୧୦୧ରେ ବି ସତେଜ ଦାମୋଦର, ଶାକାହାରୀ ଜୀବନ ମୋତେ ସୁସ୍ଥ ରଖିଛି

Advertisment
୧୦୧ରେ ବି ସତେଜ ଦାମୋଦର, ଶାକାହାରୀ ଜୀବନ ମୋତେ ସୁସ୍ଥ ରଖିଛି

ବର୍ତ୍ତମାନ ଲୋକମାନଙ୍କ ମନରେ ବଡ଼ ଚିନ୍ତା ହେଉଛି, କେମିତି ସୁସ୍ଥ ତଥା ନିରୋଗ ଭାବେ ଜୀବନ ଜିଇଁବା। ବିଶେଷକରି, ବୟସାଧିକ କାରଣରୁ ଏହିଭଳି ଭାବନା ମନକୁ ଅଧିକ ଆସୁଥିବା ଦେଖିବାକୁ ମିଳୁଛି। ତେବେ, ଆମ ଚାରିପାଖରେ ଏମିତି ବ୍ୟକ୍ତି ରହିଛନ୍ତି, ୯୫ କିମ୍ବା ତଦୂର୍ଦ୍ଧ୍ବ ବୟସରେ ପହଞ୍ଚିଥିଲେ ମଧ୍ୟ ସେମାନେ କେବଳ ସୁସ୍ଥ ନୁହନ୍ତି ଚଳଚଞ୍ଚଳ ବି ରହିଛନ୍ତି। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଜୀବନଯାପନ କରୁଛନ୍ତି। ତା’ହେଲେ, ଏହି ‘୯୫’ର ରାଜ୍‌ କ’ଣ? ଏହି ସ୍ବତନ୍ତ୍ର ସ୍ତମ୍ଭରେ...

ଭୁବନେଶ୍ବର : ଶହେ ଟପି ୧୦୧ ଛୁଇଁଲାଣି, ତଥାପି ଚଳଚଞ୍ଚଳ। ସକାଳୁ ଉଠି ନିଜର ନିତ୍ୟକ୍ରମ ନିଜେ କରୁଛନ୍ତି। ବହି ଓ ଖବରକାଗଜ ପଢ଼ୁଛନ୍ତି। ପୁଅ, ବୋହୂ, ନାତି ନାତୁଣୀଙ୍କ ସହ ଦିନ କାଟୁଛନ୍ତି। ଚାଲି ଚାଲି ପଡ଼ୋଶୀଙ୍କ ଘରକୁ ଯାଉଛନ୍ତି। ଆଜି ପର୍ଯ୍ୟନ୍ତ ପୁଅ-ବୋହୂଙ୍କ ଉପରେ ନିଜକୁ ବୋଝ ହେବାକୁ ଦେଇନାହାନ୍ତି। ଶହେ ବର୍ଷ ଟପି ଯାଇଥିଲେ ମଧ୍ୟ ଆଜି ବି ନିଜକୁ ଯୁବସୁଲଭ ଭାବେ ଦେଖୁଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ଦାମୋଦର ମହାନ୍ତି। ସତେଯେମିତି ବୟସ ତାଙ୍କ ଆଗରେ ହାର୍‌ ମାନିଛି।

ତାଙ୍କର ଏହି ଦୀର୍ଘ ଜୀବନର ରହସ୍ୟ ବିଷୟରେ ଶ୍ରୀ ମହାନ୍ତି କୁହନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମାଦକ ଦ୍ରବ୍ୟ ସେବନ କରିନାହିଁ। ସମ୍ପୂର୍ଣ୍ଣ ଶାକାହାରୀ ଜୀବନ ମୋତେ ସୁସ୍ଥ ରଖିବାରେ ସହାୟକ ହୋଇଛି। ଆମ ସମୟରେ ବାଡ଼ି ପନିପରିବା ହେଉ କି ଧାନ; କେଉଁଥିରେ ବି ରସାୟନିକ ସାରର ବ୍ୟବହାର ହେଉ ନଥିଲା। ସେଥିପାଇଁ ବୋଧେ ମୁଁ ଆଜି ପର୍ଯ୍ୟନ୍ତ ସୁସ୍ଥ ଜୀବନ ଅତିବାହିତ କରୁଛି। ପୁଲିସ ଚାକିରି କରିବା ସମୟରେ ନିୟମିତ ବ୍ୟାୟାମ କରୁଥିଲି, ଏବେ ବି ତାହା ଜାରି ରଖିଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଯୋଗ, ପ୍ରାଣାୟମ, ବ୍ୟାୟାମ କରୁଛି। ସନ୍ତୁଳିତ ଖାଦ୍ୟ ଖାଉଛି। ଚିନ୍ତାମୁକ୍ତ ରହିବା ସହ ପ୍ରତିଦିନ ୨ ଘଣ୍ଟା ନିୟମିତ ଖବରକାଗଜ ତଥା ଆଧ୍ୟାତ୍ମିକ ପୁସ୍ତକ ପଢ଼ୁଛି। ବାପା, ମା’ ଆଜି ନ ଥିଲେ ମଧ୍ୟ ସେମାନଙ୍କୁ ପ୍ରାର୍ଥନା କରୁଛି। ସେମାନଙ୍କ ଆଶୀର୍ବାଦ ଯୋଗୁଁ ଏତେଦିନ ସୁସ୍ଥ ରହିପାରିଛି ବୋଲି ସେ କୁହନ୍ତି।

publive-image
ସାନ ପୁଅ ନୀହାର ରଞ୍ଜନ ମହାନ୍ତିଙ୍କ କହିବା କଥା, ଚାକିରିରୁ ଅବସର ନେବା ପରେ ସେ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରୁଛନ୍ତି। ଏହା ଭିତରେ ସେ ୫ଟି ପୁସ୍ତକ ରଚନା କରିସାରିଲେଣି। ସୀମିତ ଦରମାରେ ସେ ନିଜ ପିଲାମାନଙ୍କୁ ପାଠ ପଢ଼ାଇ ମଣିଷ କରିଛନ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଆଜି ମଣିଷ ହୋଇପାରିଛୁ। ଗତ ଜୁଲାଇ ମାସରେ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯାଇଥିଲା।

ସୂଚନାଯୋଗ୍ୟ, ୧୯୨୨ ଜୁଲାଇ ୭ରେ ନିମାପଡ଼ାର ଜଇନବାଦରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନ୍ତି ଏବେ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ସାନପୁଅ ତଥା ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ପୁତ୍ରବଧୂ ସ୍ମିତା ମହାନ୍ତିଙ୍କ ସହ ରହୁଛନ୍ତି। ପିଲାଟି ଦିନରୁ ବହୁ କଷ୍ଟରେ ପାଠପଢ଼ା ଶେଷ କରିବା ପରେ ପୁଲିସ ବିଭାଗରେ ଚାକିରି ପାଇଥିଲେ। ଚାକିରି କରିବା ପରେ ବାପା, ମାଆ, ଭାଇ ଭଉଣୀ ତଥା ନିଜ ସଂସାର ଭାର ସମ୍ଭାଳି ଆଜି ପର୍ଯ୍ୟନ୍ତ ଅନୁଶାସିତ ଜୀବନ ଅତିବାହିତ କରୁଛନ୍ତି। ପୁଲିସ ଜୀବନରେ ସେ ସଦାସର୍ବଦା ଜନସେବାକୁ ପ୍ରାଥମିକତା ଦେଇଛନ୍ତି।

ବର୍ଷୀୟାନ ଦାମୋଦର ମହାନ୍ତି ସୁସ୍ଥ ତଥା ନିରୋଗ ରୁହନ୍ତୁ, ଏହା ହିଁ ପ୍ରାର୍ଥନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe