୧୦୨ ଓଏଏସ୍‌ଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ :ସମ୍ବେଦନଶୀଳତା ସହ ଲୋକଙ୍କ ସମସ୍ୟାର ସମାଧାନ କର, ଅଧିକାରୀଙ୍କ ଭିତରେ ୪୨ ମହିଳା, ୪ ଦିବ୍ୟାଙ୍ଗ ସାମିଲ

Advertisment
୧୦୨ ଓଏଏସ୍‌ଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ :ସମ୍ବେଦନଶୀଳତା ସହ ଲୋକଙ୍କ ସମସ୍ୟାର ସମାଧାନ କର, ଅଧିକାରୀଙ୍କ ଭିତରେ ୪୨ ମହିଳା, ୪ ଦିବ୍ୟାଙ୍ଗ ସାମିଲ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ୨୦୧୭ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୦୨ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ , ପ୍ରାଶାସନିକ ଅଧିକାରୀ ଭାବରେ ସେମାନଙ୍କୁ ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିବାକୁ ପଡ଼ିବ। ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନେବାକୁ ହେବ। ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହିତ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଶୁକ୍ରବାର ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ସରକାରଙ୍କ ୩-ଟି ମନ୍ତ୍ର ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ଟେକ୍‌ନୋଲୋଜି, ଟ୍ରାନସପ୍ୟାରେନ୍ସି ଓ ଟିମଵାର୍କ ଉପରେ ରାଜ୍ୟ ସରକାର ଗୁରୁତ୍ବ ଆରୋପ କରିଛନ୍ତି। ବର୍ତ୍ତମାନ ଏହି ମନ୍ତ୍ରରେ ସରକାର ସମୟ ବା ଟାଇମ୍‌କୁ ସାମିଲ କରିଛନ୍ତି। ସମୟ ହେଉଛି ସବୁଠୁ ବଡ଼ ଗୁରୁତ୍ବପୂର୍ଣ୍ଣ ବିଷୟ ଯାହାକୁ କେହି ଅଣଦେଖା କରିପାରିବେ ନାହିଁ। ତେଣୁ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ଆଉ ଦୁଇଟି ‘ଟି’ ଟ୍ରାନ୍‌ସଫରମେସନ ଓ ଟାଇମ ମିଶି ୫-ଟି ମନ୍ତ୍ର ଦିଆଯାଇଛି। ଏହି ମନ୍ତ୍ରଗୁଡ଼ିକୁ ଆଧାର କରି କାମ କଲେ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହିତ ସଫଳ ଭାବେ ନିଜ ଦାୟିତ୍ବ ନିର୍ବାହ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରକାଶ ଥାଉକି, ଏଥର ଓପିଏସ୍‌ସି ଦ୍ବାରା ଓଡ଼ିଶା ସିଭିଲ ସର୍ଭିସ ପାଇଁ ଚୟନ କରାଯାଇଥିବା ୧୦୨ ଜଣ ଅଧିକାରୀଙ୍କ ଭିତରେ ୪୨ ଜଣ ମହିଳା ଥିବାବେଳେ ୪ ଜଣ ଦିବ୍ୟାଙ୍ଗ ସାମିଲ ଅଛନ୍ତି। ସେମାନଙ୍କ ଭିତରୁ ୩୬ ଜଣ ଓଏଏସ୍‌ରେ ଯୋଗ ଦେଇଥିବାବେଳେ ୯ ଜଣ ଓପିଏସ୍‌ରେ, ୨୪ ଜଣ ଓଏଫ୍‌ଏସ୍‌, ୩ ଜଣ ସମବାୟ ସେବା, ୨୦ ଜଣ ରାଜସ୍ବ ସେବା ଓ ୧୪ ଜଣ ଟିକସ ଓ ଆକାଉଣ୍ଟସ ସେବାରେ ଯୋଗ ଦେଇଛନ୍ତି।

ଏହି ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଶିଳ୍ପ ଓ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe