ବଦଳିବ ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା: ଟେଣ୍ଡର ସରିଛି, ରାଜ୍ୟ ସରକାରଙ୍କ ଅନୁମୋଦନକୁ ଅପେକ୍ଷା

Advertisment

ନୂଆ କମ୍ପାନିର ଦାବି; ରୋଗୀଙ୍କ ପାଖରେ ୧୫ମିନିଟ୍‌ରେ ପହଞ୍ଚିବ ଆମ୍ବୁଲାନ୍‌ସ

ନୂଆ କମ୍ପାନିର ଦାବି; ରୋଗୀଙ୍କ ପାଖରେ ୧୫ମିନିଟ୍‌ରେ ପହଞ୍ଚିବ ଆମ୍ବୁଲାନ୍‌ସ

ଆମ୍ବୁଲାନ୍‌ସରେ ଯିବେ କଏଦୀ

iStock

ଭୁବନେଶ୍ବର: ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ସଂସ୍ଥା ବଦଳିବ। ଜିକିଜା ହେଲ୍‌ଥକେୟାର ବଦଳରେ ଆଉ ଏକ ସଂସ୍ଥା ଆମ୍ବୁଲାନ୍‌ସ ଚଳାଇବ। ନିକଟରେ ଶେଷ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଏହି ନିଷ୍ପତ୍ତି ନିଆଯାଇଛି। ମାତ୍ର ରାଜ୍ୟ ସରକାର ନୂଆ ସଂସ୍ଥାକୁ ପରିଚାଳନା ଦାୟିତ୍ବ ଦେବେ ନା ପୁରୁଣା ସଂସ୍ଥା ପୂର୍ବଭଳି ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରିବ ତାହା ଉପରେ ନଜର ରହିଛି। ୨୦୧୩ ମସିହା ମାର୍ଚ୍ଚ ମାସରେ ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ସେବାର ଆରମ୍ଭ ହୋଇଥିଲା। ‌କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଆମ୍ବୁଲାନ୍‌ସ ସେବା ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହା କାର୍ଯ୍ୟ କରୁଛି। ଓଡ଼ିଶାରେ ଏହାର ପରିଚାଳନା ଦାୟିତ୍ବ ନେଇଛି ଜିକିଜା ହେଲ୍‌ଥକେୟାର। ଇତିମଧ୍ୟରେ ଜିକିଜା ହେଲ୍‌ଥକେୟାର ସଂସ୍ଥାର ୫ ବର୍ଷିୟା ଅବଧି ଶେଷ ହୋଇଯାଇଛି। ତତ୍କାଳୀନ ରାଜ୍ୟ ସରକାର କିଛି ମାସ ପାଇଁ ସଂସ୍ଥାର ଅବଧିକୁ ‌ବଢ଼ାଇଥିଲେ। ଏହି ସମୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ପୂର୍ବରୁ ସେବା ପ୍ରଦାନ କରୁଥିବା ଜିକିଜା ହେଲ୍‌ଥକେୟାର ସମେତ କିଛି ସଂସ୍ଥା ଆବେଦନ କରିଥିଲେ। ମାତ୍ର ରାଜ୍ୟ ସରକାର ଏକ ନୂଆ ସଂସ୍ଥାକୁ ଆମ୍ବୁଲାନ୍‌ସ ପରିଚାଳନା ଦାୟିତ୍ବ ଦେବା ଲାଗି ବିଚାର କରୁଥିବା ସ୍ବାସ୍ଥ୍ୟ ବିଭାଗରେ ଆଲୋଚନା ଆରମ୍ଭ ହୋଇଗଲାଣି।

ରାଜ୍ୟରେ ଏବେ ଏଏଲ୍‌ଏସ୍‌ ଓ ବିଏଲ୍‌ଏସ୍‌କୁ ମିଶାଇ ୮୬୦ଟି ୧୦୮ ଆମ୍ବୁଲାନ୍‌ସ ସେବା ପ୍ରଦାନ କରୁଛି। ଏହାସହ ମହିଳା ଓ ଗର୍ଭବତୀଙ୍କ ପାଇଁ ୫ଶହଟି ଜନନୀ ଆମ୍ବୁଲାନ୍‌ସ ରହିଛି। ଅପହଞ୍ଚ ଅଞ୍ଚଳ ପାଇଁ ୬ଟି ବୋଟ୍‌ ଆମ୍ବୁଲାନ୍‌ସ ଜରିଆରେ ରୋଗୀ ସେବା ଦିଆଯାଉଛି। ଇତିମଧ୍ୟରେ ୧କୋଟିରୁ ଅଧିକ ରୋଗୀ ୧୦୮ ଆମ୍ବୁଲାନ୍‌ସର ସେବା ପାଇସାରିଲେଣି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ୨୦ ମିନିଟ୍‌ ଭିତରେ ରୋଗୀଙ୍କ ପାଖରେ ୧୦୮ ଆମ୍ବୁଲାନ୍‌ସ ପହଞ୍ଚୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ଗତମାସ ୨୫ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜାତୀୟ ସ୍ବାସ୍ଥ୍ୟ ମିସନ, ଓଡ଼ିଶାର ସମୀକ୍ଷା କରିଥିଲେ। ଏଥିରେ ରୋଗୀଙ୍କ ନିକଟରେ ୧୦୮ ଆମ୍ବୁଲାନ୍‌ସ ପହଞ୍ଚିବାର ସମୟକୁ ୧୫ ମିନିଟ୍‌କୁ ଆଣିବା ଲାଗି ନିଷ୍ପତ୍ତି ହୋଇଥିଲା। ଅବଶ୍ୟ କିଭଳି ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ସଂପର୍କରେ ସରକାର କିଛି କହି ନ ଥିଲେ। କାରଣ ଦେଶରେ କୌଣସି ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ରୋଗୀଙ୍କ ପାଖରେ ପହଞ୍ଚିବାର ନଜିର ନାହିଁ। ଓଡ଼ିଶାରେ ଯଦି ଏହା ସଫଳ ହୁଏ ତାହାଲେ ଦେଶରେ ଏହା ପ୍ରଥମ ହେବ ବୋଲି କୁହାଯାଉଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରିବାକୁ ଇଚ୍ଛୁକ ଥିବା ଏକ କମ୍ପାନି ୧୫ ମିନିଟ୍‌ରେ ଏହି ସେବା ପ୍ରଦାନ କରିବା ଲାଗି ଦାବି କରିଛି। ତେଣୁ ରାଜ୍ୟ ସରକାର ଯଦି ସଂପୃକ୍ତ ସଂସ୍ଥାକୁ ପରିଚାଳନା ଦାୟିତ୍ବ ଦିଅନ୍ତି, ତାହାଲେ କମ୍ପାନି ଏହାର ମୋଡାଲିଟି ସଂପର୍କରେ ସରକାରଙ୍କୁ ଜଣାଇବ। ଏବେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ସଂସ୍ଥାରେ ୭ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ତେଣୁ ପୁରୁଣା ସଂସ୍ଥା ବଦଳରେ ଯଦି ନୂଆ ସଂସ୍ଥା ଦାୟିତ୍ବ ନିଏ ତାହାଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ ? ଆମ୍ବୁଲାନ୍‌ସ ପରିଚାଳନା କ୍ଷେତ୍ରରେ ନିୟୋଜିତ ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତକୁ ଦେଖି ସରକାରୀ ଅଧିକାରୀମାନେ ଏହା ଉପରେ ବିଶେଷ ଆଲୋଚନା କରିବାକୁ ଚାହୁଁନାହାନ୍ତି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେହେତୁ ପୁରୁଣା ସଂସ୍ଥାର ଟେଣ୍ଡର ଅବଧି ଶେଷ ହୋଇଯାଇଥିଲା ତେଣୁ ପୁନର୍ବାର ଟେଣ୍ଡର ଆହ୍ବାନ କରାଯାଇଥିଲା। ମାତ୍ର ଆମ୍ବୁଲାନ୍‌ସ କିଏ ପରିଚାଳନା କରିବ ତାହା ସଂପର୍କରେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ସଂସ୍ଥା ଜିକିଜା ହେଲ୍‌ଥକେୟାର ପକ୍ଷରୁ କୁହାଯାଇଛି ଯେ ଆମ ସଂସ୍ଥା ପୁନର୍ବାର ଏଥିପାଇଁ ଆବେଦନ କରିଛି। ମାତ୍ର ପରିବର୍ତ୍ତନ ହେବା ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe