ଚିନ୍ତା ବଢ଼ାଇଲାଣି ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣା: ଗତବର୍ଷ ୮୫ଟି, ଚଳିତବର୍ଷ ୩୭ ଦୁର୍ଘଟଣା, ବିଦା ହେଲେଣି ୧୭ ଚାଳକ

ଓଡ଼ିଶାରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍‌ସକୁ ନେଇ ଚିନ୍ତା ବଢ଼ିଲାଣି। ପୁରୁଣା ଆମ୍ବୁଲାନ୍‌ସ ବଦଳୁ ନ ଥିବା ବେଳେ ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣା, ରୋଗୀଙ୍କ ପାଇଁ ବିପଦ ଆଣୁଛି।

ambulance

Photograph: (Tata Motors Buses)

ଭୁବନେଶ୍ୱର: ଓଡ଼ିଶାରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍‌ସକୁ ନେଇ ଚିନ୍ତା ବଢ଼ିଲାଣି। ପୁରୁଣା ଆମ୍ବୁଲାନ୍‌ସ ବଦଳୁ ନ ଥିବା ବେଳେ ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣା, ରୋଗୀଙ୍କ ପାଇଁ ବିପଦ ଆଣୁଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବା ବେଳେ ରୋଗୀଙ୍କ ଛାଡ଼ି ଧଡ଼ଧଡ଼ ହେଉଛି। କାଳେ ଅଧାବାଟରେ ଜୀବନ ଚାଲିଯିବ। କିଛି ଆମ୍ବୁଲାନ୍‌ସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ରୋଗୀଙ୍କ ଭରସା ତୁଟୁଛି। 

ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ରାଜ୍ୟ ସରକାର ୧୦୮ ମାଗଣା ଆମ୍ବୁଲାନ୍‌ସ ସେବା ଦେଉଛନ୍ତି। ହେଲେ ଆମ୍ବୁଲାନ୍‌ସ ଚଳାଉଥିବା କିଛି ଗାଡ଼ି ଚାଳକ ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ନ ଥିବା ଅଭିଯୋଗ ହେଉଛି। କେତେବେଳେ ନିଶାଗ୍ରସ୍ତ ଅବସ୍ଥାରେ ଆମ୍ବୁଲାନ୍‌ସ ଧକ୍କା କଲେଣି ତ ଆଉ କେତେବେଳେ ନିଶାଗ୍ରସ୍ତ ଅବସ୍ଥାରେ ଅଧା ବାଟରେ ରୋଗୀଙ୍କୁ ଛାଡ଼ି ପଳାଉଛନ୍ତି। ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ ଦେଖି ସମସ୍ତଙ୍କ ପାଇଁ ସମସ୍ୟା ଡାକୁଛନ୍ତି। ୨ ମାସ ତଳେ ଯାଜପୁରରେ ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣା ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କ ଜୀବନ ଯାଇଥିଲା। ସପ୍ତାହ ପୂର୍ବରୁ ଢେଙ୍କାନାଳରେ ଏକ ଗଛରେ ପିଟିବା ଫଳରେ ଆମ୍ବୁଲାନ୍‌ସ ଚାଳକ ଓ ହେଲ୍‌ପର ଗୁରୁତର ହୋଇଥିଲେ। ଦୁଇଦିନ ତଳେ ଭଦ୍ରକ ଜିଲ୍ଲାରେ ରୋଗୀଙ୍କୁ ଆଣୁଥିବା ଆମ୍ବୁଲାନ୍‌ସ ଅଧା ବାଟରେ ଖରାପ ହୋଇଯାଇଥିଲା। ଏଥିରେ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। 

ସୂଚନା ଅନୁସାରେ, ଗତବର୍ଷ ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସର ୮୫ଟି ଦୁର୍ଘଟଣା ହୋଇଥିଲା। ଚଳିତବର୍ଷ ଜାନୁଆରିରୁ ବର୍ତ୍ତମାନ ସୁଦ୍ଧା ୩୭ଟି ଦୁର୍ଘଟଣା ଘଟିଛି ଏବଂ ଏଥିରେ ଜଣେ ହେଲ୍‌ପରଙ୍କ ଜୀବନ ଯାଇଛି। ବେପରୁଆ ଗାଡ଼ି ଚାଳନା ପାଇଁ ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ସଂସ୍ଥା ୧୭ ଜଣ ଚାଳକଙ୍କୁ ଚାକିରିରୁ ବିଦା କରିଛି। ସଂସ୍ଥାର ନିୟମ ଅନୁସାରେ, ଜଣେ ଆମ୍ବୁଲାନ୍‌ସ ଚାଳକ ଅସୁସ୍ଥ କିମ୍ବା ଅନିଦ୍ରା ଅନୁଭବ କଲେ ତାଙ୍କୁ ୧୦୮ କଲ୍‌ ସେଣ୍ଟର ପକ୍ଷରୁ ରୋଗୀ ନ ଆଣିବା ଲାଗି ନିର୍ଦ୍ଦେଶ ରହିଛି। ଏହାସତ୍ତ୍ବେ ଏହି ନିୟମରେ ଉଲ୍ଲଂଘନ ହେଉଛି। ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ଏମ୍ରି ଗ୍ରିନ୍ ସଂସ୍ଥାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ‌ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚାଇବାକୁ ସଂସ୍ଥା ପ୍ରାଥମିକତା ଦେଇଆସୁଛି। ସୁରକ୍ଷିତ ଗାଡ଼ି ଚାଳନା ଓ ରୋଗୀ ପରିବହନ ସମୟରେ ରୋଗୀଙ୍କ ଯତ୍ନ ପାଇଁ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ରିଫ୍ରେସର୍‌ ତାଲିମ ମଧ୍ୟ ଦିଆଯାଉଛି। ତେବେ କିଛି କର୍ମଚାରୀଙ୍କ ଅସାବଧାନତା ପାଇଁ ଦୁର୍ଘଟଣା ଘଟୁଛି। ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ସଂସ୍ଥା ପକ୍ଷରୁ ଶୃଙ୍ଖଳାଗତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗକୁ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ଆଶା କରୁଛୁ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଗଡ଼ୁଥିବା ୪୨୦ଟି ୧୦୮ ଆମ୍ବୁଲାନ୍‌ସ ପୁରୁଣା ହୋଇଗଲାଣି। ସାଧାରଣ ଭାବେ ୫ ବର୍ଷ କିମ୍ବା ୫ ଲକ୍ଷ କିମି ଚାଲିବା ପରେ ଆମ୍ବୁଲାନ୍‌ସ ପରିବର୍ତ୍ତନ କରାଯାଇଥାଏ। ରାଜ୍ୟରେ ଚାଲୁଥିବା ୪୮% ଆମ୍ବୁଲାନ୍‌ସକୁ ବଦଳାଇବା ସମୟ ଅତିକ୍ରାନ୍ତ ହୋଇଗଲାଣି। ଏହା ଉପରେ ସରକାରୀ ସ୍ତରରେ ବହୁବାର ଆଲୋଚନା ହେଲାଣି। ବର୍ତ୍ତମାନ ସୁଦ୍ଧା ସରକାରୀ ଅନୁମୋଦନ ମିଳିନାହିଁ। ଫଳରେ କେଉଁ ଆମ୍ବୁଲାନ୍‌ସରେ ପାଣି ଗଳିଲାଣି ତ କେତେବେଳେ ରୋଗୀଙ୍କୁ ନେଇ ଯାଉଥିବା ଗାଡ଼ି ଅଧାବାଟରେ ଖରାପ ହୋଇଯାଉଛି। 

ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୪୨୧ଟି ୧୦୮ ଆମ୍ବୁଲାନ୍‌ସ, ୫ଟି ପରିବହନ କମିସନରଙ୍କ କାର୍ଯ୍ୟାଳୟ ଓ ଝାରସୁଗୁଡ଼ାସ୍ଥିତ କାର୍ଡିଆକ୍ ହସ୍ପିଟାଲକୁ ମିଶାଇ ସମୁଦାୟ ୪୨୮ଟି ଆମ୍ବୁଲାନ୍‌ସ କିଣିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇସାରିଛି। ଫୋର୍ସ ମୋଟର୍ସ ଏହି ଗାଡ଼ି ଯୋଗାଇବ ଓ ଏଥିପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ତେବେ ଅଧିକାଂଶ ଆମ୍ବୁଲାନ୍‌ସ ଦୁର୍ଘଟଣା ମଧ୍ୟ ରାତ୍ରି କିମ୍ବା ଭୋର୍‌ ସମୟରେ ହେଉଛି। ଲମ୍ବା ରାସ୍ତା ଅତିକ୍ରମ କରୁଥିବା ଆମ୍ବୁଲାନ୍‌ସଗୁଡ଼ିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପରିଚାଳନା ସଂସ୍ଥା ପକ୍ଷରୁ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାସହ ଦୁର୍ଘଟଣା ହେଉଥିବା ଆମ୍ବୁଲାନ୍‌ସର ତଦନ୍ତ କରାଯିବା ପରେ ଗାଡ଼ି ଚାଳକଙ୍କ ଭୁଲ୍‌ ଥିଲେ ତାଙ୍କୁ ଚାକିରିରୁ ବାହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe