ଗର୍ଭବତୀଙ୍କୁ ଟେକି ଆଣିଲେ ପରିବାର ଲୋକ, ରାସ୍ତା ଖରାପ ଯୋଗୁଁ ଯାଇ ପାରିଲାନି ୧୦୮

Advertisment
ଗର୍ଭବତୀଙ୍କୁ ଟେକି ଆଣିଲେ ପରିବାର ଲୋକ, ରାସ୍ତା ଖରାପ ଯୋଗୁଁ ଯାଇ ପାରିଲାନି ୧୦୮

ରାଇଘର/ନବରଙ୍ଗପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗର୍ଭବତୀ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନନୀ ସୁରକ୍ଷା ଯୋଜନା ଏବଂ ତତ୍ତ୍ୱ ସହିତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିକାଶ ଏଠି ଖାଲି କାଗଜ କଲମରେ ସୀମିତ ରହିଥିବା ବେଳେ ଏହା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କେଉଁଠି ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚି ପାରୁନାହାନ୍ତି ତ କେଉଁଠି ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍‌ସ ଯାଇପାରୁନାହିଁ। ଏହି ଅବ୍ୟବସ୍ଥା ଯୋଗୁଁ ଗର୍ଭବତୀଙ୍କୁ ଭାର କରି ମେଡିକାଲକୁ ଅଣାଯାଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ମୁଣ୍ଡିବେଡା ପଞ୍ଚାୟତର କପାଟପାଣି ଗ୍ରାମରେ। ସେଠାକାର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ କାଦୁଅ ରାସ୍ତା ଯୋଗୁଁ ପ୍ରଥମେ କାଖେଇ କାଖେଇ ଆଣିବା ପରେ କିଛି ବାଟ ଅଟୋରେ ଅଣାଯାଇ ପରେ ଭଲ ରାସ୍ତା ଯାଏଁ ଆସିଥିବା ୧୦୮ ଆମ୍ବୁଲାନ୍‌ସ ଯୋଗେ ଚିକିତ୍ସାଳୟକୁ ନିଆଯାଇଥିଲା।

publive-image

ସୂଚନା ଅନୁଯାୟୀ ଏହି ଗ୍ରାମର ହରି ସାନ୍ତାଙ୍କ ସ୍ତ୍ରୀ ଲତା ସାନ୍ତା (୧୯ )ଙ୍କର ଆଜି ସକାଳ ପ୍ରାୟ ଛଅଟା ସମୟରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ପରେ ପରିବାର ବର୍ଗ ସହ ସ୍ଥାନୀୟ ଆଶାଦିଦି ୧୦୮ ଓ ୧୦୨ ଗାଡ଼ିକୁ ବାରମ୍ବାର ଫୋନ୍‌ କରିଥିଲେ। ହେଲେ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍‌ସ ଗ୍ରାମରେ ପହଞ୍ଚି ପାରିଲା ନାହିଁ। ଅନ୍ୟ ପଟେ ଲଗାଣ ବର୍ଷା ଯୋଗୁଁ କପାଟପାଣି ଗ୍ରାମ ଠାରୁ ଖିଡିଙ୍ଗିମାଲ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତା ଏତେ କାଦୁଅ ଯେ ଏଥିରେ ଚାଲି ଚାଲି ଯିବା ଅସମ୍ଭବ। ଉପାୟ ଶୂନ୍ୟ ପରିବାର ଶେଷରେ ବାଧ୍ୟହୋଇ ଗର୍ଭବତୀ ମହିଳାଙ୍କୁ ପ୍ରଥମେ କିଛି ବାଟ କାଖେଇ କାଖେଇ ଆଣିବା ସହିତ ପରେ କିଛି ବାଟ ଅଟୋରେ ନେଇ ଯାଇଥିଲେ। ପରେ ଭଲ ରାସ୍ତାକୁ ଆଣି ୧୦୮ ଗାଡ଼ି ଯୋଗେ ରାଇଘର ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ବର୍ତ୍ତମାନ ସେ ସେଠାରେ ସୁରକ୍ଷିତ ଭାବେ ଚିକିତ୍ସିତ ହେଉଥିବା ଡାକ୍ତର ଖାନା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe