁ

୬୦ ଜଣଙ୍କୁ ଜେରା, ୫ଜଣଙ୍କ ପଲିଗ୍ରାଫ୍‌ ଟେଷ୍ଟରୁ ସୁରାକ୍‌ ମିଳିଲାନି, ନଖ ଟୁକୁଡ଼ା ପଠାଗଲା ଡିଏନ୍‌ଏ ଟେଷ୍ଟ୍‌ ପାଇଁ

ଚର୍ଚ୍ଚିତ ପ୍ରମୋଦିନୀ ହତ୍ୟା ଘଟଣା: ଅପରାଧୀଙ୍କ ସୂଚନା ଦେଲେ ୧୦ ହଜାର ପୁରସ୍କାର

ବ୍ରହ୍ମପୁର/ଚିକିଟି: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ତଥା ଦିଗପହଣ୍ତି ବ୍ଲକ୍‌ ଦେଖାଳି ଗାଁର ପ୍ରମୋଦିନୀ ନାୟକଙ୍କ ହତ୍ୟା ଘଟଣାକୁ ୭ମାସ ପୂରିଲା। ଏହି ବହୁଚର୍ଚ୍ଚିତ ବୀଭତ୍ସ ହତ୍ୟା ଘଟଣାରେ କେ.ନୂଆଗାଁ ଏବଂ ବ୍ରହ୍ମପୁର ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ସନ୍ଦେହରେ ପ୍ରାୟ ୬୦ ଜଣଙ୍କୁ ଆଣି ଜେରା କରିସାରିଛି। ତଦନ୍ତ ଏଯାବତ୍ କୌଣସି ନିଷ୍କର୍ଷରେ ପହଞ୍ଚିବା ଦୂର କଥା ଅଭିଯୁକ୍ତ ସଂକ୍ରାନ୍ତରେ ସୁରାକ୍ ମଧ୍ୟ‌ ପାଇପାରିନି ପୁଲିସ। ବ୍ରହ୍ମପୁର ପୁଲିସ ଶେଷରେ ଉପାୟଶୂନ୍ୟ ହୋଇ ହାତ ଟେକିଦେବା ସହ ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ସୂଚନା ଦେଲେ ୧୦ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି। ଏଥିସହ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ତଦନ୍ତ ପ୍ରକ୍ରିୟା ସନ୍ତୁଷ୍ଟ ନୁହନ୍ତି ମୃତା ପ୍ରମୋଦିନୀଙ୍କ ମାଆ ରମା ନାୟକ। ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ ଦାବି କରି ରମା ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହାର ଶୁଣାଣି ଆସନ୍ତାକାଲି ରହିଥିବା ଆଇନଜୀବୀ ଶ୍ରୀକାନ୍ତ ପାଢ଼ୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଦେଖାଳି ଗ୍ରାମର ଲଡ଼ୁ ନାୟକଙ୍କ ଝିଅ ପ୍ରମୋଦିନୀ(୨୨) ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ମାଆ ରମାଙ୍କ ସହିତ ଅଧିକାଂଶ ସମୟରେ ବିଲକୁ କାମ କରିବାକୁ ଯାଉଥିଲେ। ଗତ ମେ' ୧୦ ତାରିଖ ସକାଳ ୮ଟା ବେଳେ ପ୍ରମୋଦିନୀ ମାଆଙ୍କ ସହିତ ବିଲକୁ କାମ କରିବାକୁ ଯାଇଥିଲେ। ବିଲରେ କିଛି ସମୟ କାମ କରିବା ପରେ ମାଆଙ୍କୁ କହି ନିକଟସ୍ଥ କଣ୍ଟେଇଯୋଡ଼ି ନଦୀକୁ ଲୁଗା ସଫା କରିବାକୁ ଯାଇଥିଲେ। କିନ୍ତୁ ପ୍ରମୋଦିନୀ ଦୀର୍ଘ ସମୟ ଧରି ନ ଫେରିବାରୁ ମାଆ ରମା ତାଙ୍କୁ ଡାକିବାକୁ ଯାଇ ନଦୀ କୂଳରେ ଝିଅର କ୍ଷତବିକ୍ଷତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଏ ସ˚କ୍ରାନ୍ତରେ ରମା କେ.ନୂଆଗାଁ ଥାନାରେ ସଙ୍ଗେ ସଙ୍ଗେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପଞ୍ଚନାମା କରିବା ସହ ଶବକୁ ଜବତ କରିଥିଲା। ଘଟଣାସ୍ଥଳରୁ ହଳେ ପୁରୁଷ ଚପଲ, ମୃତା ପ୍ରମୋଦିନୀ ଚପଲ, ଲୁଗା ସଫା କରିବାକୁ ନେଇଥିବା ବାଲ୍‌ଟି‌ ଓ ତାଙ୍କ ମୋବଇଲ୍‌ ଫୋନ୍‌ ଜବତ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ କେ.ନୂଆଗାଁ ଥାନା ପୁଲିସ କେସ ୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଏହାକୁ ହତ୍ୟା ମାମଲାରେ ରୂପାନ୍ତର କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାର ସ୍ପଷ୍ଟ ପ୍ରମାଣ ମିଳିଥିଲା। କିଛି ଦିନ ପରେ ରମା ଉକ୍ତ ଅଞ୍ଚଳର କିଛି ଯୁବକଙ୍କ ନାମରେ ଅଭିଯୋଗ ଆଣି ଥାନାରେ ଦ୍ବିତୀୟ ଥର ଲାଗି ଅଭିଯୋଗ କରିଥିଲେ। ଉକ୍ତ ଯୁୂବକଙ୍କ ଉପରେ ସନ୍ଦେହ କରି ସେମାନେ ହତ୍ୟା କରି ଥାଇପାରନ୍ତି ବୋଲି ଅଭିଯୋଗ କରିଥିଲେ। ଏହାର କିଛି ଦିନ ପରେ ମୃତା ପ୍ରମୋଦିନୀଙ୍କ ପ୍ରେତାତ୍ମା ତାଙ୍କର ଜଣେ ସମ୍ପର୍କୀୟଙ୍କ ଦେହରେ ସବାର ହୋଇ ଅଭିଯୁକ୍ତଙ୍କ ନାଁ ମଧ୍ୟ ଲେଖିଥିବା ଭଳି ଅଲୌକିକ ଘଟଣା ମାମଲାକୁ ଅଧିକ ଗମ୍ଭୀର କରିଥିଲା। ଇତି ମଧ୍ୟରେ ମୃତାଙ୍କ ମାଆ ଏସ୍‌ପି, ଡିଆଇଜି, ଓଡ଼ିଶା ପୁଲିସ ଡିଜିଙ୍କ ପର୍ଯ୍ୟନ୍ତ ଯାଇ ନ୍ୟାୟ ମାଗି ସାରିଲେଣି। ମାମଲା ହାଇକୋର୍ଟ ଓ ଜାତୀୟ ମାନବାଧିକାର କମିସନ୍‌ଙ୍କ ପାଖକୁ ଗଲାଣି।

ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଗ୍ରାମକୁ ଓ ହତ୍ୟା କରା ଯାଇଥିବା ଘଟଣାସ୍ଥଳକୁ ଦୁଇ ଦୁଇ ଥର ଯାଇ ସରଜମିନ୍‌ ତଦନ୍ତ କରିବା ସହ ମୃତା ପ୍ରମୋଦିନୀଙ୍କ ପରିବାର ବର୍ଗ ସହ ଆଲୋଚନା କରିଛନ୍ତି। ପ୍ରାୟ ୫ଜଣଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ଏତେ ସବୁ ପରେ ବି ତଦନ୍ତରୁ କିଛି ସୁଫଳ ମିଳିନାହିଁ। ଆଜି ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଘୋଷଣାନାମା ଜାରି କରାଯାଇଛି। ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ସୂଚନା ଦେଲେ ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବା ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଏହି ଘଟଣାର ସବୁ ଦିଗରୁ ତଦନ୍ତ ସରିଛି। ବୈଷୟିକ ଦିଗରୁ ମଧ୍ୟ ମଧ୍ୟରୁ ତଦନ୍ତ ହୋଇଛି। ୬୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ପଚରାଉଚରା ସରିଛି। ପରିବାର ଲୋକ ଯେଉଁମାନଙ୍କ ନାମରେ ଅଭିଯୋଗ ଆଣିଥିଲେ ସେମାନଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ଆଉ କିଛି ଲୋକଙ୍କ ପଲିଗ୍ରାଫ୍‌ ଟେଷ୍ଟ ଲାଗି ମଧ୍ୟ ଯୋଜନା ଅଛି। ଏଥିସହ ନେଲ କ୍ଲିପିଙ୍ଗ(ନଖ ଟୁକୁଡ଼ା) ଡିଏନ୍‌‌ଏ ପରୀକ୍ଷା ଲାଗି ପଠାଯାଇଛି। ବର୍ତ୍ତମାନ ପୁରସ୍କାର ଘୋଷଣା ତଦନ୍ତର ଅଂଶ ବିଶେଷ। ତେଣୁ ଏହି କେସ୍‌ରେ ସଫଳତା ପାଇବୁ ବୋଲି ଆମେ ଆଶାବାଦୀ ଅଛୁ।

ଆଇନଜୀବୀ ଶ୍ରୀକାନ୍ତ ପାଢୀ କହିଛନ୍ତି, ଏହି ଘଟଣାର ସମସ୍ତ ପ୍ରମାଣକୁ କେ.ନୂଆଗାଁ ଥାନା ପୁଲିସ ନଷ୍ଟ କରି ଦେଇଛି। ପ୍ରଥମ ଦିନରୁ ହିଁ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଥିଲା। ପୁଲିସ କିନ୍ତୁ ଅପମୃତ୍ୟୁ ମାମଲା ରୁଜୁ କରି ବସିପଡ଼ିଲା। ଘଟଣାର ୨୮ଦିନ ପରେ ହତ୍ୟା ମକଦ୍ଦମା ରୁଜୁ କଲା। ଘଟଣାସ୍ଥଳରେ ପୁରୁଷ ଲୋକଙ୍କ ଚପଲ ପଡ଼ିଥିଲା। ପ୍ରଥମ ଦିନ ସନ୍ଧାନୀ କୁକୁର ନେଇ ତଦନ୍ତ କରାଗଲା ନାହିଁ। ପୁଲିସ ତଦନ୍ତ ଉପରେ ମୃତା ପ୍ରମୋଦିନୀଙ୍କ ମାଆଙ୍କ ଭରସା ନାହିଁ ବୋଲି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣାର ଏକ ନରିପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ ହେବାର ଆବଶ୍ୟକତା ରିହଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe