୧୦୫ ବର୍ଷ ପୁରାତନ ଭଟଲି ଦଧିବାମନ ମନ୍ଦିର

Advertisment
୧୦୫ ବର୍ଷ ପୁରାତନ ଭଟଲି ଦଧିବାମନ ମନ୍ଦିର

ବରଗଡ଼: ବରଗଡ଼ ଜିଲ୍ଲା ଭଟଲିଧାମରେ ଜଗନ୍ନାଥ ମହାପ୍ରଭୁ ଦଧିବାମନ ରୂପରେ ବିରାଜିତ। ମହାପ୍ରଭୁ ଦଧିବାମନଙ୍କ ମହିମା ସୁଦୂର ପ୍ରସାରୀ ହୋଇଥିବାବେଳେ ଏଠାକାର ମନ୍ଦିର ୧୦୫ ବର୍ଷ ପୁରାତନ। ଏଠାକୁ ରଥ ଛୁଇଁବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୁଏ। ଶିଶୁମାନେ ରଥ ଛୁଇଁଲେ ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି।

ପୁରୀର ଜଗନ୍ନାଥ ମହାପ୍ରଭୁ ଓ ଭଟଲିର ଦଧିବାମନଙ୍କ ପୂଜାବିଧିରେ ଅନେକ ସମାନତା ରହିଛି। ସେଥିପାଇଁ ପୁରୀ ଜଗନ୍ନାଥଙ୍କ ଉପରେ ଯେତିକି ଆସ୍ଥା ରହିଛି, ଦଧିବାମନଙ୍କ ଉପରେ ମଧ୍ୟ ଲୋକଙ୍କ ସେତିକି ବିଶ୍ୱାସ ରହିଥିବା ପୂଜକ ଗୌରଚନ୍ଦ୍ର ରଥ କହିଛନ୍ତି। ଏହାର ଆଉ ଏକ ବିଶେଷତା ହେଉଛି ଯେ ଏଠାରେ ପ୍ରଭୁଙ୍କ ନବକଳେବର ହୋଇନଥାଏ। ସେହିପରି ପ୍ରଭୁଙ୍କ ବିଗ୍ରହ କେଉଁ ଉପାଦାନରେ ନିର୍ମିତ ତାହା ମଧ୍ୟ ଅଜଣା ହୋଇ ରହିଛି। ଅନ୍ୟ ଏକ ଭିନ୍ନତା ହେଲା ଶ୍ରୀମନ୍ଦିରରେ ଅନ୍ନଭୋଗ ଲାଗୁଥିବାବେଳେ ଦଧିବାମନଙ୍କ ଠାରେ ବାଲ୍ୟଭୋଗ ଲାଗି ହୁଏ। କିଂବଦନ୍ତି ଅନୁସାରେ, ସପ୍ତଦଶ ଶତାଦ୍ଦୀରେ ସମ୍ବଲପୁର ରାଜା ଅଭୟ ସିଂହଙ୍କ ଶାସନ କାଳରେ ଭଟଲି ଅଞ୍ଚଳରେ ବିଭୁଭକ୍ତ ପରମାନନ୍ଦ ସାହୁ ତାଙ୍କ ବାସଭବନରେ ଦାରୁବ୍ରହ୍ମ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ କରିଥିଲେ।

ଦିନେ ହଠାତ୍ ଘରେ ନିଆଁ ଲାଗିଯିବାରୁ ମହାପ୍ରଭୁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପୁତ୍ରବଧୂ କମଳା ନିଆଁରେ ବିଲୀନ ହୋଇଥିଲେ। କିଛି ଦିନ ପରେ ଗାଁ ଗୌନ୍ତିଆଙ୍କୁ ସ୍ବପ୍ନରେ ଆଦେଶ ହୋଇଥିଲା ଯେ ଗାଁ ପୋଖରୀରେ ମହାପ୍ରଭୁ ଦଧିବାମନ ରୂପରେ ଆବିର୍ଭାବ ହୋଇଛନ୍ତି। ତାଙ୍କୁ ଆଣି ଦଧିବାମନ ରୂପରେ ପୂଜା କରିବା ସହ ଭକ୍ତ କମଳାଙ୍କୁ ସତିହାରୀ ରୂପରେ ପୂଜା କରିବେ। ପ୍ରତି ବର୍ଷ ଭଳି ଏଖର ମଧ୍ୟ ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ଦଧିବାମନଙ୍କ ଏକ ସୁନ୍ଦର ସୁସଜ୍ଜିତ ରଥ ତିଆରି ହେଉଛି। ୫ ଜଣ ସ୍ୱତନ୍ତ୍ର ବଢ଼େଇ ରଥ ତିଆରି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମନ୍ଦିରରେ ୨୦ ଜଣ ସେବାୟତ ମଧ୍ୟ ଅଛନ୍ତି। ଏହି ରଥରେ ୪୭୨ ଖଣ୍ଡକାଠ ବ୍ୟବହାର କରାଯାଇଥାଏ ବୋଲି କାରିଗର ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe